ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଉପରେ ସାରା ଜିଲ୍ଲା ତଥା ରାଜ୍ୟବାସୀଙ୍କ ନଜର ରହିଥିବା ବେଳେ ଏହାର ଅଗ୍ରଗତି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ପ୍ରକଳ୍ପ ପାଇଁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ମିଳିଥିବା ବେଳେ ଗତ ଫେବ୍ରୁଆରୀ ମାସରେ ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ଉପରେ ମୋହର ବାଜିଛି। ପ୍ରକଳ୍ପ ନିର୍ମାଣ ପାଇଁ ମୋଟାମୋଟି ଭାବେ ବାଟ ଫିଟିଥିବା ବେଳେ ପ୍ରଶାସନିକ ସ୍ତରରେ ଏହାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଏବେ ବିଭିନ୍ନ ଡିଜାଇନ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରାୟ ୭୦ ଭାଗ ଡିଜାଇନ୍ ପ୍ରସ୍ତୁତ ହୋଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟକୁ ପଠା ଯାଇଥିବା ବେଳେ ଅବଶିଷ୍ଟ ୩୦ ପ୍ରତିଶତ ତଥ୍ୟ ଖୁବଶୀଘ୍ର ପଠାଯିବ ବୋଲି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ପ୍ରଦାନ କହିଛନ୍ତି। ଏହା ପରେ ଜଳ ସଂରକ୍ଷଣ ଓ ଜଳ ଭଣ୍ତାରରୁ ଜଳ ନିଷ୍କାସନ ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତ ହୋଇ କେନ୍ଦ୍ରୀୟ ଜଳ କମିସନ ବା ସିଡ଼ବ୍ଲୁସିକୁ ରିପୋର୍ଟ ପଠାଯିବ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଜଳସେଚନ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନର ଉପଯୁକ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ।
ମୈାଳିକ ସୁବିଧା ସୁଯୋଗ ସହ ବିସ୍ଥାପିତଙ୍କୁ କରାଯିବ ଥଇଥାନ
ତହସିଲଦାରଙ୍କୁ ମିଳିଲା ଭୂ ଅର୍ଜନ ଅଧିକାରୀ ଦାୟିତ୍ବ
ଏଥିପାଇଁ ଦଶପଲ୍ଲା ତହସିଲଦାର ସ୍ମୃତି ରଂଜନ ଶତପଥୀଙ୍କୁ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଭୂ ଅର୍ଜନ ଅଧିକାରୀ ବା ଏଲ୍ଏଓ ଭାବେ ନିଯୁକ୍ତି ଦିଆଯାଇଛି। ଗତ ୨୪ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଶୀଘ୍ର ଏହାର ଦାୟିତ୍ବ ଗ୍ରହଣ କରିବା ପାଇଁ ତହସିଲଦାର ଶ୍ରୀ ଶତପଥୀ କହିଛନ୍ତି। ଅନ୍ୟପାର୍ଶ୍ବରେ ନୂଆ ଆଇନ ଅନୁଯାୟୀ ବିସ୍ଥାପିତଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଆବଶ୍ୟକ ବାସଗୃହ ନିର୍ମାଣ କରାଯିବା ସହ ରାସ୍ତା, ପାନୀୟ, ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିପାଇଁ ବିସ୍ଥାପିତଙ୍କୁ କେଉଁଠାରେ ଥଇଥାନ କରାଯିବ ସେନେଇ ଜାଗା ଚିହ୍ନଟ ହୋଇଥିବା ମଧ୍ୟ କହିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲା ତଥା ଦଶପଲ୍ଲା, ଖଣ୍ଡପଡା, ନୂଆଗାଁ, ଓଡ଼ଗାଁ ବ୍ଲକ୍ର ୨୩ ହଜାର ୩ ଶହ ହେକ୍ଟର ଜମି ଜଳସେଚିତ ହେବାନେଇ ଲକ୍ଷ୍ୟ ରଖାଯାଇଛି। ଟାକରା ପଞ୍ଚାୟତର ମଞ୍ଜାରୀ ନିକଟରେ ଥିବା ମାଈ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩ ହଜାର ୫ଶହ ୫୨ ହେକ୍ଟର ସ୍ଥାନ ମଧ୍ୟରେ ନିର୍ମାଣ ହେବାକୁ ଥିବାଏହି ପ୍ରକଳ୍ପ ମଧ୍ୟରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମି, ୭୯୦.୮୮ ହେକ୍ଟର ସରକାରୀ ଜମି ଓ ୧୨୩୭.୦୧ ହେକ୍ଟର ବେସରକାରୀ ଜମି ଥିବାବେଳେ ୨୧୨୧.୪୧ ହେକ୍ଟର ଜମି ଜଳପ୍ଲାବିତ ହେବ। ଏବେ ମଞ୍ଜାରୀ ଗ୍ରାମକୁ ସାଢ଼େ ୩ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେବାସହ ଦଶପଲ୍ଲା ଜଳସମ୍ପଦ କାର୍ଯ୍ୟାଳୟ ପରିସରରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ବୃତ୍ତଙ୍ଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି।