ବାସୁଦେବପୁର: ଭଦ୍ରକଜିଲ୍ଲା ବାସୁଦେବପୁର ପୌରପାଳିକାକୁ ଆଲୋକୀକରଣ କରିବାକୁ ଗତବର୍ଷ ଫେବ୍ରୁଆରି ମାସରେ ପ୍ରାୟ ୩ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହାମଧ୍ୟରେ ବର୍ଷକରୁ ଅଧିକ ସମୟ ବିତିଗଲାଣି, କେବଳ ଖୁଣ୍ଟପୋତି ପୌର ପ୍ରଶାସନ ହାତଗୋଡ଼ ବାନ୍ଧି ବସିଛି। ପୌର ପ୍ରଶାସନ କାମ ଆରମ୍ଭ ହୋଇଛି ବୋଲି କହୁଥିବା ବେଳେ ସହରରେ କେଉଁଠି ବି ଫଳକ ଲାଗିଥିବା ଦେଖିବାକୁ ମିଳିନି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।
ପୌର ପ୍ରଶାସନର ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବାସୁଦେବପୁର ସହରକୁ ଆଲୋକୀକରଣ କରିବାକୁ ରାଜ୍ୟ ସରକାର ୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏ ନେଇ ଟେଣ୍ଡର ହେବା ପରେ ବଜାଜ କମ୍ପାନି କାର୍ଯ୍ୟାଦେଶ ପାଇଥିଲା। ଜାମୁଝାଡ଼ି-ଧାମରା ରାସ୍ତାର କୋଷ୍ଟ କେନାଲ ଛକରୁ ସହର ମଧ୍ୟଦେଇ ସୁଲପାଟ ଛକ ଯାଏଁ ପ୍ରାୟ ୮.୫ କିମି ପର୍ଯ୍ୟନ୍ତ ଖୁଣ୍ଟ ପୋତିବାକୁ ଠିକା ସଂସ୍ଥା କାମ ଆରମ୍ଭ କରିଥିଲା। ଏ ବାବଦରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଖୁଣ୍ଟ ଆଣି ରାସ୍ତା ପାର୍ଶ୍ବରେ ୧୦ରୁ ୧୨ଟି ଜାଗାରେ ଗଦା କରିଥିଲା ଠିକାସଂସ୍ଥା। ଏହାମଧ୍ୟରେ ବର୍ଷକରୁ ଅଧିକ କାଳ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରିଲା ନାହିଁ। ଫଳରେ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଖୁଣ୍ଟ ଅଧାରୁ ଅଧିକ ଉଭାନ୍ ହୋଇଗଲାଣି। ଏସବୁ କେହି ଚୋରି କରି ନେଉଥିବା ଚର୍ଚ୍ଚା ହେଉଛି।
ଉଭାନ୍ ହୋଇଗଲାଣି ଅର୍ଦ୍ଧାଧିକ ଖୁଣ୍ଟ
ତଥ୍ୟ ଦେବାକୁ ପୌର ପ୍ରଶାସନ କୁନ୍ଥକୁନ୍ଥ
ଅନ୍ୟପଟେ ଧାମରା ବନ୍ଦରକୁ ଯାଉଥିବା ଲୁହାପଥର ଟ୍ରକ୍ ଚଢ଼ିଯିବାରୁ ବହୁ ଖୁଣ୍ଟ ଭାଙ୍ଗିରୁଜି ଯାଇଛି। କିନ୍ତୁ ଖୁଣ୍ଟ ପୋତିବାକୁ ଏଯାଏଁ ଗୋଟିଏ ବି ଗାତ ଖୋଳାଯାଇନି। ଅନ୍ୟପଟେ ସହର ଆଲୋକୀକରଣ ହେବା ନେଇ ନିର୍ବାଚନ ପୂର୍ବରୁ ବହୁ ନେତା ବାହାବା ନେଲେ। ଏହାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାରି ହେବାକୁ ବିଜେଡି ନେତା ମଧ୍ୟ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବର୍ଷେ ପରେ ବି ସହରବାସୀ ଯେଉଁ ଅନ୍ଧାରକୁ ସେହି ଅନ୍ଧାର ମଧ୍ୟରେ କାଳାତିପାତ କରୁଛନ୍ତି। ଅନ୍ଧାର ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ଯୋଗୁ ସହର ମଧ୍ୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ପୌର ପ୍ରଶାସନର ଦାୟିତ୍ବହୀନତାକୁ ନେଇ ସମଗ୍ର ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ସୁଧାଂଶୁ ଶେଖର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଟେଣ୍ତର ପରେ କାମ ଆରମ୍ଭ ହୋଇଛି। ଠିକାଦାର ବିଲ୍ ବାବଦକୁ କିଛି ଅର୍ଥ ବି ଉଠାଇଛନ୍ତି। ତେବେ କେତେ ଟଙ୍କାର ପ୍ରକଳ୍ପ ଓ କେତେ ଟଙ୍କା ଠିକା ସଂସ୍ଥା ଉଠାଇଛନ୍ତି ବୋଲି ପଚାରିବାରୁ ସେ ସଂପର୍କରେ କିଛି କହିବାକୁ ସେ କୁଣ୍ଠାବୋଧ କରିଥିଲେ। କେବଳ ‘ଦେଖିବା’ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/05/OUGLXvWni63rSn6CPZm7.jpg)