ଭାଙ୍ଗି ପଡ଼ିଛି ସହରାଞ୍ଚଳ ମୋଡୁଲାର୍ ୟୁରିନାଲ୍ : ରାସ୍ତାରେ ଭାସୁଛି ପରିସ୍ରା, ଏମିତି ବ୍ରହ୍ମପୁର ସହରର ସ୍ୱଚ୍ଛ ବ୍ୟବସ୍ଥା

ବ୍ରହ୍ମପୁର: ଚାରିଆଡ଼େ ଧୂଳି ଜମିଛି। କବାଟ ଭାଙ୍ଗି ପଡ଼ିଛି। ଟାଙ୍କି ରହିଛି, କିନ୍ତୁ ସେଥିରେ ପାଣି ନାହିଁ। ପାଇପ୍ ମଧ୍ୟ ତଳେ ଗଡ଼ୁଛି। ଯେଉଁଠି ଦେଖିବ ସେଠି ଆବର୍ଜନା ଭର୍ତି ରହିଛି। ଏଭଳି ଦୟନୀୟ ଅବସ୍ଥାରେ ରହିଛି ବ୍ରହ୍ମପୁର ସହରର ସମସ୍ତ ମୋଡ଼ୁଲାର୍ ୟୁରିନାଲ୍ (ପରିସ୍ରାଗାର)। ମନୁଷ୍ୟ ତ ଦୂରର କଥା ପଶୁ ମଧ୍ୟ ସେଠାକୁ ଯିବାକୁ ଇଚ୍ଛା କରିବନି। ବାଧ୍ୟ ହୋଇ ଲୋକେ ପରିସ୍ରାଗାର ସମ୍ମୁଖରେ ହିଁ ପରିସ୍ରା କରୁଛନ୍ତି। ଯାହାଫଳରେ ରାସ୍ତାଘାଟରେ ପରିସ୍ରା ଭାସୁଛି। ଏଭଳି ସ୍ଥିତିରୁ ବ୍ରହ୍ମପୁର ମହାନଗର ସ୍ବଚ୍ଛତା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଘଟଣା ବିଷୟରେ ଜାଣିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ବାସିନ୍ଦା ଉଭୟେ ଉଭୟଙ୍କୁ ଦୋଷ ଦେବାରେ ଲାଗିପଡ଼ିଛନ୍ତି। ତାହାର କୌଣସି ସ୍ଥାୟୀ ବ୍ୟବସ୍ଥା ହେଉନଥିବା ବେଳେ ତାହାକୁ ସେଠାରୁ ମଧ୍ୟ ହଟାଯାଉ ନାହିଁ।

ବ୍ରହ୍ମପୁର ସହରରେ ଲୋକ‌େ ରାସ୍ତାକଡ଼ରେ ଆଉ ପରିସ୍ରା କରିବେନି। ସୁନ୍ଦର ସହର ଓ ସ୍ବଚ୍ଛ ସହରକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ସହରର ବିଭିନ୍ନ ସ୍ଥାନରେ ମୋଡୁଲାର୍ ୟୁରିନାଲ୍ ନିର୍ମାଣ ପାଇଁ ନିଷ୍ପତ୍ତି କରାଗଲା। ସ୍ବଚ୍ଛ ଭାରତ ମିସନ ଜରିଆରେ ଗତ ୨୦୧୭ରେ ୧୩ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମପୁର ସହରର ପ୍ରମୁଖ ୧୪ ସ୍ଥାନରେ ଏହି ପରିସ୍ରାଗାର ନିର୍ମାଣ କରାଗଲା। ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ, କୋର୍ଟ ନିକଟ, ଗେଟବଜାର ଭେଣ୍ଡିଂ ଜୋନ୍, ବ୍ରହ୍ମପୁର ଷ୍ଟାଡିୟମ, ହରିଡ଼ାଖଣ୍ଡି ଛକ, ବିଜିପୁର ବାପ୍ଟିଷ୍ଟ ଚର୍ଚ୍ଚ, ଆସିକାର ରୋଡ଼ ନେଳିଆବନ୍ଧ ସାହି, ଗାନ୍ଧୀ ପାର୍କ, ଟାଉନ ହଲ୍, ଏମ୍‌କେସିଜି ମେଡିକାଲ୍, ମାଝୀଗୌରୀ ଟାୱାର, ଆଙ୍କୋଲି ଓ ପାର୍କ ସାହି ନିକଟରେ ନିର୍ମାଣ କରାଗଲା। ସହରର ୧୪ଟି ସ୍ଥାନରେ ୧୯ଟି ୟୁନିଟ୍ ରହିଥିବା ବେଳେ ଗୋଟିଏ ୟୁନିଟ୍‌ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପରିସ୍ରାଗାର ରହିଥିଲା। ସବୁଠି ପ୍ୟାନ୍ ଲାଗିଥିବା ବେଳେ ପ୍ରତି ପରିସ୍ରାଗାର ପାଇଁ ସ୍ବତନ୍ତ୍ର ପାଣି ଟାଙ୍କି ଉପରେ ରହିଥିଲା। ପାଣି ପାଇଁ ପାଇପ୍ ବ୍ୟବସ୍ଥା ରହିବା ସହ ଆ‌ଲୋକୀକରଣ କରାଯାଇଥିଲା। ଏଥିସହ ସକାଳୁ ଓ ସନ୍ଧ୍ୟାରେ ଦୁଇ ଓଳା ତାହାକୁ ସଫେଇ ମଧ୍ୟ କରାଯାଉଥିଲା। ପ୍ରତିଦିନ ୨ଟି ପାଣି ଟାଙ୍କି ଗାଡ଼ି ପହଞ୍ଚି ସେହି ଛୋଟିଆ ଟାଙ୍କିରେ ପାଣି ଭର୍ତ୍ତି କରୁଥିଲେ। ଏଭଳି ଭାବେ କିଛି ଦିନ ଚାଲିଲା ପରେ ତାହା ବନ୍ଦ ହୋଇଗଲା।

ଏବେ ତ ସେହି ପରିସ୍ରାଗାର କଥା ନ କହିଲେ ଭଲ। କେଉଁଠି ତାହା ଭାଙ୍ଗି ପଡ଼ିଛି ତ ଆଉ କେଉଁଠି ଅଳିଆ ଜମା ହେଉଛି। ଆଉ କେତୋଟି ସ୍ଥାନରେ ମଦ୍ୟପାନ କରିବା ପାଇଁ ସୁବିଧା ପାଲଟିଛି। କେବଳ ଟାଉନ୍ ହଲ୍ ଠାରେ ସଠିକ୍ ଭାବେ ଚାଲିଥିବା ଜଣାପଡ଼ିଛି। ଏଭଳି ଅବସ୍ଥାରେ ରହିଥିବା ସତ୍ବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ନେଇ ଜନସାଧାରଣ ଅଭିଯୋଗ କରୁଛନ୍ତି। କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଲୋକେ ତାହାର ସଦୁପଯୋଗ କରୁ ନାହାନ୍ତି। ସେଠାରେ ପରିସ୍ରା କରିବା ବଦଳରେ ଶୌଚ କରିଆସୁଛନ୍ତି। ବେସିନ୍ ଲଗାଇଥିବା ବେଳେ ତାହାକୁ ଉପାଡ଼ି ନେଇ ଯାଉଛନ୍ତି। ସେଭଳି ବଲବ୍ ମଧ୍ୟ ଚ‌ୋରି କରି ନେଉଛନ୍ତି। ବାରମ୍ବାର ସେଠାରେ ସମସ୍ତ ପ୍ରକାର ସୁବିଧା ଯୋଗାଇଲେ ମଧ୍ୟ ଦୁର୍ବୃତ୍ତମାନେ ତାହାକୁ ଭାଙ୍ଗି ଦେଉଛନ୍ତି ବୋଲି କୁହାଯାଇଛି। ଏଭଳି ଅବସ୍ଥା ଯୋଗୁଁ ନା ଲୋକେ ତାହାର ଦାୟିତ୍ବ ନେଉଛନ୍ତି ନା ପ୍ରଶାସନ ଦାୟିତ୍ବ ନେଉଛି। ଯାହା ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପରିସ୍ରାଗାର ଦୟନୀୟ ସ୍ଥିତିରେ ରହିଛି।

ସମ୍ବନ୍ଧିତ ଖବର