ଭୁବନେଶ୍ବର: ୨୦୨୪ ମାର୍ଚ୍ଚ ପ୍ରଥମ ସପ୍ତାହ। ଓଡ଼ିଶାର ଦୁଇଟି ବ୍ୟାଘ୍ର ପ୍ରକଳ୍ପ ସମେତ ଗୋଟିଏ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟଗୁଡ଼ିକରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଯାଇଥିଲା। ବନ ବିଭାଗ ନିୟମାବଳୀ ଜାରି କରି କହିଥିଲା ଯେ କୌଣସି ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ ନେଇ ଧରାପଡ଼ନ୍ତି, ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା ହେବ। ୨୦୨୪ ଏପ୍ରିଲ ପହିଲାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟର ସମସ୍ତ ଆରସିସିଏଫ୍, ଡିଏଫ୍ଓଙ୍କୁ କୁହାଯାଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ପରେ ସବୁ କଟକଣା କେବଳ କାଗଜ କଲମରେ ହିଁ ରହିଯାଇଛି। ଧରପଗଡ଼ ହେବା ଦୂରରେ ଥାଉ, ବଣଭୋଜି ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପ୍ଲାଷ୍ଟିକ ଏବଂ ପଲିଥିନ୍ ନେବାକୁ ଏପର୍ଯ୍ୟନ୍ତ ବାରଣ କରାଯାଇପାରି ନାହିଁ। ପରିଣାମ ସ୍ବରୂପ ଜଙ୍ଗଲ, ପାହାଡ଼, ଝରଣା ଆଦି ପ୍ରଦୂଷିତ ହେଉଛି। ଦେଓମାଳି ପରିବେଶକୁ ନେଇ ଫିଲ୍ମ ନିର୍ମାତା ରାଜମୌଲି ସାମାଜିକ ଗଣମାଧ୍ୟମରେ ସ୍ବର ଉଠାଇବା ପରେ ଜଙ୍ଗଲ ବିଭାଗର ପାରିବାପଣିଆ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।
ବର୍ଷେ ପରେ ବି ଲାଗୁ ହୋଇପାରିଲା ନାହିଁ
ନଷ୍ଟ ହେଉଛି ପାହାଡ଼, ଝରଣା, ଜଙ୍ଗଲ ପରିବେଶ
ବନ ବିଭାଗ ସହ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ପ୍ଲାଷ୍ଟିକ୍ କଟକଣା ସମ୍ପର୍କିତ ନିୟମାବଳୀ ଜାରି କରିଥିଲା। ଧାର୍ମିକ ସ୍ଥଳୀ, ଝରଣା, ସମୁଦ୍ରକୂଳ, ପାହାଡ଼ ଆଦିର ଶତାଧିକ ପର୍ଯ୍ୟଟନ ସ୍ଥଳୀ ତାଲିକା ପ୍ରକାଶ ସହ ସେଠାରେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। କୁହାଯାଇଥିଲା ଯେ ଏହାଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି। ବନ୍ୟଜନ୍ତୁଗୁଡ଼ିକ ସେହି ସାମଗ୍ରୀ ଖାଇବା ଦ୍ବାରା ରୋଗା ଗ୍ରସ୍ତ ହେଉଛନ୍ତି। ତେଣୁ ପ୍ରବେଶ ପଥରେ ଚେକିଂ ବେଳେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ପର୍ଯ୍ୟଟକ ଅଜାଣତରେ ସାଙ୍ଗରେ ପ୍ଲାଷ୍ଟିକ୍ ପାଣି ବୋତଲ ନେଇଥିବେ ତାହାହେଲେ ପ୍ରବେଶ ପଥରେ ସେମାନଙ୍କ ବୋତଲ ଉପରେ ଗୋଟିଏ ଷ୍ଟିକର ମରାଯିବ। ଏଥିସହ ବୋତଲ ପିଛା ସେମାନଙ୍କଠାରୁ ୨୦୦ ଟଙ୍କା ଲେଖାଏ ରଖାଯିବ। ଫେରିବା ସମୟରେ ପର୍ଯ୍ୟଟକମାନେ ସେହି ବୋତଲ ଦେଲେ, ସେମାନଙ୍କଠାରୁ ନିଆଯାଇଥିବା ୨୦୦ ଟଙ୍କା ଫେରସ୍ତ କରାଯିବ।
ବର୍ଷକ ପରେ ‘ଦେଓମାଳି’ର ଚିତ୍ର ଓ ଚରିତ୍ର ଦେଖିଲେ ବନ ବିଭାଗର କଟକଣାକୁ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ କିଭଳି ପାଳନ କରୁଛନ୍ତି ତାହା ଜଳଜଳ ହୋଇ ଦିଶୁଛି। ନିୟମାବଳୀ ଜାରି କରି ବନ ବିଭାଗ ବାବୁମାନେ ଚୁପ୍ ବସିଛନ୍ତି। କଟକଣା ପାଳନ ହେଉଛି କି ନାହିଁ ଦେଖିବାକୁ କେହି ନାହାନ୍ତି। ଏଥିପାଇଁ କାହାକୁ ଉତ୍ତରଦାୟୀ କରାଯାଇ ନ ଥିବାରୁ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଆଉ ସେପଟେ ବେଧଡ଼କ ଭାବେ ପରିବେଶକୁ ନଷ୍ଟ କରାଯାଉଛି। ଜାରି ହୋଇଥିବା ନିୟମାବଳୀରୁ ଗୋଟିଏ ବି ନିୟମ ପାଳନ ହେଉ ନାହିଁ। ଦେଓମାଳିର ପ୍ରବେଶ ପଥରେ ଫି’ ଆଦାୟ ହେଉଥିଲେ ମଧ୍ୟ ଲୋକଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ନେଇ ସଚେତନ କରାଯାଉ ନାହିଁ। କେବଳ ଦେଓମାଳି କାହିଁକି, ରାଜ୍ୟର କୌଣସି ଗୋଟିଏ ବି ପର୍ଯ୍ୟଟନ ସ୍ଥଳୀରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଯାଇପାରି ନାହିଁ। ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସ୍ବଚ୍ଛ କରିବାକୁ ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/29/Iuled4zSX10jeVwjmwns.jpg)