ସମ୍ବଲପୁର : ଚଳିତ ବର୍ଷ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାର ଚାଷୀମାନେ କଂପ୍ଲେକ୍ସ (ମିଶ୍ରିତ) ସାର ପାଇବା ପାଇଁ ଯୁଝିଥିଲେ। ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବା କଂପ୍ଲେକ୍ସ ସାର ଏଥର ଚାଷୀଙ୍କୁ ଠିକ୍ରେ ମିଳି ନଥିଲା। ଡିଏପି, ଗ୍ରୋମୋର୍ ଆଦିର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ପୁରୁଣା ଷ୍ଟକ୍କୁ ଅସାଧୁ ବେପାରୀମାନେ ଦବାଇ ରଖି ପରେ କଳାବଜାର କରିଥିବା ଅଭିଯୋଗ ହୋଇଥିଲା। ବିଳମ୍ବିତ ବର୍ଷା ସହ ସାରର ଅଭାବ କାରଣରୁ ଅଣଚଳସେଚିତ ଅଞ୍ଚଳର ଚାଷୀ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଷ କରିବ କି ନାହିଁ ନିଶ୍ଚିତ କରିପାରି ନଥିଲା। ଅଗଷ୍ଟ ଦ୍ବିତୀୟ ସପ୍ତାହରୁ ଭଲ ବର୍ଷା ହେବା ପରେ ଚାଷୀମାନେ ସବୁ ଜମିରେ ଚାଷ କଲେ। କିନ୍ତୁ କଂପ୍ଲେକ୍ସ ସାରର କୃତ୍ରିମ ଅଭାବକୁ କୌଣସି ପ୍ରକାରେ ଚଳାଇ ନେଇ ଚାଷୀ ଯେବେ ନିଜ ଫସଲ ଆଗକୁ ବଢ଼ାଇବାକୁ ଚାହୁଛି ସେତେବେଳେ ୟୁରିଆର ଅଭାବ ପୁଣିଥରେ ପାହାଡ଼ ଭଳି ତା ସାମ୍ନାରେ ଛିଡ଼ା ହୋଇଛି। ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ଅତ୍ୟାବଶ୍ୟକ ୟୁରିଆ ସାରର ଉତ୍କଟ ଅଭାବ ସୃଷ୍ଟି ହୋଇଛି। ସମବାୟ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଆସୁଥିବା ସାରକୁ କମ୍ପାନିମାନେ ସିଧାସଳଖ ବେପାରୀ ହାତକୁ ଟେକି ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ ଚାଷୀ ଦିଗୁଣା ଦରରେ ୟୁରିଆ କିଣୁଛି। ଏଥିରେ କ୍ଷୁଦ୍ର ଚାଷୀମାନେ ସବୁଠୁ ବେଶି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୃଷି ବିଭାଗ ସଂପୂର୍ଣ୍ଣ ନିଷ୍କ୍ରିୟ ରହୁଥିଲା ବେଳେ ଜିଲ୍ଲା ପ୍ରଶାସନମାନେ ଚାଷୀର ଦୁଃଖ ବୁଝୁ ନଥିବା କୃଷକ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି।
ସରକାରଙ୍କ ସ୍ପଷ୍ଟ ନୀତି ରହିଛି ଯେ ଗୋଟିଏ ଜିଲ୍ଲାକୁ ଯାହା ବି ସାର ଆସିବ ତାର ଅତି କମ୍ରେ ୫୦% ସମବାୟ ସମିତି ଯଥା ଲ୍ୟାମ୍ପ, ପ୍ୟାକ୍ସଗୁଡ଼ିକ ଜରିଆରେ ଚାଷୀଙ୍କୁ ପ୍ରଦାନ କରାଯିବ। କିନ୍ତୁ ଏହି ସୁନିଶ୍ଚିତ କରିବା ଦାୟିତ୍ବରେ ଥିବା ମାର୍କଫେଡ୍ ହିଁ ବିଭିନ୍ନ ଜିଲ୍ଲାରେ ସକ୍ରିୟ ନାହିଁ। ସମ୍ବଲପୁରରେ ମାର୍କଫେଡ୍ର କେହି ଏରିଆ ମ୍ୟାନେଜର୍ ନାହାନ୍ତି। ଏହାର ସୁଯୋଗ ନେଇ କମ୍ପାନିମାନେ ରୢାକ୍ ପଏଣ୍ଟ (ରେଳ ସାଇଡିଂ)ରୁ ହିଁ ଆସୁଥିବା ୟୁରିଆ ସାର ବ୍ୟବସାୟୀ ବା ହୋଲସେଲର୍ମାନଙ୍କ ହାତକୁ ଟେକି ଦେଉଛନ୍ତି। ପ୍ରକୃତରେ ତାହା ଗୋଦାମକୁ ଯାଇ ଓ ସେଠାରୁ ବିଭିନ୍ନ ପକ୍ଷକୁ ଭିନ୍ନ ଭିନ୍ନ ଅନୁପାତରେ ପ୍ରଦାନ କରାଯିବା କଥା। ମାତ୍ର ପରିବହନ ଖର୍ଚ୍ଚ ଓ ଅନ୍ୟାନ୍ୟ ବାହାନା ଦେଖାଇ ତାହା କରାଯାଉ ନାହିଁ। କିନ୍ତୁ ରେଳ ସାଇଡିଂରୁ ଯେଉଁ ସାର ବିତରଣ କରାଯାଉଛି ତାହା ବି କୃଷି ବିଭାଗର ଅଗୋଚରରେ ଚାଲିଛି। ଏହି ବ୍ୟବସ୍ଥାରେ ବିଭାଗ ବା ସରକାରଙ୍କ କୌଣସି ଭୂମିକା ରହୁ ନଥିବାରୁ କମ୍ପାନି ଓ ବ୍ୟବସାୟୀମାନେ ନିଜ ମନମାନି କରୁଛନ୍ତି। ଅଗଷ୍ଟ ମାସରେ ସମ୍ବଲପୁରରେ ୩ ରୢାକ୍ ସାର ଓହ୍ଲାଇଥିବା ବେଳେ ସବୁ ତକ ସିଧାସଳଖ ବ୍ୟବସାୟୀଙ୍କ ହାତକୁ ଯାଇଛି। ସମବାୟ ସମିତିଗୁଡ଼ିକୁ ଉପଯୁକ୍ତ ପରିମାଣର ସାର ମିଳୁ ନଥିବାରୁ ସେମାନେ ଯାହାକୁ ୫ ବସ୍ତା ୟୁରିଆ ଦରକାର ତାକୁ ୧ ବସ୍ତା ଦେଉଛନ୍ତି। ବାଧ୍ୟ ହୋଇ ଚାଷୀ ଘରୋଇ ଡିଲର୍ ପାଖକୁ ଯାଉଛି ଓ କଳାବଜାରର ଶିକାର ହେଉଛି।
/sambad/media/post_attachments/wp-content/uploads/2021/07/urea-1.jpg)
ଏହା ସତ୍ତ୍ବେ ଆବଶ୍ୟକତା ବା ଚାହିଦା ଅନୁଯାୟୀ ୟୁରିଆ ଉପଲବ୍ଧ ହେଉ ନାହିଁ। ଗ୍ରାମାଞ୍ଚଳ ଚାଷୀ ଓ ଛୋଟ ଚାଷୀମାନେ ଏହାଦ୍ବାରା ବହୁଳ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀ ନେତା ଅଶୋକ ପ୍ରଧାନ ଅଭିଯୋଗ କରିଛନ୍ତି। କେମିତି ଚାଷ ହେବ, କଣ ସବୁ ସମସ୍ୟା ରହିଛି ଏହାକୁ ନେଇ ଚଳିତ ବର୍ଷ ଚାଷୀ ପ୍ରତିନିଧିଙ୍କ ସହ ଗୋଟିଏ ବି ବୈଠକ ଜିଲ୍ଲା ପ୍ରଶାସନ କରି ନାହିଁ। ସରକାରୀ ଅଧିକାରୀ ଓ ସାର ଡିଲର୍ମାନେ ନିଜ ନିଜ ଭିତରେ ବୈଠକ କରି ସବୁ ଠିକ୍ ଚାଲିଥିବା ରିପୋର୍ଟ ଦେଇଛନ୍ତି। ଚାଷୀର ଦୁଃଖ ବୁଝିବାକୁ ଆଉ କେହି ନଥିଲା ଭଳି ଲାଗୁଛି ବୋଲି ଶ୍ରୀ ପ୍ରଧାନ କ୍ଷୋଭ ବ୍ୟକ୍ତ କରିଛନ୍ତି।
ଏ ସଂପର୍କରେ ସମ୍ବଲପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଟଙ୍କଧର ସାହୁଙ୍କ କହିବା ହେଲା, ଜିଲ୍ଲାରେ ବର୍ତ୍ତମାନ ହୋଲ୍ସେଲର୍ମାନଙ୍କ ପାଖରେ ୟୁରିଆ ସାର ମହଜୁଦ ଅଛି। କିନ୍ତୁ ସମବାୟ ସମିତିଗୁଡ଼ିକ ପାଖରେ ଯେତିକି ରହିବା କଥା ସେତିକି ନାହିଁ। ମାର୍କଫେଡ୍ ଜିଲ୍ଲାର ୪୫ଟି ସୋସାଇଟିକୁ ସାର ଯୋଗାଏ। ସେଥିରୁ ୮ଟି ସୋସାଇଟି ପାଖରେ ୟୁରିଆ ସରି ଯାଇଛି। ସୋସାଇଟିମାନେ ସେମାନଙ୍କ ଋଣୀ ଚାଷୀମାନଙ୍କୁ ସାର ଦେଇଥାଆନ୍ତି। ଏହାପରେ ଅନ୍ୟ ଚାଷୀମାନଙ୍କୁ କିଛି ବିକ୍ରି କରନ୍ତି। ତେବେ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ସାର ମିଳୁ ନଥିବାରୁ ହୁଏତ ଅଳ୍ପ ଅଳ୍ପ କରି ସମସ୍ତଙ୍କୁ ଭାଗ କରୁଥିବେ।
ସମ୍ବଲପୁର ଜିଲ୍ଲାରେ ୬-୭ ଜଣ ବେସରକାରୀ ସାର ହୋଲ୍ସେଲର୍ ଥିବା ବେଳେ ସରକାରୀ ହୋଲ୍ସେଲର୍ ଭାବେ ମାର୍କଫେଡ୍ ରହିଛି। ମାର୍କଫେଡ୍ ସୋସାଇଟିମାନଙ୍କୁ ସାର ଯୋଗାଇଥାଏ। ମାର୍କଫେଡ୍କୁ କେତେ ସାର ମିଳିବ ତାହା ରାଜ୍ୟ ସ୍ତରରେ ନିଷ୍ପତ୍ତି ହୋଇ କମ୍ପାନିମାନଙ୍କ ସହ ଡିଲ୍ ହୋଇଥାଏ। ଅଗଷ୍ଟ ମାସରେ ସମ୍ବଲପୁର ଜିଲ୍ଲାରେ ଏନ୍ଏଫ୍ଏଲ୍, ଏନ୍ଏଫସିଏଲ୍, ବିଭିଏଫ୍ସିଏଲ୍, ମାଟ୍ରିକ୍ଟସ ଓ ଆର୍ସିଏଫ୍ଏଲ୍ ଆଦି ୫ଟି କମ୍ପାନି ୮୦୦ ଟନ୍ ଲେଖାଏଁ ମୋଟ ୪୦୦୦ ଟନ୍ ୟୁରିଆ ଦେବାକୁ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୬୫୦ ଟନ୍ ମିଳିଛି। ରୢାକ୍ ପଏଣ୍ଟରୁ ବ୍ୟବସାୟୀଙ୍କୁ ସିଧାସଳଖ ସାର ଦିଆଯିବା କଥାକୁ ଶ୍ରୀ ସାହୁ ସ୍ବୀକାର କରି କହିଥିଲେ ଯେ ଯେଉଁ ହୋଲସେଲର୍ ୧୫ ଦିନ ପୂର୍ବରୁ କମ୍ପାନିଗୁଡ଼ିକ ପାଖରେ ସାର ବାବଦରେ ଅଗ୍ରିମ ଅର୍ଥ ଜମା କରୁଛନ୍ତି, ସେମାନଙ୍କୁ ସଂପୃକ୍ତ କମ୍ପାନିମାନେ ସିଧାସଳଖ ରୢାକ୍ ପଏଣ୍ଟରୁ ସାର ପ୍ରଦାନ କରୁଛନ୍ତି।