କଂଗ୍ରେସର ଶୋଚନୀୟ ପ୍ରଦର୍ଶନ; ବିଜେଡି ପାଇଁ ଗଞ୍ଜାମ ଚିନ୍ତା
ବାଚସ୍ପତି, ଉପବାଚସ୍ପତିଙ୍କ ଅଞ୍ଚଳରେ ବିରୋଧୀଙ୍କ ପତିଆରା
ନବ, ସୁଶାନ୍ତ, ଟୁକୁନି, ଦିବ୍ୟଶଙ୍କରଙ୍କ ଅଞ୍ଚଳରେ ବିଜେଡିକୁ ଝଟ୍‌କା
ତାକତ ଦେଖାଇପାରିଲେନି ୮ ବିଜେପି ସାଂସଦ, ସଭାପତି ବି ଫେଲ୍

Advertisment

ଭୁବନେଶ୍ୱର : ପୌର ନିର୍ବାଚନ ଫଳାଫଳ କେବଳ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଧାରଣ କରିଛି ତା' ନୁହେଁ, ବରଂ ରାଜ୍ୟ ରାଜନୀତିରେ ବହୁ ତୁଙ୍ଗ ନେତାଙ୍କ ପତିଆରା, ସ୍ଥିତି ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ଆଙ୍କିଛି। ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେଡି, ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ବ ଏହାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି; ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ଅଙ୍କକଷା ଚାଲିଛି। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ଓଡ଼ିଶାରେ ପ୍ରଦେଶ କଂଗ୍ରେସ ପାଇଁ ଏବେ ଆତ୍ମସମୀକ୍ଷାର ବେଳ ଆସିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳରେ ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି। ବରଂ ଦଳର ହାତଗଣତି କିଛି ବିଧାୟକଙ୍କ ପ୍ରଦର୍ଶନ ଏ କ୍ଷେତ୍ରରେ ଉଲ୍ଲେଖନୀୟ ରହିଛି। ସେହିପରି ଭାରତୀୟ ଜନତା ପାର୍ଟିର ସମସ୍ତ ଆଠ ଜଣ ସାଂସଦଙ୍କ ଅଞ୍ଚଳରେ ପୌର ଭୋଟ ଖୁସି ହେବା ଭଳି ଆଦୌ ନାହିଁ। ଭୁବନେଶ୍ବର ମହାନଗର ନିଗମରେ ଦଳର ଅତ୍ୟନ୍ତ ପ୍ରଭାବଶାଳୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଝଟ୍‌କା ଲାଗିଛି, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ବି ତାଙ୍କ ଅଞ୍ଚଳରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଏପରିକି ନିଜ ଵାର୍ଡରେ ବିଜେପି ରାଜ୍ୟ ସଭାପତି ବିଜେପିକୁ ସୁରକ୍ଷା ଦେଇନପାରିବା ବିଜେପି ପାଇଁ ଚିନ୍ତାଜନକ ବ୍ୟାପାର।

publive-image

ଆହୁରି ଉଲ୍ଲେଖନୀୟ କଥା ହେଲା, ଶାସକ ଦଳର ଅନେକ ତୁଙ୍ଗ ନେତା, ମନ୍ତ୍ରୀଙ୍କ ପାଇଁ ପୌର ଭୋଟ ବିପର୍ଯ୍ୟୟ ଆଣିପାରେ। ଶାସକ ବିଜୁ ଜନତା ଦଳକୁ ଯେଉଁ ଚିତ୍ରଟି ଚିନ୍ତାରେ ସବୁଠାରୁ ବେଶି ଚିନ୍ତାରେ ପକାଇଥିବ, ତାହା ହେଲା ଦଳର ଗଡ଼ ଗଞ୍ଜାମ ଜିଲ୍ଲାରେ ପ୍ରଦର୍ଶନ ଉଲ୍ଲେଖନୀୟ ହେଲା ନାହିଁ। ଛତ୍ରପୁର, କୋଦଳା, ରମ୍ଭା ତିନିଟି ପୌରାଧ୍ୟକ୍ଷ ପଦ ବିଜେପି ହାତକୁ ଚାଲିଗଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଆସନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜେଡିକୁ କଡ୍ଡା ଟକ୍କର ଦେଲା। କେବଳ ସେତିକି ନୁହେଁ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପଦବି କଂଗ୍ରେସ ହାତକୁ ଯାଇଥିବା ବେଳେ ଜିଲ୍ଲାର ଅନ୍ୟ ଦୁଇ ପ୍ରମୁଖ ଭୋଟ ବ୍ୟାଙ୍କ ପୁରୁଷୋତ୍ତମପୁର ଓ ଗଞ୍ଜାମରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି। ଏଣୁ ବିଜେଡି ମୁଖିଆ ନିଶ୍ଚିତ ଭାବେ ଏହି ଜିଲ୍ଲାର ସବୁ କ୍ଷମତା କେନ୍ଦ୍ର ସଂପର୍କରେ ଆଉ ଥରେ ତର୍ଜମା କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଛନ୍ତି।

ସେହିଭଳି ଅଳ୍ପକେ ଅନୁଗୁଳ ପୌରାଧ୍ୟକ୍ଷ ପଦବି ହାତଛଡ଼ା କରିଥିବା ବିଜେପି କିନ୍ତୁ ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଗଡରେ ପଦ୍ମ ଦଳକୁ ରୋକିପାରିନାହାନ୍ତି। ବିଜେଡିର ଟାଣୁଆ ନେତା ତଥା କରିତକର୍ମା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଝଟ୍‌କା ଲାଗିଛି ବରଗଡରେ। ବରପାଲିରେ ପୌରାଧ୍ୟକ୍ଷ ପଦବି ସ୍ବାଧୀନ ସଭ୍ୟ ଛଡ଼ାଇ ନେଇଛନ୍ତି। ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷ ପଦ ରଖିବାରେ ବିଫଳ ହୋଇଛନ୍ତି। ଜଗତସିଂହପୁରରେ ପୌରାଞ୍ଚଳରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଠାରୁ କଂଗ୍ରେସ ଦଳ ଅଧ୍ୟକ୍ଷ ଆସନ ଝାମ୍ପି ନେଇଥିବା ବେଳେ ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟଙ୍କୁ ସ୍ବାଧୀନ ସଭ୍ୟ ଭାରି ପଡ଼ିଛନ୍ତି। ନିକଟରେ ବ୍ରଜରାଜନଗରରେ ଉପ ନିର୍ବାଚନ ହେବ। ଏହାର ଅବ୍ୟବହିତ ପୂର୍ବରୁ ବେଲପାହାଡ ପୌରାଧ୍ୟକ୍ଷ ପଦବି କଂଗ୍ରେସ ଖାତାକୁ ଯାଇଛି। ମନ୍ତ୍ରୀ ନବ କିଶୋର ଦାସଙ୍କ ପାଇଁ ଏହା ଆଦୌ ଭଲ ଖବର ନୁହେଁ। ପଞ୍ଚାୟତରେ ଦବ୍‌ଦବା ଦେଖାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସହରୀ ଭୋଟର ଝଟ୍‌କା ଦେଇଛନ୍ତି। ଜୁନାଗଡ ଓ ଧର୍ମଗଡ ଅଧ୍ୟକ୍ଷ ପଦରେ ଏବେ ଗେରୁଆ ନେତା ବସିବେ। ଫୁଲବାଣୀ ଅଧ୍ୟକ୍ଷ ପଦ ଓ ବାଲିଗୁଡା ପରିଷଦ ବିଜେପି ହାତରେ। ସମ୍ବଲପୁର ରେଢ଼ାଖୋଲରେ ସରକାରୀ ଦଳ ଉପ ମୁଖ୍ୟସଚେତକ ରୋହିତ ପୂଜାରୀଙ୍କୁ ଝଟ୍‌କା ଲାଗିଛି। ବିଜେପି ହାତରେ ଏବେ ଉଭୟ ପରିଷଦ ଓ ଅଧ୍ୟକ୍ଷ ଆସନ। ସୁନ୍ଦରଗଡ ଜିଲ୍ଲାରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବା ବିଜୁ ଜନତା ଦଳ କିନ୍ତୁ ସୁନ୍ଦରଗଡ ପୌରାଧ୍ୟକ୍ଷ ପଦବିରେ ଜିତିପାରିନାହିଁ। ଢେଙ୍କାନାଳରେ ବିଜେଡିକୁ ଝଟ୍‌କା ଲାଗିଛି। ସେଠାରେ ପରିଷଦ ଓ ଅଧ୍ୟକ୍ଷ ଉଭୟ ଆସନ ପଦ୍ମଦଳିଆଙ୍କ ହାତରେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜ ଜିଲ୍ଲାରେ ଶଙ୍ଖ ଚିହ୍ନକୁ ସୁରକ୍ଷା ଦେଇନପାରିବା ସଂପର୍କରେ ଶୀର୍ଷ ନେତୃତ୍ବ ଅବଶ୍ୟ ଚିନ୍ତାରେ ପଡ଼ିଛନ୍ତି।

publive-image Image Courtesy of Zee News

ସେହିଭଳି ବାଲେଶ୍ବର ସୋର ମ୍ୟୁନିପାଲଟି ଓ ଅଧ୍ୟକ୍ଷ ପଦ ଏକତରଫା ଭାବେ ବିଜେପି ହାତକୁ ଚାଲିଯାଇଛି। ହେଲେ ଜିଲ୍ଲାରେ ଅନ୍ୟ କୌଣସି ଆସନରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦଳ ପାଇଁ ବିଶେଷ ସଫଳତା ଆଣିପାରିନାହାନ୍ତି। ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଓ ପୂର୍ବତନ ବିଜେପି ସଭାପତି କନକ ବର୍ଧନ ସିଂହଦେଓଙ୍କ ଦୁର୍ଗ ପାଟଣାଗଡରେ ବିଜେପି ଧୂଳି ଚାଟିଛି। ଦଳ ସେଠାରେ ଖାତା ଖୋଲିପାରିନାହିଁ। ସେହିପରି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଦେବଗଡରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ, ଅଧ୍ୟକ୍ଷ ପଦ ବିଜେଡି ହାତରେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କେନ୍ଦୁଝରରେ ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। ସାଂସଦ ଅପରାଜିତାଙ୍କୁ ଭୋଟର ସାଧାରଣ ନିର୍ବାଚନ ଭଳି ଖୋର୍ଧା ଜିଲ୍ଲାରେ ସଫଳତା ଦେଇନାହାନ୍ତି। ସବୁଠି ବିଜେଡି ଭାରି ପଡି଼ଛି। ଉଦଳା ପୌରାଧ୍ୟକ୍ଷ ପଦବି ଛାଡି ମୟୂରଭଂଜର ଅନ୍ୟ ସବୁଠି ବିଜେପି ଗଡକୁ ଧ୍ବସ୍ତବିଧ୍ବସ୍ତ କରିଛି ବିଜେଡି। କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପିକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଖରିଆର ରୋଡ ଓ ନୂଆପଡାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ସହିତ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ହାରିଯିବା ଘଟଣା ଦଳର ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଥିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି। ସାଂସଦ ସୁରେଶ ପୂଜାରୀ ଓ ଜୁଏଲ ଓରାମଙ୍କ କ୍ଷେତ୍ରରେ ମଧ୍ୟ ପଦ୍ମ ସବୁଠାରେ ଫୁଟିପାରିନାହିଁ। କଟକରେ ମେୟର ଓ ପରିଷଦ ଗଠନ ପ୍ରକ୍ରିୟାରେ ବିଜେପି ତୃତୀୟ ସ୍ଥାନକୁ ଯିବା ଘଟଣା ଦଳର କରିତ୍‌ କର୍ମା ନେତାମାନଙ୍କର ପ୍ରଦର୍ଶନ ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛି।

publive-image

ଅନ୍ୟପକ୍ଷରେ ବଲାଙ୍ଗୀରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଝଟ୍‌କା ଲାଗିଛି। ସେଠାରେ ସେ ମାତ୍ର ୪ଜଣ ସଭ୍ୟଙ୍କୁ ଜିତାଇ ପାରିଛନ୍ତି। ହେଲେ କଣ୍ଟାବାଞ୍ଝିରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ବିଜେଡିକୁ ଚକ୍‌ମା ଦେଇଛନ୍ତି। ଅଧ୍ୟକ୍ଷ ପଦ ସହିତ ଦଳ ସେଠାରେ ସଂଖ୍ୟା ଗରିଷ୍ଠତା (୧୦ ଆସନ) ହାସଲ କରିଛି। କୋରାପୁଟରେ କୋଟପାଡ ଏବଂ ଜୟପୁର ଉଭୟ ଆସନର ଅଧ୍ୟକ୍ଷ କଂଗ୍ରେସ ଖାତାକୁ ଯାଇଛ ଏବଂ ସୁନାବେଡାରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଟିମ୍‌ଙ୍କୁ ସଫଳତା ଛୁଇଁଛି। ତେବେ କୋଟପାଡକୁ ଛାଡି ଅନ୍ୟଠାରେ ସେମାନଙ୍କୁ ଭୋଟର ପରିଷଦ ଗଠନ କରିବାକୁ ସୁଯୋଗ ଦେଇନାହାନ୍ତି। ରାୟଗଡା ଗୁଣୁପୁରରେ ପରିଷଦ ଓ ଅଧ୍ୟକ୍ଷ ସ୍ବାଧୀନ ସଭ୍ୟଙ୍କ ହାତକୁ ଯାଇଛି। ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସକୁ ଝଟ୍‌କା ଲାଗିଛି। ୪୨ ଆସନ ଆସନ ବିଶିଷ୍ଟ ଏହି ମହାନଗର ନିଗମରେ ଦଳ ଗୋଟିଏ ଵାର୍ଡରେ ଜିତିଛି। ବିଧାୟକ ସୁର ରାଉତରାୟ ଜଟଣୀରେ ପୌରାଧ୍ୟକ୍ଷ ପଦବି ହାତେଇ ପାରିନାହାନ୍ତି। ଦଳ ପ୍ରଦର୍ଶନ ବି ଉଲ୍ଲେଖନୀୟ ନାହିଁ। ତେବେ ନୂଆପଡା ଖରିଆରରେ କଂଗ୍ରେସ ପ୍ରଦର୍ଶନ ସନ୍ତୋଷଜନକ ବୋଲି କୁହାଯାଇପାରିବ।

ଉଲ୍ଲେଖଯୋଗ୍ୟ ଯେ ବିତର୍କ ବଳୟକୁ ଆସିଥିବା ଭଦ୍ରକରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଛନ୍ତି। ମାଲକାନଗିରି ଅଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଛି। ନୟାଗଡ ଜିଲ୍ଲାର ଖଣ୍ଡପଡା ଏବଂ ଦଶପଲ୍ଲାରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦବି ହାତେଇ ନେଇଛନ୍ତି। କିନ୍ତୁ ଜିଲ୍ଲାର ସବୁଠାରେ ବିଜେଡି ହାତରେ ପରିଷଦ ରହିଛି।