ବନ୍ଦ ହେବ ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ! ଦୁଇ ବ‌ର୍ଷ ହେଲା ନାମ ଲେଖା ବନ୍ଦ

ଶତାୟୁ ପ୍ରତିଷ୍ଠାନର ଭବିଷ୍ୟତ ଅନିଶ୍ଚିତ

କଟକ: ରାଜ୍ୟର ସର୍ବପୁରାତନ ଏଲିମେଣ୍ଟାରି ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର କୁହାଯାଉଥିବା ‘ଶେଖ୍‌ବଜାର ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ୍‌’ ବନ୍ଦ ହେବାକୁ ବସିଛି। ଏହି ଶିକ୍ଷାନୁଷ୍ଠାନଟି ସ୍ବତନ୍ତ୍ର ଭା‌ବେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଥିବାରୁ ପ୍ରସଙ୍ଗକୁ ନେଇ ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।

କଟକ ଶେଖ୍‌ବଜାରସ୍ଥିତ ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ୧୧୦ ବର୍ଷର ପ୍ରଶିକ୍ଷଣ ପ୍ରତିଷ୍ଠାନ। ‘ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ’ (ଡିଏଲ୍‌ଇଡି) ଦୁଇ ବର୍ଷିଆ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ଅନୁଷ୍ଠାନଟି ସ୍ବତନ୍ତ୍ର ଭା‌ବେ ସଂଖ୍ୟାଲଘୁ ସଂପ୍ରଦାୟ(କେବଳ ଉର୍ଦ୍ଦୁ ମାଧ୍ୟମ)ଙ୍କ ପାଇଁ ଉଦ୍ଦିଷ୍ଟ। ଆରମ୍ଭରୁ ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଥମ ବର୍ଷରେ ସିଟ୍‌ ସଂଖ୍ୟା ୫୦ ଓ ଦ୍ବିତୀୟ ବର୍ଷ ସିଟ୍ ସଂଖ୍ୟା ୫୦ ଥିଲା। କିନ୍ତୁ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀଙ୍କର ଉର୍ଦ୍ଦୁ ପ୍ରଶିକ୍ଷଣ ପାଇଁ ଅଧିକ ଚାହିଦା ହେବାରୁ ଉଭୟ ବର୍ଷର ସିଟ୍‌ ସଂଖ୍ୟାକୁ ୫୦ରୁ ୧୦୦କୁ ବୃଦ୍ଧି କରାଗଲା। ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିବାକୁ ଲାଗିଲେ, ଯଦିଓ ଭଦ୍ରକରେ ଥିବା ସରକାରୀ ପ୍ରଶିକ୍ଷଣ କେନ୍ଦ୍ରରେ ସଂଖ୍ୟା ଲଘୁ ସଂପ୍ରଦାୟ(ଉର୍ଦ୍ଦୁ ପ୍ରଶିକ୍ଷଣ ପାଇଁ) ମାତ୍ର ୨୫ଟି ସିଟ୍ ସଂରକ୍ଷିତ ରହିଛି। ସ୍କୁଲ୍‌ଟି ସଂପୂର୍ଣ୍ଣ ଉର୍ଦ୍ଦୁ ମାଧ୍ୟମ ‌ହୋଇଥିଲେ ମଧ୍ୟ ଦୀର୍ଘଦିନ ହେଲା ଏହି ଅନୁଷ୍ଠାନରେ ଉର୍ଦ୍ଦୁ ଶିକ୍ଷକ ନାହାନ୍ତି। ଖାଲି ଏତିକି ନୁହେଁ, ଏଠାରେ ସର୍ବଦା ଶିକ୍ଷକ ଅଭାବ ରହିଛି। ସେହିଭଳି, ଗତ ଶିକ୍ଷାବର୍ଷ ୨୦୨୧-୨୨ରେ ସରକାର ସଂପୂର୍ଣ୍ଣ ନାମଲେଖା ବନ୍ଦ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଚଳିତ ଶିକ୍ଷାବର୍ଷ(୨୦୨୨-୨୩) ପାଇଁ ନାମଲେଖା ସମୟ ଉପନୀତ ହୋଇଥିଲେ ମଧ୍ୟ ଏଯାଏ କିଛି ସ୍ପଷ୍ଟ ହେଉନାହିଁ। ଏବେ ଏହି ଅନୁଷ୍ଠାନରେ ୨୦୨୦ରେ ନାମ ଲେଖାଇଥିବା ୧୦୦ଜଣ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ରହିଛନ୍ତି। ସେମାନେ ୨୦୨୨ରେ ପରୀକ୍ଷା ଦେଇ ପାସ୍ କରିବେ। ଏହାପରେ ଅର୍ଥାତ୍‌ ୨୦୨୩ ମସିହାରେ ‌ଏହି ଶତାୟୁ ଅନୁଷ୍ଠାନ ଛାତ୍ରଛାତ୍ରୀ ଶୂନ୍ୟ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ଶେଖ୍‌ବଜାର ଉର୍ଦ୍ଦୁ ପ୍ରଶିକ୍ଷଣ ପ୍ରତିଷ୍ଠାନର ଜଣେ ବରି‌ଷ୍ଠ ପ୍ରଶିକ୍ଷକ କହିଛନ୍ତି, ସରକାର ଡିଏଲ୍ଇଡ୍ କୋର୍ସ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଏଥି ପାଇଁ ଗତ ଶିକ୍ଷାବର୍ଷରେ ଉର୍ଦ୍ଦୁ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ନାମ ହୋଇ ନଥିଲା। ଏ ବର୍ଷ ମଧ୍ୟ ହେବ ନାହିଁ। କିନ୍ତୁ କଟକ ଉର୍ଦ୍ଦୁ ଟ୍ରେନିଂ ସ୍କୁଲ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପାଇଁ ରାଜ୍ୟର ଏକମାତ୍ର ଅନୁଷ୍ଠାନ ହୋଇଥିବାରୁ ଉର୍ଦ୍ଦୁ ପ୍ରଶିକ୍ଷଣକୁ ସ୍ବତନ୍ତ୍ର ଭାବେ ବିଚାରକୁ ନେଇ ଚାଲୁ ରଖିବା ଉଚିତ ବୋଲି ସଂପୃକ୍ତ ବରିଷ୍ଠ ପ୍ରଶିକ୍ଷକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର