ଅର୍ବାନ ବ୍ୟାଙ୍କ ସିଇଓ ନିଯୁକ୍ତିକୁ ନେଇ ବିବାଦ, ବିଜ୍ଞପ୍ତି ଜାରି ହେବା ଦିନ ଖାରଜ

କଟକ: କଟକ ଅର୍ବାନ କୋ’ପରେଟିଭ ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ (ସିଇଓ) ପଦବିରେ ନିଯୁକ୍ତିକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ସିଇଓ (ଭାରପ୍ରାପ୍ତ) ନିଯୁକ୍ତିକୁ ନେଇ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ‌ ହିଁ ତାହାକୁ ରେଜିଷ୍ଟ୍ରାର କୋ’ପରେଟିଭ ସୋସାଇଟି ଖାରଜ କରି ଦେଇଛନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ପରିଚାଳନା ପରିଷଦ ‌ଏକପ୍ରକାର ହଟହଟା ହୋଇଛି। କିନ୍ତୁ ରେଜିଷ୍ଟ୍ରାର କୋ’ ପରେଟିଭ ସୋସାଇଟିଙ୍କ ପରାମର୍ଶକୁ ନଜର ଅନ୍ଦାଜ କରି ପରବର୍ତ୍ତୀ ସମୟରେ ଜଣେ କନିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେବା ଘଟଣାକୁ ନେଇ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସ୍ତରରେ ଟଣା ଓଟରା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ ବ୍ୟାଙ୍କର ଅନ୍ୟତମ ମହା ପ୍ରବନ୍ଧକ ଆକୁଳ ସ୍ବାଇଁ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଅବସର ନେବାକୁ ଯାଉଥିବା ବେଳେ ନଭେମ୍ବର ୩୦ ତାରିଖରେ ବ୍ୟାଙ୍କ ପରିଚାଳନା ପରିଷଦ ପକ୍ଷରୁ ଶ୍ରୀ ଆକୁଳ ସ୍ବାଇଁଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ସେହିଦିନ ରେଜିଷ୍ଟ୍ରାର କୋ’ପରେଟିଭ ସୋସାଇଟିଙ୍କ କାର୍ଯ୍ୟାଳୟରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏକ ଚିଠି (ନଂ ଏକ୍ସଏକ୍ସଆଇ-୪୬/୧୧-୨୧୧୫୦) ‌ମିଳିଥିଲା। ସେଥିରେ ଶ୍ରୀ ସ୍ବାଇଁଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରାଯିବା ସହ ରିଜର୍ଭ ବ୍ୟାଙ୍କ ଗାଇଡ ଲାଇନ ଅନୁଯାୟୀ ବ୍ୟାଙ୍କର ସବୁଠୁ ବରିଷ୍ଠ ଯୋଗ୍ୟତମ ବ୍ୟକ୍ତିଙ୍କୁ ଏହି ଦାୟିତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପଟେ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩ ତାରିଖରେ ସହକାରୀ ମହାପ୍ରବନ୍ଧକ ସୁକଦେବ ସ୍ବାଇଁଙ୍କୁ ଭାରପ୍ରାପ୍ତ ସିଇଓ ଭାବେ ଦାୟିତ୍ବ ପ୍ରଦାନ କରାଯିବା ସଂପର୍କିତ ବିଜ୍ଞପ୍ତି ଜାରି କରାଗଲା। ବ୍ୟାଙ୍କରେ ମହାପ୍ରବନ୍ଧକ ପଦବିରେ ଅନ୍ୟ ବରିଷ୍ଠ ଅଧିକାରୀ ରହିଥିବା ବେଳେ ଏଭଳି ମନୋନୟନର ଯଥାର୍ଥତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଗୋଟିଏ ପଟେ ଶ୍ରୀ ସ୍ବାଇଁଙ୍କ କାର୍ଯ୍ୟକାଳ ତରବରିଆ ଭାବେ ବୃଦ୍ଧି କରି ହଟହଟା ହେବା ଏବଂ ପରବର୍ତ୍ତୀ ସମୟରେ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେବା ଘଟଣାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ସହ କେତେକ ଅଂଶୀଦାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ବିବାଦୀୟ ନିଷ୍ପତ୍ତି ବିରୋଧରେ ଅଦାଲତର ଦ୍ବାରସ୍ଥ ହେବେ ବୋଲି କେତେକ ଅଂଶୀଦାର ସୂଚନା ଦେଇଛନ୍ତି। କିନ୍ତୁ ଏ ସଂପର୍କରେ ବ୍ୟାଙ୍କର ସଭାପତି ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶ୍ରୀ ସ୍ବାଇଁଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଖାରଜ ହେଇଯିବା ପରେ ତାହାକୁ ତୁରନ୍ତ ବଦଳାଇ ନୂଆ ଅଧିକାରୀ ନିଯୁକ୍ତ କରାଯାଇଛି। ବ୍ୟାଙ୍କର ଯେଉଁ ବରିଷ୍ଠ ଅଧିକାରୀ ବର୍ତ୍ତମାନ ଅଛନ୍ତି, ତାଙ୍କୁ ଆର୍ଥିକ କାରବାର ଓ ଅସୁଲ ଦାୟିତ୍ବ ନଦେବା ପାଇଁ ଅଦାଲତ କଟକଣା ରହିଛି। ତେଣୁ ବାଧ୍ୟ ହୋଇ ଆମେ ଜଣେ କନିଷ୍ଠ ଅଧିକାରୀଙ୍କୁ ଭାରପ୍ରାପ୍ତ ସିଇଓ ଦାୟିତ୍ବ ଦେଇଛୁ। ଜଣେ ଯୋଗ୍ୟ ତଥା ବରିଷ୍ଠ ଅଧିକାରୀ ଦେବା ପାଇଁ ମଧ୍ୟ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖିଛୁ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର