ବାଲେଶ୍ବର: ସହରର ରୋଡ୍ ଡିଭାଇଡର ଭିତରେ ଲାଗିଥିବା ବିଭିନ୍ନ ପ୍ରକାର ଗଛ ପାଣି ନପାଇ ମରିଗଲାଣି। ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଗୋରୁଗାଈ ପଶି ଏହା ଉପରେ ଶୋଇଥିବାର ଦେଖିବାକୁ ମିଳିଛି। ଯଦିଓ ଗଛଗୁଡ଼ିକ ଗୋରୁଗାଈ ଖାଉନାହାନ୍ତି, ହେଲେ ସୁରକ୍ଷା ବାଡ଼ ନଥିବାରୁ ଏହା ଭିତରେ ପଶି ଗାଈଗୋରୁ ନଷ୍ଟ କରୁଛନ୍ତି। ଏବେ ଅଧିକାଂଶ ଗଛ ସବୁ ମାଟିରେ ମିଶିଗଲାଣି। ସହରର ପ୍ରବେଶ ଦ୍ବାରରୁ ଏହି ଦୃଶ୍ୟ ରାଜନେତାଠୁ ପ୍ରଶାସନ ସମସ୍ତେ ଦେଖୁଛନ୍ତି, ହେଲେ ଏହାର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ଶୂନ୍‌। ଗୋଟିଏ ପଟେ ସହରର ରୂପରଙ୍ଗ ବଦଳିବା ପାଇଁ ବିଭିନ୍ନ ଯୋଜନା ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅନ୍ୟପଟେ ଯେଉଁ ସବୁ ଭିତ୍ତିଭୂମି ରହିଛି ଉଜାଡ଼ି ଦିଆଯାଉଛି।

Advertisment

ସହରର ‌ସୌନ୍ଦର୍ଯ୍ୟକରଣ ପାଇଁ ତାମୁଳିଆରୁ ଷ୍ଟେସନ୍‌ ଛକ ରାସ୍ତା ସହିତ ବିଭିନ୍ନ ଡିଭାଇଡର ଭିତରେ ଅନେକ ଅନୁଷ୍ଠାନ ତରଫରୁ ଗଛ ଲଗାଯାଉଛି। ଗତବର୍ଷ ମଧ୍ୟ ରୋଡ୍‌ ଡିଭାଇଡର ଭିତରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲକ୍ଷାଧିକ ଟଙ୍କାର ଗଛ ସବୁ ଲଗାଯାଇଥିଲା। ଗଛ ଗୁଡ଼ିକ ବଡ଼ ହୋଇ ଫୁଲ ଫୁଟିବା ମଧ୍ୟ ଆରମ୍ଭ କରିଥିଲା। ସହରର ସୌନ୍ଦର୍ଯ୍ୟକୁ ଏହା ଦ୍ବିଗୁଣିତ କରୁଥିଲା। ଏପରି ପଦକ୍ଷେପକୁ ଦେଖି ସମସ୍ତେ ଖୁସି ହେଉଥିଲେ ଏବଂ ଉକ୍ତ ସଂଗଠନକୁ ପ୍ରଶଂସା କରୁଥିଲେ। ଏବେ କାଁ ଭାଁ ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଜାଗାରେ ଗଛ ନିଶ୍ଚିହ୍ନ ହୋଇଗଲାଣି।

ପ୍ରକୃତି ଦାନରୁ ଯେତିକି ଦିନ ଏହି ଗଛ ଗୁଡ଼ିକ ପାଣି ପାଇ ବଂଚିରହିଲା, ଗ୍ରୀଷ୍ମ ଦିନରେ କିନ୍ତୁ ଏହାର କେହି ରକ୍ଷଣାବେକ୍ଷଣ କଲେ ନାହିଁ। ଯେତିକି ଗଛ ଥିଲା ଖରାରେ ପାଣି ନପାଇ ମରିବାକୁ ଆରମ୍ଭ କଲାଣି। ଅନ୍ୟପକ୍ଷରେ ସଂଗଠନର ସଦସ୍ୟମାନେ ଡିଭାଇଡର ଭିତରେ ଗଛ ଲଗାଇଦେଲେ। କିନ୍ତୁ ଏହାକୁ ବଞ୍ଚେଇ ରଖିବାକୁ ପ୍ରୟାସ କଲେନି। ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ ରକ୍ଷଣାବେକ୍ଷଣ କରାଯାଉନାହିଁ। ଯଦିଓ ବର୍ଷା ଦିନରେ ପାଣି ଦେବାର କୌଣସି ଆବଶ୍ୟକ ନାହିଁ, ହେଲେ ଖରା ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା କଥା। ହେଲେ ପୌରପାଳିକା ନା ଜିଲ୍ଲା ପ୍ରଶାସନ କାହାର ନିଘା ନାହିଁ। ସହରର ସବୁ ଡିଭାଇଡର ଭିତରେ ଏପରି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ନପାଇ ଶତାଧିକ ଗଛ ମରିଯିବା ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।