କଟକ : ଉଷାଶ୍ରୀ ପରିଡ଼ା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀ ଡାକ୍ତର ସୋମନାଥ ପରିଡ଼ାଙ୍କୁ ୨୦ ଦିନ ଅନ୍ତରୀଣ ଜାମିନ ମିଳିଛି। ହାଇକୋର୍ଟର ବିଚାରପତି ଜଷ୍ଟିସ ଜେ ପି ଦାସ ମାମଲାର ଶୁଣାଣି କରି ଏହି ଜାମିନ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆବେଦନକାରୀ ୧ମାସ ଅନ୍ତରୀଣ ଜାମିନ ଆବେଦନ କରିଥିଲେ।
ସୂଚନାଯୋଗ୍ୟ ୨୦୧୩, ଜୁନ ୩ତାରିଖରେ ନୟାପଲ୍ଲୀ ଅଞ୍ଚଳ ବାସିନ୍ଦା ଡାକ୍ତର ସୋମନାଥ ପରିଡ଼ା ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ୨ଶହ ଖଣ୍ଡ କରି ୨୨ଟି ଷ୍ଟିଲ କଣ୍ଟେନର ମଧ୍ୟରେ ପୂରାଇ ୧୦ଟି ଟ୍ରଙ୍କ ମଧ୍ୟରେ ଲୁଚାଇ ରଖିଥିଲେ । ଜୁନ ମାସ ୨୧ ତାରିଖରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ନୟାପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୩, ଅକ୍ଟୋବର ମାସ ୧୭ତାରିଖରେ ପୁଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ୨୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୁଲିସ ୭୦ ପୃଷ୍ଠାର ଚାର୍ଜସିଟ ଏସଡିଜେଏମ କୋର୍ଟରେ ଦାଖଲ କରିଥିଲା। ୨୦୧୪, ଫେବ୍ରୁଆରି ୧୨ତାରିଖରେ ଏହି ମାମଲାର ଶୁଣାଣି ଜିଲା ଦୌରାଜଜଙ୍କ କୋର୍ଟରେ ଆରମ୍ଭ ହୋଇଥିଲା। ନିମ୍ନ ଅଦାଲତରେ ଅଭିଯୁକ୍ତର ଜାମିନ ଆବେଦନ ଖାରଜ ହେବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରାଯାଇଥିଲା।