ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, ବିଦ୍ୟାଳୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା

ନୀଳଗିରି: ନୀଳଗିରି ବ୍ଲକ୍‌ ଧୋବଶିଳା ପଞ୍ଚାୟତ ଖଇରବଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ୍‌ ରହୁଥିବା ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ହଷ୍ଟେଲ୍‌ ସୁପରିନ୍‌‌ଟେଣ୍ଡେଣ୍ଟ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଓ ମୃତକଙ୍କ ପରିବାର ଶବ ରଖି ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।

ଖଇରବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ୍‌ ରହି ରାବୁଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ପୁଅ ତପୁ ସିଂ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। କିଛି ଦିନ ତଳେ ତପୁଙ୍କ ଦେହ ଅସୁସ୍ଥ ହେବାରୁ ହଷ୍ଟେଲ୍‌ ସୁପରିନ୍‌‌ଟେଣ୍ଡେଣ୍ଟ ମନ୍ମଥ ମଲ୍ଲିକ ଗତ ୩ ତାରିଖରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଗୁରୁତର ହୋଇଥିଲା। ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଡକାଇ ତପୁଙ୍କୁ ଘରକୁ ପଠାଇ ଦେଇଥିଲେ। ଆଜି ସକାଳେ ତପୁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ତପୁଙ୍କ ମୃତ୍ୟୁ ପାଇଁ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ମଲ୍ଲିକ ଦାୟୀ ବୋଲି ଅଭିଯୋଗ କରି ଶତାଧିକ ଗ୍ରାମବାସୀ ଓ ମୃତକଙ୍କ ପରିବାର ଶବ ଧରି ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ଶବ ରଖି ଧାରଣା ଦେଇଥିଲେ। ଖବର ପାଇ ଏଡବ୍ଲ୍ୟୁଓ ରଞ୍ଜନ କୁମାର ଦାସ, ଡବ୍ଲ୍ୟୁଓ ଶୈଳେନ୍ଦ୍ର ଶତପଥୀ, ଏବିଇଓ ଯୋଗେନ୍ଦ୍ର ସେଠୀ, ଲମ୍ବୋଦର ସିଂ, ନୀଳଗିରି ଥାନା ଏସ୍‌ଆଇ ବିରଞ୍ଚି ନାରାୟଣ ସାହୁ, ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ସିଂ, ସମିତିସଭ୍ୟ ପାଗୁଲୁ ସିଂ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତପୁଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା, ସ୍କୁଲ୍‌ କମିଟି ପକ୍ଷରୁ ୧୦ ହଜାର ଓ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପକ୍ଷରୁ ୫ ହଜାର ଟଙ୍କା ଦିଆଯାଇଥିଲା।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନୀଳଗିରି ତହସିଲଦାର ଅଶେଷ ନାୟକ ଘଟଣାସ୍ଥଳରେ ପହଞ୍ଚି ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯିବ ଏବଂ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ବଦଳି ସହ କାର୍ଯ୍ୟରେ ଅବହେଳା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବ‌େଳେ ଉପଖଣ୍ଡ ଚିକିତ୍ସାଳୟ‌ରେ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର