ସିନାପାଲି: ବାରମ୍ବାର ମରୁଡ଼ିର ମୁହଁ ଦେଖୁଥିବା ନୂଆପଡ଼ା ଜିଲ୍ଲା ସିନାପାଲି ଓ ବୋଡ଼େନ ବ୍ଲକ୍‌ର ଚାଷୀମାନଙ୍କୁ ଜଳସଚେନ ସୁବିଧା ଯୋଗାଇ ଦେବାକୁ ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ୧୯୬୫-୬୬ ବର୍ଷରେ ଏହି ଅଞ୍ଚଳରେ ଭୟାବହ ମରୁଡ଼ି ଦେଖାଦେଇଥିଲା। ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଉଦନ୍ତୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଆଦେଶ ଦେଇଥିଲେ। ସେହିଦିନଠାରୁ ବ୍ୟାରେଜ ନିର୍ମାଣ ପାଇଁ ବହୁବାର ସର୍ଭେ ହୋଇଛି। ଜଳ ସଂପଦ ବିଭାଗ ତରଫରୁ ବି ବହୁ ଯୋଜନା ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ। ଫଳରେ ଗତ ଛଅ ଦଶନ୍ଧି ଧରି ଆଶାବାନ୍ଧି ରହିଥିବା ଅଞ୍ଚଳର କୃଷକମାନଙ୍କ ଜଳସେଚନ ଆଶା ମଉଳିବାରେ ଲାଗିଛି।

Advertisment

ଏହି ଦୁଇ ବ୍ଲକ୍‌ରେ ଅପେକ୍ଷାକୃତ କମ୍‌ ବୃଷ୍ଟିପାତ ହେଉଥିବାରୁ ଚାଷ କାର୍ଯ୍ୟରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଥାଏ। କ୍ରମାଗତ ମରୁଡ଼ି ଯୋଗୁ ଚାଷ ଛାଡ଼ି ବହୁ ଲୋକ ଦାଦନ ଯାଉଛନ୍ତି। ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ହେଲେ ଅଞ୍ଚଳର ବହୁ ଚାଷୀ ଉପକୃତ ହେବେ। ବହୁ ଦାବି ଆନ୍ଦୋଳନ ପରେ ବି କୌଣସି ସୁଫଳ ମିଳିନଥିବାରୁ ଚାଷୀ ନିରାଶ ହୋଇ ରହିଛନ୍ତି। ଓଡ଼ିଶା ସରକାରଙ୍କ ଜଳସଂପଦ ବିଭାଗ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ ମହାନଦୀ ଅବବାହିକା ତଥା ତେଲ ନଦୀର ଉପର ଅବବାହିକାରେ ପ୍ରବାହିତ ଉଦନ୍ତୀ ନଦୀରେ ସିନାପାଲି ବ୍ଲକ୍‌ର ପଶ୍ଚିମ ଦିଗରେ ପତିଏଲପଡ଼ା ନିକଟରେ ଅପର ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବିତ ବ୍ୟାରେଜରେ ୧୦୪୪ ବର୍ଗ କିଲୋମିଟର ଅବବାହ କ୍ଷେତ୍ରରୁ ବର୍ଷାଜଳ ସଂଗୃହୀତ ହୋଇ ଜଳଭଣ୍ତାର ସୃଷ୍ଟି ହେବ। ବ୍ୟାରେଜରୁ ଦୁଇଟି ମୁଖ୍ୟ କେନାଲ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯିବ। ଯାହାକି ଉଭୟ ବୋଡ଼େନ ଓ ସିନାପାଲି ବ୍ଲକ୍‌ର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ। ଏହାଦ୍ବାରା ସିନାପାଲି ବ୍ଲକ୍‌ର ୨୬ଟି ଗ୍ରାମ ଓ ବୋଡ଼େନ ବ୍ଲକ୍‌ର ୨୦ଟି ଗ୍ରାମର ଚାଷୀ ଉପକୃତ ହେବେ ବୋଲି ଜଳସଂପଦ ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ହେଲେ ପ୍ରସ୍ତାବିତ ବ୍ୟାରେଜ୍ ନିର୍ମାଣ ସର୍ଭେ କାର୍ଯ୍ୟରେ ସୀମିତ ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତଥାପି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସିନାପାଲି ଜଳସେଚନ ସଂଗ୍ରାମ ସମିତି ସଭାପତି ବୈଶମ୍ପାୟନ ମେହେର, ସଂପାଦକ ଲିଙ୍ଗରାଜ ଘିଭେଲା ପ୍ରମୁଖ ଅଭିଯୋଗ କରିଛନ୍ତି।