ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ୯୦% ଅର୍ଥ ଖର୍ଚ୍ଚ ନିର୍ଦ୍ଦେଶ, ‘ଆମ କ୍ଲିନିକ’ରେ ବିଶେଷଜ୍ଞ ଡାକ୍ତର ବ୍ୟବସ୍ଥା

ଭୁବନେଶ୍ୱର: ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନୟୁଏଚଏମ)ରେ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତିି। ଯେଉଁ ସବୁ ଜିଲ୍ଲାରେ ଏହି ଯୋଜନାରେ କମ ଅର୍ଥ ଖର୍ଚ୍ଚ ହୋଇଛି ତୁରନ୍ତ ଯୋଜନା ପ୍ରସ୍ତୁତ କରି ବିନିଯୋଗ ବୃଦ୍ଧି ଲାଗି ସେ ପରାମର୍ଶ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରାଜ୍ୟରେ ହାରାହାରି ୧୯ ପ୍ରତିଶତ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ଢେଙ୍କାନାଳ ଜିଲ୍ଲା ସର୍ବାଗ୍ରେ ଥିବା ବେଳେ କେନ୍ଦ୍ରାପଡ଼ା ସବୁଠାରୁ ପଛରେ ଅଛି।

ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକରେ ଶନିବାର ଯୋଗଦେଇ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ସହରାଂଳରେ ସ୍ୱାସ୍ଥ୍ୟ ସେବାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଜରିଆରେ ଲକ୍ଷ୍ୟଭିତ୍ତିିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଏହାର ସୁଫଳ ଯେପରି ପ୍ରତ୍ୟେକ ବ୍ୟକ୍ତି ପାଇପାରିବେ, ସେଥିପାଇଁ ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ହେବ। ସେ କହିଛନ୍ତି ଯେ ସମସ୍ତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ଗୁଡ଼ିକ କାୟାକଳ୍ପ ପୁରସ୍କାର ପାଇବା ଲାଗି ଲକ୍ଷ୍ୟ ରଖିବା ଉଚିତ । ଏଥି ନିମନ୍ତେ ପ୍ରସ୍ତୁତ ହେବା ଆବଶ୍ୟକ।

ମିଶନ ନିର୍ଦ୍ଦେଶିକା କହିଛନ୍ତି, ଅନ୍ତତଃପକ୍ଷେ ୨୦ ପ୍ରତିଶତ ସହରାଂଚଳ ପିଏଚସି ଲକ୍ଷ୍ୟ ପ୍ରମାଣିକତା ହାସଲ କରିବାର ଆବଶ୍ୟକତା ରହିଛି। ସେହିଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସ୍ୱାସ୍ଥ୍ୟ ଏବଂ ୱେଲନେସ କେନ୍ଦ୍ର ଭାବେ କାମ କରିବା ଉଚିତ। ପ୍ରତ୍ୟେକ ସହରରେ ପରିମଳ ବା ସଫେଇ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରିବା ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ତଥା ଏମସିଏଚରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ‘ଆମ କ୍ଲିନିକ’କୁ ନେଇ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର