ଭୁବନେଶ୍ବର: ଏକ ମିଶ୍ରଣ ପର୍ବକୁ ନେଇ ଆଜି କଂଗ୍ରେସ ଭବନ ଆଗରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ(ନାଣ୍ଡୁ) କଂଗ୍ରେସରେ ସାମିଲ ହେବାକୁ ଭୁବନେଶ୍ବର ଆସି ହଟହଟା ହୋଇଛନ୍ତି। କଂଗ୍ରେସ ଭବନରେ ତାଲା ପଡ଼ିଥିବା ବେଳେ ଚାରିପଟେ ପୁଲିସ ଜଗି ରହିଥିଲା। କଂଗ୍ରେସ ନେତାଙ୍କ ଦେଖା ମିଳି ନ ଥିଲା। ନାଣ୍ଡୁ ଓ ତାଙ୍କ ସମର୍ଥକଙ୍କୁ କଂଗ୍ରେସ ଭବନରେ ପ୍ରବେଶ ଅନୁମତି ମିଳି ନଥିଲା। ଫଳରେ କଂଗ୍ରେସରେ ସାମିଲ ହୋଇ ନ ପାରି ଫେରିଯାଇଛନ୍ତି। ସେ ଏବେ ରାଜଧାନୀର ଏକ ହୋଟେଲରେ ଡେରା ପକାଇଥିବା ବେଳେ ଖୁବଶୀଘ୍ର ନିଜ ସମର୍ଥକଙ୍କ ସହ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି।
କଂଗ୍ରେସ ଭବନରେ ତାଲା, ନାଣ୍ଡୁଙ୍କ ପାଇଁ ଖୋଲିଲାନି ଗେଟ୍
ରାଜ୍ୟରେ କଂଗ୍ରେସର ଉତ୍ଥାନ ଚାହୁଁନାହାନ୍ତି ଭକ୍ତ: ନାଣ୍ଡୁ
ହାତ ଧରିବା ପାଇଁ ଶ୍ରୀ ଧଳ ନିଜର ଶତାଧିକ କର୍ମୀଙ୍କ ସହ ଭୁବନେଶ୍ବର ଆସିଥିଲେ। ‘ମହା ମିଶ୍ରଣ ପର୍ବ’ ନାଁରେ ପୋଷ୍ଟର ମାରି ଅପରାହ୍ଣ ପ୍ରାୟ ୨ଟା ସମୟରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଆଗରେ ପହଞ୍ଚିଥିଲେ। ଏହାର ଯଥେଷ୍ଟ ପୂର୍ବରୁ କଂଗ୍ରେସ ଭବନର ଗେଟ୍ରେ ତାଲା ପଡ଼ିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବହୁସଂଖ୍ୟାରେ ପୁଲିସ ମୁତୟନ ହୋଇଥିଲେ। କଂଗ୍ରେସ ଭବନ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ କିଛି ସମୟ ପାଇଁ ନାଣ୍ଡୁଙ୍କ ସମର୍ଥକଙ୍କ ହୋ ହଲ୍ଲା କରିଥିଲେ। କଂଗ୍ରେସ ଦଳ କାହାର ପୈତ୍ତୃକ ସଂପତ୍ତି ନୁହେଁ ବୋଲି କହିବା ସହ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବକୁ ସମାଲୋଚନା କରିଥିଲେ। ପୁଲିସ କଂଗ୍ରେସ ଭବନ ଭିତରକୁ ପଶିବା ଲାଗି ଅନୁମତି ନ ଦେବାରୁ ସେଠାରେ ଧାରଣା ଦେଇଥିଲେ। ପ୍ରାୟ ୩ଟା ବେଳକୁ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା।
ଶ୍ରୀ ଧଳ ‘ସମ୍ବାଦ’କୁ କହିଛନ୍ତି, ପ୍ରାୟ ଦେଢ଼ ମାସ ତଳେ କଂଗ୍ରେସରେ ସାମିଲ ହେବା ନେଇ ଭକ୍ତ ବାବୁ ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ କଥା ହୋଇଥିଲି। ମିଶ୍ରଣ ପର୍ବ ପାଇଁ ଆଜିର ତାରିଖ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଗାଡ଼ିର ବ୍ୟବସ୍ଥା ସହ ସମର୍ଥକଙ୍କୁ ଏକାଠି କରି ସବୁ ବ୍ୟବସ୍ଥା କରିଥିଲି। ହେଲେ ୨-୩ଦିନ ତଳେ ପିସିସି ସଭାପତି ଏକ ଗଣମାଧ୍ୟମରେ ନୂଆପଡ଼ା ନିର୍ବାଚନ ପରେ ତାଙ୍କୁ ଦଳରେ ସାମିଲ କରାଯିବ ବୋଲି କହିଥିଲେ। ଯେହେତୁ ମୁଁ ପୂର୍ବରୁ ସବୁକିଛି ବ୍ୟବସ୍ଥା କରିଥିଲି, ତେଣୁ ସଭାପତିଙ୍କ ବଦଳରେ ଅନ୍ୟ କେହି ନେତା ମଧ୍ୟ ଉପସ୍ଥିତ ରହିଲେ ମିଶ୍ରଣ ପର୍ବରେ କିଛି ଅସୁବିଧା ହେବ ନାହିଁ ବୋଲି ଜଣାଇଥିଲି। ମାତ୍ର ଭକ୍ତ ବାବୁ ଏକ ଫତୱା ଜାରି କରି କୌଣସି ନେତାଙ୍କୁ କଂଗ୍ରେସ ଭବନକୁ ପଠାଇ ନ ଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭକ୍ତ ବାବୁ ଓଡ଼ିଶାରେ କଂଗ୍ରେସର ଉତ୍ଥାନ ଚାହୁଁନାହାନ୍ତି। କଂଗ୍ରେସ ଭବନରେ ତାଲା ମାରି ମୋତେ ନୁହେଁ ବରଂ କଂଗ୍ରେସ କର୍ମୀଙ୍କୁ ଅପମାନିତ କରିଛନ୍ତି। ନାରୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢ଼ୁଥିବା କହୁଛି, ହେଲେ ଆଜି ମୋର ମହିଳା ସମର୍ଥକଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା ତାହା ଗ୍ରହଣୀୟ କି ? ମୁଁ ଚୁପ୍ ବସିବି ନାହିଁ। ଖୁବଶୀଘ୍ର ଟ୍ରେନ୍ ଯୋଗେ ସମର୍ଥକଙ୍କୁ ନେଇ ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣାରେ ବସିବୁ। ରାହୁଲ ଗାନ୍ଧୀଙ୍କୁ ଭେଟିବା ଲାଗି ଉଦ୍ୟମ କରିବୁ। ଏ ସଂପର୍କରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, କଂଗ୍ରେସରେ ସାମିଲ ହେବା ପାଇଁ ଶ୍ରୀ ଧଳଙ୍କୁ ବହୁ ସଂଖ୍ୟାରେ ସମର୍ଥକଙ୍କ ବଦଳରେ ସର୍ବାଧିକ ୫ଜଣ ସମର୍ଥକଙ୍କ ଆସିବା ପାଇଁ କୁହାଯାଇଥିଲା। ନୂଆପଡ଼ା ଉପନିର୍ବାଚନ ପାଇଁ ସଭାପତି ବ୍ୟସ୍ତ ଥିବାରୁ ମିଶ୍ରଣ ପର୍ବରେ ତାଙ୍କର ଉପସ୍ଥିତି ସମ୍ଭବ ନ ଥିଲା। ଏହା ସହ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ପିସିସି ସଭାପତିଙ୍କ ନିକଟକୁ ଆସିଥିଲା। ଆଭ୍ୟନ୍ତରୀୟ ଯାଞ୍ଚ ପାଇଁ ମିଶ୍ରଣ ପର୍ବକୁ ଘୁଞ୍ଚାଇବାକୁ କୁହାଯାଇଥିଲା। ଦଳରେ ସାମିଲ ହେବା ପୂର୍ବରୁ ଯଦି ଜଣେ ଦଳର ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶକୁ ଏଭଳି ଅବଜ୍ଞା କରିବାକୁ ଚାହୁଁଛନ୍ତି, ତାଙ୍କଠାରୁ କିଭଳି ଶୃଙ୍ଖଳା ଆଶା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଅପରପକ୍ଷରେ ରାମ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରିବା ଥିବାରୁ ସେଠାରେ ଶ୍ରୀ ଧଳଙ୍କ ବହୁ ସମର୍ଥକ ରହିଥିଲେ। ମାତ୍ର କଂଗ୍ରେସ ଭବନରେ ତାଲା ପଡ଼ିବା ଓ ପୁଲିସ ଜଗିଥିବା ଖବର ପାଇଁ ଅନେକ ଶୋଭାଯାତ୍ରାରେ ସାମିଲ ନ ହୋଇ ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/16/gfshhffhsxbbvvb-2025-10-16-01-44-27.jpg)