ଗାନ୍ଧୀଙ୍କୁ ନେଇ ଭୁଲ୍ ତଥ୍ୟ: ବିଧାନସଭା ହୁଲସ୍ତୁଲ, ଅଡ଼ୁଆରେ ପକାଇଲା ଗଣଶିକ୍ଷା ବିଭାଗ

ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରିବା ପଛରେ କିଏ?
ବିରୋଧୀ ଦଳ ଗର୍ଜିଲେ, ନବୀନଙ୍କ ଇସ୍ତଫା ମାଗିଲେ ନରସିଂହ
ଉଦ୍‌ବେଗ ପ୍ରକାଶ କଲେ ଶାସକ ଓ ବିରୋଧୀ ବିଧାୟକ
ଆଜି ବିବୃତି ରଖିବେ ମନ୍ତ୍ରୀ, କ‌ାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣାକ୍ରମେ ହୋଇଥିଲା ବୋଲି ଛାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ପାଇଁ ସାଂଘାତିକ ବିପଦ ଟାଣିଆଣିଛି। ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବକୁ ଦୁଇ ବର୍ଷ ଧରି ପାଳନ କରିବା, ସର୍ବୋପରି ସମ୍ବିଧାନରେ ମୁଖବନ୍ଧରେ ଅହିଂସା ଶବ୍ଦ ସାମିଲ ଲାଗି ଦାବି କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରରେ ଯେଉଁ ସୁନାମ ଅର୍ଜନ କରିଥିଲେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେଥିରେ କଳାଛିଟା ଲଗାଇ ଦେଇଛି।। ଜାତୀୟସ୍ତରରେ ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ଓ ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅତି କଟୁ ଶବ୍ଦରେ ସମାଲୋଚନା କରିଛନ୍ତି। ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ କେହି ବି ଏହାକୁ ଗ୍ରହଣ କରିପାରିନାହାନ୍ତି। ଶ୍ରୀ ମିଶ୍ର ଦି’ ପାଦଆଗକୁ ଯାଇ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏଭଳି ଭୁଲ ହୋଇଛି, ତେବେ ସେ ଇସ୍ତଫା ଦିଅନ୍ତୁ। ଆଉ ଅଜାଣତରେ ହୋଇଥିଲେ, ରାଜ୍ୟବାସୀଙ୍କ ସାମ୍ନାରେ କ୍ଷମା ମାଗନ୍ତୁ। କେବଳ ସେତିକି ନୁହେଁ, ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀଙ୍କ ସଂପର୍କରେ ଅସତ୍ୟ ତଥ୍ୟ ଉଲ୍ଲେଖ କରିବା ପଛରେ କାହାର ଷଡ଼ଯନ୍ତ୍ର ରହିଛି, କେଉଁ ଅଭିସନ୍ଧି ରଖି ଏହାକୁ ପ୍ରକାଶ କରାଯାଇଛି, ସେ ନେଇ ବିଧାନସଭାରେ ପ୍ରଶ୍ନ ଉଠିଛି। ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିଧାନସଭାରେ ସୃଷ୍ଟି ହୋଇଥିବା ଏହି ଝଡ଼କୁ ପ୍ରଶମିତ କରିବା ପାଇଁ ବାଚସ୍ପତି ହସ୍ତକ୍ଷେପ କରିବା ସହିତ ଆସନ୍ତାକାଲି ଅର୍ଥାତ୍ ଶନିବାର ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ଗୃହରେ ବିବୃତି ରଖିବାକୁ ନିର୍ଦେଶ ଦେଇଛନ୍ତି।

ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ନାଥୁରାମ ଗଡସେ ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରିଛନ୍ତି, ଏକଥା ବାରମ୍ବାର ଏ ଗୃହରେ କୁହାଯାଇଛି। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବା ଲେଖି ଲକ୍ଷ ଲକ୍ଷ ପ୍ରଚାର ପତ୍ର ଗାଁ ଗାଁରେ ବାଣ୍ଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି, ଏ ରାଜନୀତି ସମୀକରଣରେ କେବେ ପରିବର୍ତନ ହେଲା? ନିର୍ବାଚନ ପରେ ପରେ ନବୀନ ବାବୁ ପୂରା ୟୁ ଟର୍ଣ୍ଣ ମାରିଛନ୍ତି। ଗୁରୁବାର ବି କୁହାଯାଇଥିଲା ଯେ ଉଭୟ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି। ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ସେମାନେ ଦେଇଦେଇଥିଲେ। ବିଜେପି ସଂଖ୍ୟା ଦୃଷ୍ଟିରୁ ଆସନ ଦଖଲ କରିବାର କ୍ଷମତା ରଖୁନଥିଲା। ମୁଖ୍ୟମନ୍ତ୍ରୀ କହିଲେ, ପ୍ରଧାନମନ୍ତ୍ରୀ ଫୋନ କଲେ ବୋଲି ଦେଇଦେଲେ।

ସବୁ ବିବାଦୀୟ ବିଲ୍ ରେ ବିଜେଡି ସମର୍ଥନ ଦେଇଛି। ଯେହେତୁ ବିଜେପି ଦଳର କିଛି ନେତା ଓ ମନ୍ତ୍ରୀ ଯେତେବେଳେ ନାଥୁରାମ ଗଡସେଙ୍କୁ ଭଗବାନ ବୋଲି ଭାବି ମନ୍ଦିର କରି ତାଙ୍କର ପୂଜା କରୁଛନ୍ତି, ସେତେବେଳେ ରାଜ୍ୟ ସରକାର ଏଠି ମହାତ୍ମାଙ୍କ ନାଁ ନେବାକୁ ଡରୁଛନ୍ତି। ସେଥିପାଇଁ ତାଙ୍କ ପ୍ରଚାରପତ୍ରରେ ହତ୍ୟାକାରୀର ନାଁ ଉଲ୍ଲେଖ କଲେନାହିଁ କି? ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ କଥା।

ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ମହାତ୍ମାଗାନ୍ଧୀଙ୍କୁ ନାଥୁରାମ ହତ୍ୟା କରିଥିଲେ, ଏକଥା ସମସ୍ତେ ଜାଣନ୍ତି। କଣ ପାଇଁ ଏହି ତଥ୍ୟକୁ ସରକାର ଲୁଚାଇଛନ୍ତି, ଏକଥା ସମସ୍ତେ ଜାଣିବା ଦରକାର। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହା କଣ ସରକାରଙ୍କ ଉପହାର କି? ନା ତାଙ୍କୁ ଅପମାନ ଦେବା ପାଇଁ ଏମିତି କରାଯାଇଛି। ଏଭଳି ଏକ ସଙ୍ଗିନ ପ୍ରସଙ୍ଗର ଉତ୍ତର ନିଜେ ମୁଖ୍ୟମନ୍ତ୍ରୀ ଦେବା ଆବଶ୍ୟକ। ଯଦି ଜାଣିଶୁଣି ଏକଥା କରାଯାଇଛି, ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଅନ୍ୟଥା ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ମତାହ୍ମା ଗାନ୍ଧୀଙ୍କ ସଂପର୍କରେ ଅସତ୍ୟ ତଥ୍ୟ ଦେଇ ବିଭ୍ରାନ୍ତ କରିବା ଲାଗି ଯେଉଁ ଉଦ୍ୟମ ହୋଇଛି, ତାହାକୁ ଦେଶବାସୀ ଆଦୌ କ୍ଷମା ଦେବେ ନାହିଁ। ସାରା ବିଶ୍ବ ଗାନ୍ଧୀଙ୍କୁ ପୂଜା କରୁଛି। ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ବେଳେ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ରାଜନୈତିକ ଗୁରୁ ବୋଲି କହିଥିଲେ।

ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ବିରୋଧୀ ଦଳରେ ଯିଏ ବସିବ, ସିଏ ସବୁକଥାରେ ବିରୋଧ କରିବ, ଏଭଳି ମାନସିକତାକୁ ବରଦାସ୍ତ କରାଯାଇପାରିବ ନାହିଁ। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ କିପରି ହେଲା, ସେ ସତ୍ୟକୁ କେହି ବଦଳାଇ ପାରିବେ ନାହିଁ। ସୁଭାଷ ବୋଷଙ୍କ ମୃତ୍ୟୁ କିଭଳି ହେଲା, ଆମେ ଜାଣିପାରିଲେ ନାହିଁ। ଏବେ ଯେମିତି ସ୍ମିତାରାଣୀ ବିଶ୍ବାଳଙ୍କର କେମିତି ମୃତ୍ୟୁ ହେଲା ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ତେବେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ବୋଲି ଯେଉଁ ତଥ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହେଉଛି ଇତିହାସ କ୍ୟାପସୁଲ୍। ଏହାର ଫଳ ଏବେ ଫଳିବ ନାହିଁ। ୫୦ ବର୍ଷ ପରେ ବା ୧୦୦ ବର୍ଷ ପରେ ଯେତେବେଳେ ଆଜି ଯେଭଳି ମତପ୍ରକାଶ ପାଉଛି, ସେଭଳି ଇତିହାସର ପୁନର୍ଲିଖନ ହେବ, ସେତେବେଳେ କାହାରି ହାତରେ ସରକାରଙ୍କ ଏହି ଭୁଲ ତଥ୍ୟ ପଡିପାରେ। ତାହାକୁ ହିଁ ସତ୍ୟ ବୋଲି ସେତେବେଳେ ସମସ୍ତେ ମାନିନେବେ। ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋର ସନ୍ଦେହ ହେଉଛି, ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଏଭଳି ଅସତ୍ୟ ଲେଖାଯାଇ ଭବିଷ୍ୟତ ପିଢ଼ି ପାଇଁ ବିଷମଞ୍ଜିଟିଏ ବୁଣି ଦିଆଯାଇଛି। କିଏ ଜଣେ ଏଥିରେ ଷଣ୍ଢ ପୂରାଇଛନ୍ତି। ଦଳମତ ନିର୍ବିଶେଷରେ ଏହାର ନିନ୍ଦା କରାଯିବା ଉଚିତ୍। ବିଧାନସଭାରେ ଏହାର ତୀବ୍ର ନିନ୍ଦା କରାଯିବାର ଆବଶ୍ୟକତା ରହିଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ମୃତ୍ୟୁ କାହାକୁ ଅଛପା ନାହିଁ। ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଫାଶୀ ଦିଆଯାଇଥିଲା ଓ ଭାଇ ଗୋପାଳ ଗଡସେ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ଆଜି କିନ୍ତୁ ଏହି ସତ୍ୟକୁ ଲୁଚାଇବାକୁ ଷଡ଼ଯନ୍ତ୍ର କରାଯାଉଛି। ଜାତିର ପିତାଙ୍କ ସଂପର୍କରେ ବିଭ୍ରାନ୍ତିକର ତଥା କଦର୍ଯ୍ୟ ତଥ୍ୟ ଉଲ୍ଲେଖ କରାଯିବା ଦୁର୍ଭାଗ୍ୟଜନକ। କେଉଁ ପରିସ୍ଥିତିରେ ଏଭଳି ଅସତ୍ୟ ତଥ୍ୟ ପ୍ରକାଶ କରାଗଲା, ତାହାର ସ୍ପଷ୍ଟୀକରଣ ଦିଆଯିବା ଦରକାର। ଇତିହାସକୁ କିଛି ଲୋକ ଭୁଲ ବାଟରେ ନେବାକୁ ଚେଷ୍ଟା କରୁଛନ୍ତି। ଏମିତି ସମୟ ନ ଆସୁ, ଗାନ୍ଧୀଙ୍କ ସ୍ଥାନରେ ନାଥୁରାମ ଫଟୋ ରଖାଯିବ।

କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଗାନ୍ଧୀଜୀଙ୍କ ଲାଗି ଦେଶ ସ୍ବାଧୀନ ପାଇଛି। ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମକୁ ଭଗବାନ ବୋଲି କୁହାଯିବାଠାରୁ ବଳି ନିନ୍ଦନୀୟ କଥା ଆଉ କିଛି ନାହିଁ। ପ୍ରଧାନମନ୍ତ୍ରୀ ଗାନ୍ଧୀଙ୍କ ଚଷମାକୁ ସ୍ବଚ୍ଛ ଭାରତରେ ଲଗାଉଛନ୍ତି। ତାଙ୍କ ଦଳର କିଛି ନେତା ନାଥୁରାମକୁ ଦେବତା ଭାବେ ପୂଜା କରୁଛନ୍ତି। ଏଠି ଓଡ଼ିଶା ସରକାର ଗାନ୍ଧୀଙ୍କ ସଂପର୍କରେ ଭୁଲ ତଥ୍ୟ ଦେଉଛନ୍ତି। ଯେଉଁମାନେ ଏଭଳି କାମ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଥିଲେ ଯେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିବା ପୂର୍ବରୁ ପ୍ରଥମେ ବିଭାଗୀୟ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମଗାଯାଉ। ସ୍ପଷ୍ଟୀକରଣ ପରେ ହିଁ ବହୁତ କଥା ସ୍ପଷ୍ଟ ହୋଇଯିବ। ଏଣୁ ବାଚସ୍ପତି ପ୍ରଥମେ ରୁଲିଂ ଦିଅନ୍ତୁ। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଗାନ୍ଧୀଜୀଙ୍କ ହତ୍ୟା ସଂପର୍କିତ ତଥ୍ୟକୁ କେହି ଲୁଚାଇ ପାରିବେ ନାହିଁ। ଗାନ୍ଧୀଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଇଥିବା ତଥ୍ୟ ବି ବଦଳିପାରିବ ନାହିଁ। କେଉଁ ପରିସ୍ଥିତିରେ ଭୁଲ ତଥ୍ୟ ଲେଖାଯାଇଛି, ତାହାର ତର୍ଜମା ହେବା ଦରକାର। ରାଜ୍ୟ ସରକାର କଦାପି ଉଦ୍ଦେଶ୍ୟମୂଳକ ଭାବେ ଏହା କରିବେ ନାହିଁ। କିନ୍ତୁ ଗାନ୍ଧୀଜୀଙ୍କ ସଂପର୍କରେ ଯେଉଁମାନେ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ନିନ୍ଦା କରାଯିବା ଦରକାର।

ଉଲ୍ଲେଖଯୋଗ୍ୟ, ଆଜି ପ୍ରଶ୍ନୋତ୍ତର କାଳରେ ମଧ୍ୟ କଂଗ୍ରେସ ନେତା ଶ୍ରୀ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଆକସ୍ମିକ ଘଟଣାରେ ହୋଇଥିବା ଲେଖିଥିବାରୁ ସରକାର କେବେ ମହାତ୍ମାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିବେ। ରାଜସ୍ବ ବିଭାଗ କେଉଁ କେଉଁ ସ୍ଥାନରେ ଏଥିପାଇଁ ଜାଗା ଚିହ୍ନଟ କରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାକୁ ଏଡାଇ ଯାଇ କହିଥିଲେ, ଏହା ସଂସ୍କୃତି ବିଭାଗର କାମ। ଏହି ପ୍ରଶ୍ନଟି କିନ୍ତୁ ଗୃହକୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା।

ଇତିମଧ୍ୟରେ ଖବର ମିଳିଛି ଯେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଛପା ହୋଇଥିବା ବିବାଦୀୟ ପୁସ୍ତିକାକୁ ପ୍ରତ୍ୟାହାର କରିନେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର