ୟୁରିଆର କଳାବଜାର, ଅନ୍ୟ ସାର ଦର ଆକାଶଛୁଆଁ

ପଟାସ, ଡିଏପି କିଣୁନାହାନ୍ତି କମ୍ପାନି

ଭୁବନେଶ୍ବର : ୟୁରିଆ ସାର କଳାବଜାର, ପଟାସ ଏବଂ ଡିଏପିର ଆକାଶଛୁଆଁ ଦର ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ସାରକୁ ନେଇ ଗୋଳମାଳିଆ ସ୍ଥିତି ଉତ୍ପନ୍ନ ହୋଇଛି। ଚଳିତ ବର୍ଷ ଏହା ଆହୁରି ଜଟିଳ ହୋଇ ପଡ଼ିଲାଣି।

କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫରେ ୬୧ ଲକ୍ଷ ହେକ୍ଟର ଚାଷ କାର୍ଯ୍ୟକ୍ରମରୁ ୩୪ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଏଥିପାଇଁ ୪ ଲକ୍ଷ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ରହିଛି। ଗତବର୍ଷ ୟୁରିଆର ଯେଉଁଭଳି ସଙ୍କଟ ଥିଲା, ଚଳିତ ବର୍ଷ ସେ ଭଳି ଅବସ୍ଥା ନାହିଁ। ଦର ମଧ୍ୟ ସରକାରୀ ଭାବରେ ୨୬୭.୫୦ ଟଙ୍କା ରହିଛି। କିନ୍ତୁ ବିଭିନ୍ନ ଜିଲ୍ଲାରେ ଏହା ୫୦୦ ଟଙ୍କାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି। ଗଞ୍ଜାମ ଚାଷୀ ସଙ୍ଗଠନ ଏହାକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରି ସାରିଛନ୍ତି। କୃଷି ବିଭାଗ ପକ୍ଷରୁ ଚଢ଼ଉ କରାଯିବାକୁ ଦାବି ହେଉଛି।

ମି​ଳିଥିବା ଖବର ଅନୁସାରେ, ପଟାସ ବା ଏମଓପି ସାରର ସଙ୍କଟ ନାହିଁ। ହେଲେ ଦର ୫୦ କେଜି ହିସାବରେ ୧୦୫୦ରୁ ୧୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାର କାରଣ ସମ୍ପର୍କରେ କୃଷି ବିଭାଗ କହିଛି ଯେ, ପଟାସ ସାରର କଞ୍ଚାମାଲ ଭାରତରେ ଉପଲବ୍ଧ ନାହିଁ। ଏହାକୁ ଶତପ୍ରତିଶତ ଇସ୍ରାଏଲ, ଜୋର୍ଡାନ, ୟୁକ୍ରେନ, ରୁଷିଆରୁ ଆମଦାନି କରାଯାଏ। ଚଳିତ ବର୍ଷ ଆମଦାନି ଶୁଳ୍କ ବୃଦ୍ଧି ପାଇବା ପରେ କମ୍ପାନିମାନେ ସାର ବିକ୍ରି ପାଇଁ ତତ୍ପର ହୋଇ ପଡ଼ିଲେ। ମାତ୍ର ଓଡ଼ିଶାର ଡିଲରମାନେ ଏହାକୁ କ୍ରୟ କରିବାକୁ ରାଜି ହେଉ ନାହାନ୍ତି। ଫେବ୍ରୁଆରି ମାସରୁ ପଟାସ ସାର କିଣିବାକୁ ଡିଲର ଅରାଜି ହେଉଥିବା ଜଣାପଡ଼ିଛି। ଏହାକୁ ନେଇ ଡିଲରଙ୍କ ମତ ହେଲା, ପଟାସ ସାରର ବହୁଳ ବ୍ୟବହାର ନାହିଁ। ରୋଗ-ପୋକ ବଢ଼ିଲେ ହିଁ ଏହା ଉପଯୋଗ ହୁଏ। ଏତେ ବର୍ଧିତ ଦରରେ ଚାଷୀ ଏହାକୁ କ୍ରୟ କରିବା ନେଇ ସେମାନେ ଆଶଙ୍କା କରିଛନ୍ତି। ତା’ ସହିତ ଡିଲରମାନେ ଏହି ସାର କିଣିବା ପରେ ଅଚାନକ ସରକାର ରିହାତି ଘୋଷଣା କରି ଦେଲେ ସେମାନେ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରିଛନ୍ତି। ଗତବର୍ଷର ଷ୍ଟକ ଯାହା ପାଖରେ ଯାହା ରହିଛି, ତାକୁ ହିଁ ଡିଲର ବିକ୍ରୟ କରୁଛନ୍ତି। ଡିଏପିର ସଙ୍କଟ ହେବା ସହିତ ଏହାର ଦର କାହିଁରେ କେତେ ବଢ଼ି ଯାଇଛି। ଏହାର ଦର ଏତେ ବଢ଼ି ଯାଇଛି ଯେ ୧ ଟନ ବିକ୍ରି କଲେ ୧୫ ହଜାର ଟଙ୍କା କ୍ଷତି ହେବା ନେଇ କମ୍ପାନିଗୁଡ଼ିକ କହୁଛନ୍ତି। ଏହାର ଦର ବର୍ତ୍ତମାନ ବସ୍ତା ପିଛା ୧୩୫୦ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର