ଭୁବନେଶ୍ୱର: ଆଜି ରାଜଧାନୀରେ ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି, ଯାହାକୁ ବିଶ୍ବାସ କରିବା ମଧ୍ୟ କଷ୍ଟ। ଜଣେ ସଫେଇ କର୍ମଚାରୀ ଯେଉଁ ଘରୁ ଆବର୍ଜନା ସଂଗ୍ରହ କରିଛି, ସେଇ ଘର ଅଗଣାରେ ପରିସ୍ରା କରିଛି। ପରିମଳ ପରିଚାଳନାକୁ ନେଇ ପୂର୍ବରୁ ଗଦା ଗଦା ଅଭିଯୋଗକୁ ନେଇ ବିଏମ୍ସି ବଦନାମ ହୋଇଥିବା ବେଳେ ଏଭଳି ଏକ ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି। ଏହି ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ନୂଆପଲ୍ଲୀ ବେହେରାସାହିରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ପୃକ୍ତ କର୍ମଚାରୀ ଆବର୍ଜନା ନେଇ ଠେଲାଗାଡ଼ିରେ ରଖି ପୁଣି ଥରେ ଅଗଣାକୁ ଫେରି ପରିସ୍ରା କରୁଛି। ଏହାର ସିସିଟିଭି ଫୁଟେଜ୍କୁ ବେହେରା ସାହିର ମନିଷା ପଟ୍ଟନାୟକ ଟ୍ବିଟ୍ କରିଛନ୍ତି। କେବଳ ଟ୍ବିଟ୍ କରିନାହାନ୍ତି, ସନ୍ଧ୍ୟାରେ ସେ କମିସନରଙ୍କୁ ମଧ୍ୟ ଭେଟିଛନ୍ତି। ତାଙ୍କୁ ଭିଡିଓ ଫୁଟେଜ୍ ଦେବା ସହ କର୍ମଚାରୀଙ୍କର ଏହି ଅଭାବନୀୟ କାଣ୍ଡ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ କହିଛନ୍ତି, ‘‘ନିକଟ ଅତୀତରେ ବାପାଙ୍କର ମୃତ୍ୟୁ ହେବା ପରେ ମୁଁ ମା’ଙ୍କ ସହ ରହୁଛି। ଅର୍ଥାତ୍ ଘରେ କେବଳ ମହିଳା ସଦସ୍ୟ ହିଁ ରହୁଛନ୍ତି। ସଫେଇ କର୍ମଚାରୀମାନେ ଏଭଳି ଅଗଣାରେ ପଶି ପରିସ୍ରା କରୁଥିବାରୁ ଆମେ ଭୟଭୀତ ହୋଇପଡ଼ିଛୁ। ଗୋଟିଏ ପଟେ ଓଦା-ଶୁଖିଲା ଆବର୍ଜନା ଅଲଗା ଅଲଗା କରିଦେବାକୁ ଓ ଏଣେତେଣେ ନ ପକାଇ କେବଳ ସଫେଇବାଲାକୁ ଦେବା ବିଏମ୍ସି କହୁଛି। କିନ୍ତୁ ଆବର୍ଜନା ନେବା ପାଇଁ ଯେଉଁ କର୍ମଚାରୀକୁ ଆମ ଘରକୁ ପଠାଉଛି, ସେ ଯଦି ଏଭଳି କରିବ ତେବେ ଆମେ କଣ କରିବୁ? ପରିସ୍ରା କରିବା ପରିବର୍ତ୍ତେ ଯଦି ସେ ଆଉ କ’ଣ ଅଘଟଣ ଘଟାଇଥା’ନ୍ତା, ତେବେ ବିଏମ୍ସି ଦାୟୀ ରହିଥା’ନ୍ତା କି? ସବୁଠାରୁ ବଡ଼କଥା ହେଉଛି, ୧୯୨୯ରେ କଲ୍ କରି ଅଭିଯୋଗ କରିବାକୁ ବିଏମ୍ସି କହୁଛି। ହେଲେ ଏଥିରୁ ବିଚିତ୍ର ଉତ୍ତର ମିଳୁଛି। ‘ଏ ନେଇ ଆମ ପାଖରେ କୌଣସି ସମାଧାନ ନାହିଁ’ ବୋଲି ସେଥିରୁ ଉତ୍ତର ମିଳିଛି। ଏବେ ଆମେ କଣ କରିବୁ? ସେଥିପାଇଁ ବାଧ୍ୟ ହୋଇ ଆମେ କମିସନରଙ୍କୁ ଭେଟି ଅଭିଯୋଗ କରିଛୁ। ତେବେ ସେ ପ୍ରତିଶ୍ରୁତି ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ସହ ଆଗକୁ ଏହା ଉପରେ ନଜର ରଖାଯିବ। କିନ୍ତୁ କାଲି ସକାଳେ ପୁଣି ସେହି କର୍ମଚାରୀ ଆସିବ, ଆମେ କଣ କରିବୁ...!’’
ଏ ନେଇ ବିଏମ୍ସି କହିଛି, ସହରର ବିଭିନ୍ନ ୱାର୍ଡରୁ ଏନ୍ଜିଓ ଜରିଆରେ ଘର ଘର ବୁଲି ଆବର୍ଜନା ଉଠାଯାଉଛି। କିନ୍ତୁ ଏହି ୱାର୍ଡରେ ଏନ୍ଜିଓ ଜରିଆରେ ନୁହେଁ, ବରଂ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା ହିଁ ଘରୁ ଆବର୍ଜନା ସଂଗ୍ରହ କରୁଛି। ଖବର ପାଇବା ପରେ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ହଟାଯାଇଛି। ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏ ମାମଲାକୁ ଯେତିକି ଗମ୍ଭୀରତାର ସହିତ ନେବାକଥା, ବିଏମ୍ସି ତାହା କରୁନାହିଁ ବୋଲି ସମାଲୋଚନା ହେଉଛି। ଏଠାରେ ଉଲ୍ଲେଖ କରାଯାଇପାରେ, ଗତ କର୍ପୋରେସନ ବୈଠକରେ କର୍ପୋରେଟର ରାଜକିଶୋର ଦାସ ଏହି ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ୧୯୨୯ରେ ଅଭିଯୋଗ କଲେ ସମାଧାନ ହେଉ ନାହିଁ। ଏହି ବ୍ୟବସ୍ଥାରେ କେତେ ଅଭିଯୋଗ ଆସୁଛି କେତେ ସମାଧାନ ହେଉଛି ତାହାର ବିବରଣୀ କର୍ପୋରେସନ ବୈଠକରେ ଉପସ୍ଥାପନ କରାଯାଉ। କମିସନର ବିଜୟ ଅମୃତା କୁଲାଙ୍ଗେ ସଫେଇ ଦେଇଥିଲେ, ବାରମ୍ବାର ଅଭିଯୋଗ ହେଉଥିବାରୁ ୧୯୨୯ ବ୍ୟବସ୍ଥାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ବଦଳାଯିବ। କିନ୍ତୁ ଏ ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।