ପୌରାଞ୍ଚଳ ଆଲୋକୀକରଣ ଦୁର୍ନୀତି: ତଦନ୍ତ ଆଳରେ ଚାପିଦେଲେ!

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ଆଲୋକୀକରଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ତଦନ୍ତ ଆଳରେ ଚାପି ଦିଆଯାଇଛି। ୬ ମାସେ ପୂର୍ବେ ଏହି ଦୁର୍ନୀତିର ତଦନ୍ତ ପାଇଁ ଖୋଦ୍‌ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତଦନ୍ତ ଆଗକୁ ବଢ଼ିପାରିନି କି ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇନି। ପଞ୍ଚାୟତ ଏବଂ ପୌର ନିର୍ବାଚନ କାରଣରୁ ତଦନ୍ତ ଆଗକୁ ବଢ଼ି ପାରିନଥିବା କେନ୍ଦୁଝର ଉପଜିଲ୍ଲାପାଳ କହିଛନ୍ତି।

ଓଡ଼ିଶାର ଅନ୍ୟ ପୌରାଞ୍ଚଳ ପରି କେନ୍ଦୁଝରଗଡ଼ ପୌରପାଳିକାରେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍ ଲାଗିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କର ‘ସୁଡା’( ଷ୍ଟେଟ୍ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି) ପକ୍ଷରୁ କେନ୍ଦୁଝରଗଡ଼ ପୌରପାଳିକା ସହିତ ୨୦୧୭ ଅଗଷ୍ଟ ୩୦ ତାରିଖରେ ଏନର୍ଜି ଏଫି‌ସିଏନ୍ସି ସର୍ଭିସ ଲିମିଟେଡ (ଏସେଲ) ଚୁକ୍ତିନାମା କରିଥିଲା। ଏହାପରେ ଏସେଲ ଉକ୍ତ କାମକୁ ଆସ୍ଥା ଇଲେକ୍ଟ୍ରିକାଲ ନାମକ ଏକ ଠିକାସଂସ୍ଥାକୁ ୨୦୧୮ ଡିସେମ୍ବର ୧୮ ତାରିଖରେ ସବଲେଟ୍‌ରେ ଦେଇଥିଲା। ଯୋଜନା ଅନୁସାରେ, କେନ୍ଦୁଝରଗଡ଼ ପୌରାଞ୍ଚଳର ମୋଟ ୨୧ଟି ୱାର୍ଡରେ ଆଲୋକୀକରଣ ବ୍ୟବସ୍ଥା ହୋଇଥିଲା। କାର୍ଯ୍ୟ ସରିବା ପରେ ପୌରପାଳିକା ପକ୍ଷରୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ପୌରାଞ୍ଚଳ ପ୍ରଶାସନର ନି‌ର୍ଦ୍ଦେଶକଙ୍କୁ ଏକ ଆସେଟ୍ କ୍ରିଏସନ ରିପୋର୍ଟ ୨୦୨୦ ସେପ୍‌ଟେମ୍ବର ୧୫ ତାରିଖରେ ଦିଆଯାଇଥିଲା। ଯେଉଁ ରିପୋର୍ଟରେ ଆଲୋକୀକରଣର ସମସ୍ତ ତଥ୍ୟ ରହିଥିଲା। ଏହି ରିପୋର୍ଟ ଅନୁସାରେ କିନ୍ତୁ କେନ୍ଦୁଝରରେ ଆଲୋକୀକରଣ କାର୍ଯ୍ୟ ହୋଇନଥିବା
ନେଇ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା।

ଏଥିସହ ଆନନ୍ଦପୁର , ଯୋଡା, ବଡ଼ବିଲ ପୌରପାଳିକା ଏବଂ ଚମ୍ପୁଆ ଏନ୍‌ଏସିରେ ସମାନ ଢଙ୍ଗରେ ଆଲୋକୀକରଣ ଦୁର୍ନୀତି ହୋଇଥିବା ନଜରକୁ ଆସିଥିଲା। ଏମିତିକି ଆନନ୍ଦପୁର ପୌରପାଳିକା‌ରେ ନେସ୍କୋ ଏସ୍‌ଡିଓଙ୍କ ଜାଲ୍ ଦସ୍ତଖତରେ ସରକାରଙ୍କୁ ଆସେ୍‌ଟ କ୍ରିଏସନ ରିପୋର୍ଟ ଯାଇଥିବା ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦୁଝରଗଡ଼ ପୌରଞ୍ଚଳରେ ଆଲୋକୀକରଣ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ । ଚିଠି ନଂ ୧୩୬୬ ତା ୦୧.୧୨.୨୦୨୧ରେ ଜିଲ୍ଲାପାଳଙ୍କୁ ତଦନ୍ତ ଆଦେଶ କରି ୭ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଚିଠି ନଂ ୧୧୯୯ ତା ୧୩/୧୨/୨୦୨୧ରେ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦୁଝର ସଦର ଉପଜିଲ୍ଲାପାଳଙ୍କୁ ଆଦେଶ କରିଥିଲେ। ସଦର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଚିଠି ନଂ ୭୬୪୪ରେ ଏ ସମ୍ପର୍କିତ ସମସ୍ତ ଦଲିଲ ଦାଖଲ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ଏଭଳି ତଦନ୍ତ ଆଦେଶ ଦେବାର ୬ ମାସ ବିତିଗଲାଣି, ମାତ୍ର ତଦନ୍ତ ଅଗକୁ ବଢ଼ୁନି।

ବିଶ୍ବସ୍ତ ସୂତ୍ରରୁ ମିଳିଥବ‌ା ସୂଚନା ଅନୁସାରେ, ଗତ କିଛିଦିନ ତଳେ ପୌର ଅଧିକାରୀ ଏହି ଆଲୋକୀକରଣ ସଂପର୍କିତ କାଗଜପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ତେବେ କାଗଜପତ୍ର ମିଳିବା ପରେ ଏହା ଉପରେ ଅଧିକ ତଦନ୍ତ କରଯାଇ ନାହିଁ। ଏ ସଂପର୍କରେ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ଯୋଗାଯୋଗ କରାଯିବାରୁ ନିର୍ବାଚନ ପାଇଁ ତଦନ୍ତ ଆଗେଇ ପାରିନାହିଁ। ତେଣୁ ଏବେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର