ତୃତୀୟ ଲହରରେ ଘାଣ୍ଟି ହୋଇଛନ୍ତି ସହରାଞ୍ଚଳ ଲୋକ

ସହରରେ ୫୫%, ଗ୍ରାମାଞ୍ଚଳରେ ୪୫% ଲୋକ ସଂକ୍ରମିତ
ମାର୍ଚରେ ଶତ ପ୍ରତିଶତ ନମୁନାରେ ଓମିକ୍ରନ୍
ଦୁଇ ମାସରେ ୪ ଗୁଣ ବଢ଼ିଲା ଓମିକ୍ରନ୍

ଭୁବନେଶ୍ୱର : କରୋନାର ତୃତୀୟ ଲହରରେ ସହରାଞ୍ଚଳ ଲୋକ ଅଧିକ ଘାଣ୍ଟି ହୋଇଛନ୍ତି। ବ୍ୟାପକ ଟିକାକରଣ, ସଚେତନତା ଓ ସେରୋ ସର୍ଭେରେ ଭଲ ସ୍ଥିତି ସତ୍ତ୍ବେ ଏଠାରେ ରହୁଥିବା ଲୋକମାନେ କରୋନାରୁ ବର୍ତିପାରି ନାହାନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର କିନ୍ତୁ ରାଜ୍ୟରେ ଶିଶୁଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇନାହିଁ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସହରରୁ ୧,୨୫,୭୦୬ ଲୋକ ଓ ଗ୍ରାମାଞ୍ଚଳରେ ୧,୦୪,୩୬୮ ଲୋକ ଫେବ୍ରୁଆରି ଶେଷ ସୁଦ୍ଧା ସଂକ୍ରମିତ ହୋଇଛନ୍ତି। ସମୁଦାୟ ସଂକ୍ରମିତ ଜନସଂଖ୍ୟାର ଏହା ୫୫% ଓ ୪୫%। ବୟସ ଭିତ୍ତିରେ ଅନୁଶୀଳନ କଲେ ୦-୧୮ବର୍ଷରେ ୨୯,୮୧୯ଜଣ ବା ୧୩%, ୧୯-୪୦ବର୍ଗର ୪୯%, ୪୧-୬୦ବର୍ଷର ୨୭% ଓ ୬୦ବର୍ଷରୁ ଅଧିକ ୧୦ % ଲୋକ ସଂକ୍ରମିତ ହୋଇଛନ୍ତି। ୬୦% ବା ୧,୩୮,୬୪୧ ପୁରୁଷ ଓ ୯୧,୪୨୯ ବା ୪୦% ମହିଳାଙ୍କୁ କରୋନା ଆକ୍ରାନ୍ତ କରିଛି। ସେହିପରି ଫେବ୍ରୁଆରି ଶେଷ ସୁଦ୍ଧା ରାଜ୍ୟରେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୦-୧୮ବର୍ଷର ୫%, ୧୯-୪୦ବର୍ଷର ୮୯ ବା ୧୪%, ୪୧-୬୦ବର୍ଷର ୧୭୭ଜଣ ବା ୨୯% ଓ ୬୦ବର୍ଷରୁ ଅଧିକ ୩୧୯ଜଣ ବା ୫୨ % କରୋନାର ଶିକାର ହୋଇଛନ୍ତି। ଅନ୍ୟ ଦୁଇ ଲହର ଭଳି ତୃତୀୟ ଲହରରେ ମଧ୍ୟ ୬୦ବର୍ଷରୁ ଅଧିକ ଲୋକମାନେ କରୋନାରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

Moneycontrol

ଚଳିତମାସରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌)ରେ ଜିନୋମ ସିକ୍ବେନ୍ସିଂ ହୋଇଥିବା ନମୁନାରେ କେବଳ ଓମିକ୍ରନ୍ ପ୍ରଜାତି ହିଁ ଚିହ୍ନଟ ହୋଇଛି। ଜାନୁଆରି ମାସ ବେଳକୁ ରାଜ୍ୟର ମାତ୍ର ୨୫% ନମୁନାରେ ଓମିକ୍ରନ୍ ପ୍ରଜାତି ‌ଚିହ୍ନଟ ହୋଇଥିବା ବେଳେ ଗତ ଦୁଇ ମାସରେ ଏହା ୪ଗୁଣ ବୃଦ୍ଧି ପାଇଛି। ଘାତକ ଡେଲ୍‌ଟା ପ୍ରଜାତିକୁ ଅପସାରଣ କରିବାରେ ଓମିକ୍ରନ୍ ସଫଳ ହୋଇଛି। ନିକଟରେ ଆଇଆଇଟି କାନପୁର ଆକଳନ କରିଛି, ଦେଶରେ କରୋନାର ଚତୁର୍ଥ ଲହର ଜୁନ୍ ମାସରେ ଆସିପାରେ। କିନ୍ତୁ ରାଜ୍ୟରେ ଏବେ ଶତ ପ୍ରତିଶନ ନମୁନାରେ ଓମିକ୍ରନ୍ ଚିହ୍ନଟ ହୋଇଥିବାରୁ କରୋନାର ଆଉ ଏକ ଲହର ଆସିବାର ଆଶଙ୍କା କିଛିମାସ ପାଇଁ ଟଳିଯାଇଥିବା ବିଶେଷଜ୍ଞମାନେ ମତ ରଖୁଛନ୍ତି।

ଫେବ୍ରୁଆରି ୨୮ ତାରିଖରୁ ମାର୍ଚ ୫ତାରିଖ ଭିତରେ ରାଜ୍ୟର ୧୨ଟି ଜିଲ୍ଲାରୁ ୧୬୬ଟି ନମୁନାର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା। ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। ସୋନପୁର ଜିଲ୍ଲାରୁ ସର୍ବାଧିକ ୪୯ ନମୁନାରୁ ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨, ସୁନ୍ଦରଗଡ଼ରେ ୪୩, ଝାରସୁଗୁଡ଼ା ୨୦, ଦେବଗଡ଼ ୧୧, ଜଗତସିଂହପୁର ଓ କନ୍ଧମାଳରେ ୧୦ ଲେଖାଏଁ ରହିଛି। କରୋନାର ଦ୍ବିତୀୟ ଓ ତୃତୀୟ ଲହରରେ ଘାତକ ଡେଲ୍‌ଟା ପ୍ରଜାତି ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିଲା। ବିଶେଷଜ୍ଞଙ୍କ ମତରେ ଯଦି କରୋନାର କୌଣସି ନୂଆ ପ୍ରଜାତି ନ ଆସେ ତାହ‌ାଲେ ଧୀରେ ଧୀରେ ଏହା ଏଣ୍ଡେମିକ୍ ବା ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଆଇଏଲଏସ୍‌ର ଅଧିକାରୀଙ୍କ ମତରେ, ନିୟମିତ ବ୍ୟବଧାନରେ ଆରଟି-ପିସିଆର ପଜିଟିଭ୍ ନମୁନାକୁ ଜିନୋମ ସିକ୍ବେନ୍ସିଂ କରିବା ଲାଗି ପଠାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

ରାଜ୍ୟରେ ତୃତୀୟ ଲହରରେ ଗତ ୩ମାସ ପରେ ଦୈନିକ ସଂକ୍ରମଣ ଶହେ ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ ଜିଲ୍ଲାରେ ଶୂନ ଆକ୍ରାନ୍ତ ରହିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୬ହଜାର ୫୪୦କୁ ବୃଦ୍ଧି ପାଇଛି। ଆଉ ୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୯୧୦୮କୁ ବୃଦ୍ଧି ପାଇଛି। ସେହିଭଳି ଆଉ ୧୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧୪କୁ ଖସି ଆସିଛି।

ସମ୍ବନ୍ଧିତ ଖବର