ଭୁବନେଶ୍ୱର : କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ୨୦୧୯ ମସିହା ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ କରିବାକୁ ପଦକ୍ଷେପ ନେଇଛି। ଏହି ସାକ୍ଷାତକାର ପାଇଁ ୨୩୦୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬୮୧ ଜଣଙ୍କର ସାକ୍ଷାତକାର ସରିଥିବା ବେଳେ ଅବଶିଷ୍ଟ ୬୨୩ ଜଣଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍ଡାଉନ ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଏହି ଅବଶିଷ୍ଟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ଶେଷ କରିବାକୁ ୟୁପିଏସ୍ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ସାକ୍ଷାତକାର ୩୦ ତାରିଖରେ ଶେଷ ହେବ। ଏଥିପାଇଁ ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଆଗୁଆ ଅବଗତ କରାଯାଇଛି। ପରୀକ୍ଷାର୍ଥୀ, ବିଶେଷଜ୍ଞ, ଆୟୋଗର କର୍ମଚାରୀଙ୍କ ନିମନ୍ତେ ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଲକ୍ଡାଉନ କୋହଳ ସତ୍ତ୍ୱେ ଏବେ ମଧ୍ୟ ସମଗ୍ର ଦେଶରେ ରେଳ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ନାହିଁ। ତାହାକୁ ଦୃଷ୍ଟିରେ ରଖି ୟୁପିଏସ୍ସି କେବଳ ଚଳିତବର୍ଷ ପାଇଁ ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ବିମାନରେ ଯାତାୟାତ ବାବଦ ଖର୍ଚ୍ଚ ଭରଣା କରିବାକୁ ନିଷ୍ପତ୍ତି ନେଇଛି। ସେମାନେ ସର୍ବନିମ୍ନ ଯିବା ଆସିବା ବିମାନ ଭଡ଼ା ପାଇବେ। ଏସବୁ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନିମନ୍ତେ ଯିବା ଆସିବାର ସୁବିଧା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ସେମାନଙ୍କୁ ଇ-ସମନ୍ ଲେଟର ମାଧ୍ୟମରେ ନିୟନ୍ତ୍ରିତ କିମ୍ବା କଟକଣା ଲାଗୁ ହୋଇଥିବା ଅଞ୍ଚଳରୁ ଯିବା ଆସିବାର ସୁବିଧା ମିଳିବ। ପରୀକ୍ଷାର୍ଥୀଙ୍କ ରହଣି ଓ ଦିଲ୍ଲୀରେ ୟୁପିଏସ୍ସି ଅଫିସକୁ ଯିବା ଆସିବାର ବନ୍ଦୋବସ୍ତ କରାଯାଇଛି। ୟୁପିଏସ୍ସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଏକ ସିଲ୍ଡ କିଟ୍ ଦିଆଯିବ। ଏଥିରେ ଫେସ୍ ମାସ୍କ, ଫେସ୍ ସିଲ୍ଡ, ଗୋଟିଏ ସାନିଟାଇଜର ବୋତଲ ଓ ହ୍ୟାଣ୍ଡ ଗ୍ଲୋଭ୍ସ ରହିଛି। ଇଣ୍ଟରଭ୍ୟୁ ବୋର୍ଡରେ ବରିଷ୍ଠ ବିଶେଷଜ୍ଞ ରହୁଥିବାରୁ ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ୟୁପିଏସ୍ସି ସବୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରିଛି। ୟୁପିଏସ୍ସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ବ୍ୟବହାର କରିବାର ବ୍ୟବସ୍ଥା ହୋଇଛି। ଦପ୍ତରର ସମସ୍ତ କୋଠରୀ, ହଲ୍, ଆସବାବପତ୍ର, ଉପକରଣ ଆଦିକୁ ନିୟମିତ ବିଶୋଧନ କରାଯାଉଛି। ଯେଉଁଠି ପରୀକ୍ଷାର୍ଥୀ ବସିବେ ସେଠାରେ ଶାରୀରିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ସାକ୍ଷାତ୍କାର ସମୟରେ କି ପ୍ରକାର ସୁରକ୍ଷା ବିଧି ପାଳନ କରାଯିବ ସେ ବିଷୟରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/upsc.jpg)