ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ, ଚାଷୀଙ୍କୁ ପର୍ଯ୍ୟାପ୍ତ ଯୋଗାଇବାକୁ ନିଷ୍ପତ୍ତି ହୋଇଛି: କୃଷି ସଚିବ

ଭୁବନେଶ୍ୱର: ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ। ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏପର୍ଯ୍ୟନ୍ତ ୬.୧୫ ମେଟ୍ରିକ୍‌ ଟନ୍‌ ୟୁରିଆ ଆସିଛି। କୃଷି ସଚିବ ସୌରଭ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖରିଫ ଋତୁରେ କ’ଣ ସ୍ଥିତି ରହିଛି ଆଜି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି। ୬୧ ଲକ୍ଷ ହେକ୍ଟର ଫସଲ ଲକ୍ଷ୍ୟ ରଖାଯାଇଛି। ଏବେ ୫୫ ଲକ୍ଷ ହେକ୍ଟରରେ ଫସଲ ହୋଇସାରିଛି। ଗତ ବର୍ଷ ତୁଳନାରେ ଫସଲ ଏଥର ଭଲ ହେବ ବୋଲି ଆଶା କରାଯାଉଛି।

୯ ହଜାର ୯୬୫ କୋଟି ଟଙ୍କା କୃଷି ଋଣ ଯୋଗାଇ ଦିଆଯାଇଛି। କୋପରେଟିଭ ସୋସାଇଟି ମାଧ୍ୟମରେ ଏହା ଅଧିକାଂଶ ଦିଆଯାଇଛି। ବ୍ୟବସାୟିକ ବ୍ୟାଙ୍କ ମାଧ୍ୟମରେ ମଧ୍ୟ ଚାଷୀ ଋଣ ନେଉଛନ୍ତି। ସେପ୍ଟେମ୍ବର ୩୦ ଯାଏଁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଚାଷୀମାନେ ଧାନ ସହିତ ଅନ୍ୟ ଫସଲ ଯଥା କପା, ରାଶି, ଝୋଟ, ତୈଳମଂଜି, ଡାଲି ଜାତୀୟ ଫସଲ ପାଇଁ ପ୍ରୋତ୍ସାହନ ପାଇପାରିବେ।

ଶ୍ରୀ ଗର୍ଗ କହିଛନ୍ତି, ରାଜ୍ୟ କୃଷି ଭବନ ସମଗ୍ର ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛି। ‘ଆମ କୃଷି’ରେ ୯ ଲକ୍ଷ ଚାଷୀ ସେମାନଙ୍କର ନାମ ପଂଜିକୃତ କରିଛନ୍ତି। ଚାଷୀମାନଙ୍କ ପାଇଁ ସହଜ ହେଲ୍‌ପଲାଇନ ନମ୍ବର (୧୫୫୩୩୩) ଜାରି କରାଯାଇଛି। ଏହି ନମ୍ବରରେ ଚାଷୀ କଲ କରି ଚାଷ ସଂପର୍କିତ ବିଭିନ୍ନ ତଥ୍ୟ ହାସଲ କରିପାରିବେ। ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସୂଚନା ଦିଆଯିବ। ପ୍ରତି ମାସରେ ୩୦ ହଜାର କଲ ଆସୁଛି। ଏଗ୍ରି ଆକଷ୍ଟେସନ ଆପ ଅଛି। ଏହି ଆପ୍‌ରେ ଚାଷୀ ସଂପର୍କିତ ତଥ୍ୟ ମିଳିପାରୁଛି। ଏହି ଆଧାରରେ ଆମେ ମାସିକ ରିପୋର୍ଟ ପ୍ରସ୍ତୁତ କରୁଛୁ। ଚାଷୀମାନେ କ’ଣ ପାଉଛନ୍ତି, ତାହା ଆମକୁ ଖୁବ ଶୀଘ୍ର ଜଣାପଡୁଛି। ତୃଣମୂଳ ସ୍ତରରେ ପ୍ରଥମ ଓ ତୃତୀୟ ଶନିବାର ଅଧିକାରୀମାନେ ବସି କୃଷି ସଂପର୍କିତ ବୈଠକ କରୁଛନ୍ତି। ରାଜ୍ୟର ପ୍ରାୟ ୭୦୦୦ ପଂଚାୟରେ ୧୦୦ ଜଣ ଲେଖାଏଁ ଚାଷୀଙ୍କୁ ନେଇ ହ୍ଵାଟସ୍‌ଆପ ଗ୍ରୁପ କରାଯାଇଛି। ସେମାନଙ୍କୁ ଚାଷ ସଂପର୍କିତ ତଥ୍ୟ ଦିଆଯାଉଛି।

କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା କରାଯାଇଛି। ପୋର୍ଟାଲରେ ଚାଷୀ ସେମାନଙ୍କ ଆବେଦନ ସ୍ଥିତି ଜାଣିପାରିବେ। ରାଜ୍ୟର ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ପ୍ରୋତ୍ସାହନ ପାଇପାରିବେ। ବଳରାମ ଯୋଜନାରେ ଭାଗଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହେବେ।

ସମ୍ବନ୍ଧିତ ଖବର