ସ୍କୁଲ୍‌ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବରଗଡ଼ : ବରଗଡ଼ ସହରସ୍ଥିତ ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲ୍‌ର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଦୋଷୀଙ୍କ ବିରୋଧରେ କ‌େଠାର କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ସ୍ଥାନୀୟ ଲୋକେ ସ୍କୁଲ ସମ୍ମୁଖ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟଧରି ଅବରୋଧ କରିଛନ୍ତି।

ମୃତ ଛାତ୍ର ଜଣକ ପ୍ରଧାନପାଲି ନିବାସୀ ଉମେଶଚନ୍ଦ୍ର ସାହୁଙ୍କ ପୁଅ ଆଦିତ୍ୟ ରାଜ୍‌(୬ବର୍ଷ)। ଉମେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ବିକାଶ ଫାଷ୍ଟଷ୍ଟେପ୍‌ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ୨୦ ତାରିଖ ଦିନ ସ୍କୁଲ୍‌ ପରିସରରେ ଖେଳୁଥିବା ସମୟରେ ଆଦିତ୍ୟ କୁଆଡ଼େ ଖସିପଡ଼ିଥିଲେ। ସ୍କୁଲ୍‌ରୁ ଏ ନେଇ ଫୋନ୍‌ ଆସିଥିଲା। କୁହାଗଲା, ଆଦିତ୍ୟ ଖେଳୁଥିବାବେଳେ ଖସିପଡ଼ିବାରୁ ମୁଣ୍ଡର ଡାହାଣ ପାର୍ଶ୍ବରେ ଆଘାତ ଲାଗିଛି। ଏହାପରେ ପରିବାରବର୍ଗ ସ୍କୁଲରେ ପହଞ୍ଚି ଆଦିତ୍ୟଙ୍କୁ ବିକାଶ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୁଣ୍ଡରେ ଷ୍ଟିଚ୍‌ ପକାଇ ଆଦିତ୍ୟଙ୍କୁ ଛାଡ଼ି ଦେଇଥିଲେ। ୨୧ ତାରିଖ ଶିଶୁ ରୋଗ ବିଶେଷଜ୍ଞଙ୍କ ପାଖରେ ତାଙ୍କ ଚିକିତ୍ସା ‌ କରାଯାଇଥିଲା। ହେଲେ, ୨୨ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ପରେ ରାତି ୧୦ଟା ବେଳେ ତାଙ୍କ ବିୟୋଗ ଘଟିଥିଲା।

ଉମେଶଙ୍କ ଅଭିଯୋଗ ଅନୁଯାୟୀ, ଆଦିତ୍ୟଙ୍କ ପ୍ରକୃତରେ କ’ଣ ଘଟିଥିଲା ସ୍କୁଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟଭ‌ାବେ କହିଥିଲେ ଉଚିତ୍‌ ଚିକିତ୍ସା କରାଯାଇ ପାରିଥା’ନ୍ତା ଏବଂ ତାଙ୍କ ପୁଅର ଜୀବନ ବଞ୍ଚି ଯାଇଥାନ୍ତା। ପରିବାର ଓ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍କୁଲ ପରିସରରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ସହ ପ୍ରକୃତ ତଥ୍ୟ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ତେବେ, ବିକାଶ ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡି.ନାଗେଶ୍ବର ରାଓ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଖସି ପଡ଼ି ଆହତ ହେବା ଘଟଣା ସହିତ ମୃତ୍ୟୁର କୌଣସି ସମ୍ପର୍କ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର