ଭୁବନେଶ୍ୱର, : ଦେଶରେ କରୋନା ମହାମାରୀ ମୁକାବିଲା ନେଇ ଆମେରିକା ପକ୍ଷରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ଆମେରିକୀୟ ସଂସ୍ଥା ୟୁଏସ୍ଏଡ୍, ଭାରତୀୟ ରେଡକ୍ରସ ସୋସାଇଟି ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମେରିକାରେ ପ୍ରସ୍ତୁତ ଭେଣ୍ଟିଲେଟର କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ହୋଇଛି। ଜୁନ୍ ୧୪ତାରିଖରେ ପ୍ରଥମେ ୧୦୦ଟି ଭେଣ୍ଟିଲେଟର ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିଲା।
ଏହି ଭେଣ୍ଟିଲେଟର ଗୁଡ଼ିକ କ୍ଷୁଦ୍ର ଓ ସହଜରେ ବ୍ୟବହୃତ ହୋଇପାରିବ। ଭେଣ୍ଟିଲେଟର ବାଦ୍ ୟୁଏସ୍ଏଡ୍ ପକ୍ଷରୁ ଭେଣ୍ଟିଲେଟର ଚଳାଇବା ଲାଗି ଆବଶ୍ୟକ ଟ୍ୟୁବ୍, ଫିଲ୍ଟର ଓ ଅନ୍ୟ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ଭେଣ୍ଟିଲେଟର ପରିଚଳନା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ଲିନିକାଲ ତାଲିମ୍ ସହିତ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକର ଦକ୍ଷତା ବୃଦ୍ଧି ନେଇ ସହାୟତା ଦିଆଯାଉଛି। ଅଗଷ୍ଟ ୭ତାରିଖ ସୁଦ୍ଧା ଦେଶର ୩୦ ଲକ୍ଷ ଲୋକ ୟୁଏସ୍ଏଡ୍ରୁ ସିଧାସଳଖ ଲାଭବାନ ହୋଇଛନ୍ତି। କୋଭିଡ୍ ପାଇଁ ୪୦ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ୪୬ହଜାର ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ମହାମାରୀ ନେଇ ତାଲିମ ଦିଆଯାଇଛି।
ଆମେରିକୀୟ ରାଷ୍ଟ୍ରଦୂତ କେନିଥ ଆଇ. ଜଷ୍ଟର କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ୍ ଭାରତକୁ ୨ଶହ ଭେଣ୍ଟିଲେଟର ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଭିତ୍ତିରେ ବଳକା ୧୦୦ ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ଭାରତରେ କରୋନାର ମୁକାବିଲା ଦିଗରେ ଆମେରିକା ସହାୟତା ହାତ ବଢ଼ାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/ventilator.jpg)
