କର୍ମଚାରୀଙ୍କୁ ତାଗିଦ୍‌: ଚିକିତ୍ସାରେ ଅବହେଳା କଲେ ପସ୍ତେଇବ

ଖୋର୍ଦ୍ଧା: ଚିକିତ୍ସାରେ ଅବହେଳା କଲେ ବରଦାସ୍ତ କରାଯିବନାହିଁ । ବିଭାଗୀୟ ଆଇନାନୁସାରେ ତୁରନ୍ତ ପଦକ୍ଷେପ ନିଆଯିବ । ରୋଗୀଙ୍କ ସହ ଭଲ ବ୍ୟବହାର ଓ ଉତ୍ତମ ସେବାରେ ଉଣା କରନାହିଁ ବୋଲି ବୁଧବାର ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ ଆର୍ତ୍ତବନ୍ଧୁ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ ସମୟରେ ଚିକିତ୍ସାଳୟର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି ।

ସକାଳ ପ୍ରାୟ ସାଢ଼େ ୧୦ଟାର ଘଟଣା। ମୁଖ୍ୟ ଚିକିତ୍ସାଧୀକାରୀ ଡା ନାୟକ ଚିକିତ୍ସାଳୟର ବହିଃ ବିଭାଗରେ ପହଂଚିଥିଲେ । ବାହାରେ ରୋଗୀଙ୍କ ଲମ୍ବା ଧାଡ଼ି। କିନ୍ତୁ ଭିତରେ ୩ଜଣ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତର ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଉଥିଲେ । ଏହାଦେଖି ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ବିଭିନ୍ନ ବିଭାଗ ପରିଦର୍ଶନ କରି ସ୍ୱଚ୍ଛତା, ନର୍ସଙ୍କ ଉପସ୍ଥିତି, ଶଯ୍ୟାର ଅବସ୍ଥା ଆଦି ଦେଖିଥିଲେ । ଚିକିତ୍ସାଳୟର ଉପର ମହଲାରେ ଥିବା ମେଡିକାଲ୍ ଅଧିକାରୀଙ୍କ ପ୍ରକୋଷ୍ଠରେ ପହଂଚି ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କୁ ଡାକି କର୍ତ୍ତବ୍ୟରେ ଅବହେଳା କଲେ ପସ୍ତେଇବ। ଏଥିପାଇଁ ଆଗୁଆ ତାଗିଦ କରି ଦିଆଯାଉଛି ବୋଲି କହିଥିଲେ।

ଏହି ସମୟରେ ହସ୍ପିଟାଲ ମ୍ୟାନେଜର ଡା.ବିନାୟକ ପାଣିଗ୍ରାହୀ ଓ ଡା.ସଙ୍ଗୀତା ସ୍ୱାଇଁ, ଡା.ଆଲୋକ ଜ୍ୟୋତି ସାହୁ, ଡା. ବି.ଏନ.ପାଢୀ, ଡା. ସରୋଜ ନାୟକ, ଡା. ଶୁଭ୍ରାଂଶୁ କୁମାର ସାହୁ, ଡା.ଶ୍ୟାମାପ୍ରସନ୍ନ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଡା ନାୟକ ୩ମାସ ପୂର୍ବେ ଖୋର୍ଦ୍ଧା ଜିଲ୍ଳାର ଦାୟିତ୍ୱ ନେଇଛନ୍ତି । ତାଙ୍କର ଅଚାନକ ପରିଦର୍ଶନ ଓ କର୍ତ୍ତବ୍ୟ ଅବହେଳା ପାଇଁ ତାଗିଦ୍ ଘଟଣାରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆଶା ସଂଚାର ହୋଇଛି । ତେବେ ସିଡିଏମ୍ଓ ଆଖିଦୃଶିଆ ଭାବେ ଥରେ ଅଧେ ନୁହେଁ ନିୟମିତ ବ୍ୟବଧାନରେ ଚିକିତ୍ସାଳୟର ପରିଦର୍ଶନରେ ଆସିବା ସହ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ପଦେକ୍ଷପ ନେଲେ ଚିକିତ୍ସାଳୟର ଅବସ୍ଥା ସୁଧରିବ ବୋଲି ସେମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର