କରୋନାରେ ବିଗିଡ଼ିଛି ସହରାଞ୍ଚଳ ପିଲାଙ୍କ ପାଠପଢ଼ା: ବାଧ୍ୟତାମୂଳକ ଶିକ୍ଷାରୁ ୫୭% ବଞ୍ଚିତ

୬୬% ରାସ୍ତାପାର୍ଶ୍ବ ପିଲାଙ୍କ ରାସନ୍‌ କାର୍ଡ ନାହିଁ
ସହରରେ ଅସୁରକ୍ଷିତ ମଣୁଛନ୍ତି ୧୮% ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ବଦଳାଇ ଦେଇଛି ପିଲାଙ୍କ ପାଠପଢ଼ା। କେବଳ ଯେ ଗ୍ରାମାଞ୍ଚଳ, ଉପାନ୍ତ କିମ୍ବା ପଛୁଆ ଅଞ୍ଚଳର ପିଲା ପ୍ରଭାବିତ ହୋଇଛନ୍ତି ତାହା ନୁହେଁ; ବରଂ ସହରାଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବି ପ୍ରଭାବିତ ହୋଇଛନ୍ତି। କରୋନା ସମୟରେ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା ପରି ସହରର ୬ରୁ ୧୪ବର୍ଷ ବୟସର ୫୭ପ୍ରତିଶତ ଛାତ୍ରଛାତ୍ରୀ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ୧୭% ଛାତ୍ରଛାତ୍ରୀ ଅସୁରକ୍ଷିତ ସ୍ଥାନରେ ଏକାକୀ ରହୁଛନ୍ତି ଏବଂ ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅନ୍ୟ ରାଜ୍ୟକୁ ପଳାଇଛନ୍ତି। ୟୁନିସେଫ୍‌, ସେଭ୍‌ ଦି ଚିଲଡ୍ରେନ୍‌ ଓ ଚାଇଲ୍ଡ ଲାଇନ୍‌ ସହଯୋଗରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁ‌ରକ୍ଷା ଆୟୋଗ(ଓଏସ୍‌ସିପିସିଆର) ପକ୍ଷରୁ କରାଯାଇଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Design Online

ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି; ରାସ୍ତାପାର୍ଶ୍ବର ୪୭% ପିଲା ପାଞ୍ଚବର୍ଷରୁ ଅଧିକ ସମୟ ଧରି ସହରରେ ରହୁଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କିମ୍ବା ପୁନଃଥଇଥାନ କରାଯାଇନାହିଁ। ଅବହେଳିତ ତଥା ରାସ୍ତାପାର୍ଶ୍ବ ଲୋକଙ୍କ ରହିବା ପାଇଁ ସହରଗୁଡ଼ିକରେ ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ମାତ୍ର ଦେଖାଯାଇଛି ଯେ ୫୬% ପିଲା ଅଧିକ ସୁରକ୍ଷା ପାଇଁ ବାସସ୍ଥାନ ସ୍ଥାନାନ୍ତର କରିଛନ୍ତି। ବହୁ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କ ସହ ରୁହନ୍ତି। ଏହି ପିଲାଙ୍କର ପିତାମାତା ଦିନମଜୁରିଆ, ଲଗେଜ୍‌ ଉଠାନ୍ତି, ଘରୋଇ କାମ, ଭିକ୍ଷାବୃତ୍ତି କରିବା, ଷ୍ଟ୍ରିଟ୍ ଭେଣ୍ଡିଂ ଆଦି କାର୍ଯ୍ୟ କରି ମାସିକ ହାରାହାରି ଆୟ ୧ରୁ ୫ ହଜାର ଟଙ୍କା ପାଇଥା’ନ୍ତି। ଯାହାଦ୍ବାରା ସେମାନେ ନିଜ ପିଲାଙ୍କ ଠିକ୍‌ ଭାବେ ଯତ୍ନ ନେଇପାରନ୍ତି ନାହିଁ। ଦେଶବ୍ୟାପୀ ଲକ୍‌ଡାଉନ୍‌ ସମୟରେ ସେମାନଙ୍କ ଜୀବିକା ନିର୍ବାହ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କୌଣସି କାମ ମିଳି ନ ଥିଲା। ଭିକ୍ଷାବୃତ୍ତି ବି କରିପାରି ନଥିଲେ। ରାସ୍ତାପାର୍ଶ୍ବର ପ୍ରାୟ ୬୬% ପିଲାଙ୍କର ରାସନ କାର୍ଡ ନାହିଁ। ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପରିବାରର ୫୫% ଲୋକ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ସମୟରେ ସରକାରୀ ରିଲିଫ୍ ପାଇବାକୁ ବଞ୍ଚିତ ହୋଇଛନ୍ତି।

କୋଭିଡ୍‌-୧୯ ସମ୍ପର୍କରେ ୮୭% ପିଲା ଅବଗତ ଥିଲେ। ପ୍ରତିରୋଧକ ନିୟମ ଯେପରିକି ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ଉପରେ ପ୍ରାଥମିକତା ଦେଉଥିଲେ। ମାତ୍ର ସେମାନଙ୍କ ନିକଟରେ ମାସ୍କ କିମ୍ବା ସାବୁନ୍‌ ପାଇଁ ଅର୍ଥ ନ ଥିଲା। କରୋନା ସମୟରେ ଘରୋଇସ୍ତରରେ ପିଲାଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳି ନ ଥିଲା। ସର୍ଭେ ବେଳେ ଜଣାପଡ଼ିଥିଲା ଯେ ୩୭% ଉତ୍ତରଦାତା କେବେ ବି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି। ୧୭% ପିଲା ସ୍କୁଲ ଛାଡ଼ିଛନ୍ତି। ୬ରୁ ୧୪ବର୍ଷ ବୟସର ପିଲାଙ୍କ ମଧ୍ୟରୁ ମାତ୍ର ୨୬% ବିଦ୍ୟାଳୟରେ ନାମ ଲେଖାଇବା ସହ କାର୍ଯ୍ୟ କରୁଛନ୍ତି। ରାସ୍ତାପାର୍ଶ୍ବର ୯୧% ପିଲା ଭିକ ମାଗିବା, ବ୍ୟାଗ୍‌ ଉଠାଇବା, ଷ୍ଟ୍ରିଟ୍ ଭେଣ୍ଡିଂ ଆଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୬୮% ପିଲା ଶିଶୁ ଓ କିଶୋର ଶ୍ରମ ସୁରକ୍ଷା ଓ ନିଷେଧ ଆଇନ ଉଲ୍ଲଂଘନ କରୁଛନ୍ତି। ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ରାସ୍ତାପାର୍ଶ୍ବରେ ରହୁଥିବାରୁ ୧୮% ଛାତ୍ରଛାତ୍ରୀ ନିଜକୁ ଅସୁରକ୍ଷିତ ମଣିଛନ୍ତି। ସେମାନଙ୍କ ମଧ୍ୟରେ ଯୌନଶୋଷଣର ଭୟ ପ୍ରକାଶ ପାଇଛି। ସହରରେ ମଦ୍ୟପଙ୍କ ଉତ୍ପାତ, ଡକାୟତି ଆଦି ଭୟ ମଧ୍ୟ ରହିଥିଲା।

ସମ୍ବନ୍ଧିତ ଖବର