ସାରର ଘୋର ଅଭାବ ଓ ବ୍ୟାପକ କଳାବଜାରୀ: କଂଗ୍ରେସ

୧.୧୫ ଲକ୍ଷ ଟନ୍‌ ୟୁରିଆସାର ମହଜୁଦ୍‌: କୃଷି ବିଭାଗ

ଭୁବନେଶ୍ୱର : ବର୍ତମାନ ରାଜ୍ୟର ଚାରିଆଡ଼େ ଚାଷପାଇଁ ଅନୁକୂଳ ପାଣିପାଗ ଓ ପିଲ ଦେବା ସମୟରେ ୟୁରିଆ ସାରର ନିହାତି ଆବଶ୍ୟକ। କିନ୍ତୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୟୁରିଆସାରର ଯୋଗାଣରେ ଅହେତୁକ ଅବହେଳା କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ କୃଷକ ସେଲ୍‌। ସାରର ଚାହିଦାକୁ ଆଖିରେ ରଖି ୟୁରିଆ ସାର (ଜାନୁଆରିରୁ ଜୁଲାଇ ମାସ ପର୍ଯ୍ୟନ୍ତ) ମହଜୁଦ୍‌ ପାଇଁ ଓଡିଶା ବାଣିଜ୍ୟ ମହାସଂଘ ଓ ଓଡିଶା କୃଷି ଶିଳ୍ପ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇଛନ୍ତି। ଫଳରେ ଚଳିତ ବର୍ଷ ୧.୧୫ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ସାର ମହଜୁଦ କରାଯାଇଥିବା ଦର୍ଶାଇଛନ୍ତିି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ।

ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ୭ଟି ଜିଲ୍ଲା ଗସ୍ତ କରି ଚାଷ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତିି। ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାଗ ପିଛା ନିର୍ଧର୍ାରିତ ମୂଲ୍ୟଠାରୁ ୧୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି କରାଯାଉଛି। କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ଦେବଗଡ଼ ଜିଲ୍ଲାର ରିଆମାଳ, ତିଳେଇବଣିଠାରୁ ଆରମ୍ଭ କରି କଟକ ଜିଲ୍ଲାର ତିଗିରିଆ, ନିଶ୍ଚିନ୍ତକୋଇଲି, ଜଗତ୍‌ସିଂହପୁର ଏପରିକି ପ୍ରାୟ ସମସ୍ତ ଜିଲ୍ଲାରେ ସାର ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳିି ଅଭାବନୀୟ ପରିସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି। ଏଣୁ ସରକାର କାଳ ବିଳମ୍ବ ନ କରି ୟୁରିଆ,ପଟାସ ଓ ଅନ୍ୟ କମ୍ପ୍ଲେକ୍ସ ସାର ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ନିମନ୍ତେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଜରିଆରେ କୃଷକ ସେଲ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

କୃଷି ବିଭାଗ ବିବୃତି ବୟାନ କରୁଛି ଯେ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ୨.୮୪ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆସାର ଯୋଗାଇ ଦିଆଯାଇଛି। ଚଳିତ ସେପ୍ଟେମ୍ବର ମାସରେ ଅଦ୍ୟାବଧି ୨୮ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆସାର ପହଞ୍ଚିଛି। ସବୁ ଜିଲ୍ଲାରେ ସାରର କଳାବଜାରୀ ରୋକିବା ଉଦ୍ଦେଶ୍ୟରେ ଏନ୍‌ଫୋସ୍‌ର୍ମେଣ୍ଟ ସ୍କ୍ଵାଡ ମଧ୍ୟ ଗଠନ କରାଯାଇଛି। ସେପ୍ଟେମ୍ବର ୨ୟ ସପ୍ତାହରେ କେସିଙ୍ଗା, ବରଗଡ, ଜଗନ୍ନାଥପୁର, ଝାରସୁଗୁଡା, ସମ୍ବଲପୁର, ଜୟପୁର, ଖୋର୍ଧର୍ା ରୋଡ, ବଲାଙ୍ଗୀର, କଣ୍ଟାବାଂଜି, ଜେକେ ରୋଡ, କଟକ, ଧାନମଣ୍ଡଳ ରେକ୍‌; ୩ୟ ସପ୍ତାହରେ କଟକ, ଜଗନ୍ନାଥପୁର, ଝାରସୁଗୁଡା , ଖରିଆର ରୋଡ, କେସିଙ୍ଗା, ଭଦ୍ରକ, ବାଲେଶ୍ୱର, ଖୋର୍ଧା ରୋଡ୍‌ ଓ ଶେଷ ସପ୍ତାହରେ ରାଇରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ ଓ ବାଲେଶ୍ୱର ରେକ୍‌ ପହଞ୍ଚିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର