ନାଲିଫିତା ତଳେ ନାଲିବତି

୨୦୧୭ରୁ ପରିବହନ କମିସନରଙ୍କ ପାଖରେ ପଡ଼ି ରହିଛି ଫାଇଲ୍‌

ଭୁବନେଶ୍ବର, (ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ) : ଜରୁରି ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କର୍ତ୍ତବ୍ୟରତ ପ୍ରଶାସନିକ ଅଧିକାରୀ ନାଲିବତି ବ୍ୟବହାର କରିପାରିବେ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। କେଉଁ ଅଫିସରଙ୍କ ଗାଡ଼ିରେ କେଉଁ ରଙ୍ଗର ବତି ବ୍ୟବହାର ହେବ ତାକୁ ନିର୍ଦ୍ଧାରଣ କରିବାକୁ ୩ ବର୍ଷ ତଳୁ ରାଜ୍ୟ ପରିବହନ ବିଭାଗ ପରିବହନ କମିସନରଙ୍କୁ ଦାୟିତ୍ବ ଦେଲେଣି। ଅଥଚ ଆଜିଯାଏ ପରିହନ କମିସନରଙ୍କ ପାଖରେ ସମ୍ପୃକ୍ତ ଫାଇଲ୍‌ଟି ପଡ଼ିରହିଥିବା କଥା ସାମନାକୁ ଆସିଛି। ମହାମାରୀ କରୋନା ସମୟରେ ଏ ସମ୍ପର୍କରେ ସ୍ପଷ୍ଟ ଗାଇଡଲାଇନ୍‌ ନଥିବାରୁ କେଉଁ ଅଫିସର ତାଙ୍କ ସରକାରୀ ଗାଡ଼ିରେ କି ରଙ୍ଗର ବତି ବ୍ୟବହାର କରିବେ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।

Cross Town News

ସରକାରୀ ପଦପଦବିରେ ଥାଇ ଗାଡ଼ିରେ ନାଲିବତି ବ୍ୟବହାର କରିବା ଭିଭିଆଇପି ସଂସ୍କୃତି। ବିଶେଷକରି ଜନପ୍ରତିନିଧି ଏଥିରୁ କ୍ଷାନ୍ତ ରହିବା ଉଚିତ। ଏପରି ଆଦର୍ଶଗତ ବିଚାର କରି କେନ୍ଦ୍ର ସରକାର ୨୦୧୭ରେ କେନ୍ଦ୍ର ମୋଟର ଯାନ ଅଧିନିୟମରେ ସଂଶୋଧନ ଆଣିଲେ। କେନ୍ଦ୍ର ସରକାରଙ୍କ ଏହି ଅଧିନିୟମ ସେହିବର୍ଷ ମେ’ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ସଂଶୋଧିତ ଅଧିନିୟମ ଅନୁଯାୟୀ କେବଳ ଆଇନଶୃଙ୍ଖଳା ପରିସ୍ଥିତି, ପ୍ରାକୃତିକ ଦୁର୍ବିପାକ ସମୟରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ କର୍ତ୍ତବ୍ୟ ପାଳନ କରିବାକୁ ଯିବା ସମୟରେ ସେମାନଙ୍କ ସରକାରୀ ଗାଡ଼ିରେ ନାଲି, ନୀଳ ଓ ଅମ୍ବର(କମଳା) ରଙ୍ଗର ବତି ଗାଡ଼ିରେ ବ୍ୟବହାର କରିପାରିବେ। କେଉଁ ଅଫିସର ଗାଡ଼ିରେ ବତି ବ୍ୟବହାର କରିବାକୁ ଯୋଗ୍ୟ ଓ କେଉଁ ରଙ୍ଗର ବତି ତାଙ୍କ ଗାଡ଼ିରେ ରହିବ ସେଥିପାଇଁ ରାଜ୍ୟ ସରକାରମାନେ ସ୍ଥିର କରିବେ। କେନ୍ଦ୍ର ସରକାରଙ୍କ ଅଧିନିୟମ କାର୍ଯ୍ୟକାରୀ ହେବାର ୧୧ ଦିନ ପୂର୍ବରୁ ଅର୍ଥାତ୍‌ ୨୦୧୭ ଏପ୍ରିଲ୍‌ ୨୦ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗାଡ଼ିରୁ ନାଲିବତି କାଢ଼ି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଅନୁକରଣ କରି ରାଜ୍ୟର କୌଣସି ମନ୍ତ୍ରୀ କିମ୍ବା ସାମ୍ବିଧାନିକ ପଦପଦବିରେ ଥିବା ଜନପ୍ରତିନିଧିମାନେ ସେବେଠାରୁ ଆଉ ନାଲିବତି ବ୍ୟବହାର କରୁନାହାନ୍ତି।

୨୦୧୭ ଜୁନ୍‌ ୫ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ଶାସନ ସଚିବ ତତ୍କାଳୀନ ପରିବହନ କମିସନରଙ୍କୁ ଚିଠି ଲେଖି ସରକାରୀ ଅଧିକାରୀଙ୍କ ଗାଡ଼ିରେ ବତି ବ୍ୟବହାର ପାଇଁ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯୁଗ୍ମ ଶାସନ ସଚିବଙ୍କ ଚିଠି ନମ୍ବର ୩୯୭୩ ଅନୁଯାୟୀ ଜରୁରି ଓ ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗର କର୍ତ୍ତବ୍ୟରତ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ିରେ କେଉଁ ରଙ୍ଗର ବତି ଲାଗିବ ତାକୁ କମିସନର ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତିବର୍ଷ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏହି କୋଡ଼ ସମ୍ପର୍କରେ ପ୍ରକାଶ କରାଯିବା କଥା। ଖାଲି ସେତିକି ନୁହେଁ, ଏହାକୁ କଡ଼ାକଡ଼ି ଅନୁପାଳନ କରିବାକୁ ଯାହା ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ ସେଥିପାଇଁ ଆବଶ୍ୟକ ନିୟମ ପ୍ରସ୍ତୁତ କରିବାକୁ ମଧ୍ୟ ପରିବହନ କମିସନରଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏବେ ସୁଦ୍ଧା କମିସନର ଏ ସଂକ୍ରାନ୍ତରେ କିଛି ହେଲେ ବି ପଦକ୍ଷେପ ନେଇନାହାନ୍ତି। ବରଂ ସାନି କୋଡ଼ ପ୍ରସ୍ତୁତ ହେବାକୁ ଥିବାରୁ ୨୦୧୪ରେ ଅଫିସରମାନଙ୍କ ତାଲିକା ପ୍ରସ୍ତୁତ କରି ପରିବହନ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ୨୦୧୭ ଜୁନ୍‌ ପହିଲାରେ ସରକାର ବାତିଲ କରିଦେଇଛନ୍ତି। ସେତିକିରେ ଏ କାର୍ଯ୍ୟକ୍ରମ ଅଟକିଛି।

VectorStock

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି କହୁଛି, ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ, ପ୍ରତିରକ୍ଷା ବାହିନୀ, ପାରାମିଲିଟାରି ଫୋର୍ସଙ୍କ ଗାଡ଼ିରେ ୩ଟି ରଙ୍ଗର ବତି ବ୍ୟବହାର କରିହେବ। ଏଥିସହିତ ଭୂମିକମ୍ପ, ବନ୍ୟା, ମାଟିଅତଡ଼ା ଖସିବା, ବାତ୍ୟା, ସୁନାମି, ମନୁଷ୍ୟକୃତ ଦୁର୍ବିପାକ ଯେପରିକି ପରମାଣୁ ବିପର୍ଯ୍ୟୟ, ରସାୟନିକ ଓ ଜୈବିକ ବିପର୍ଯ୍ୟୟ ବେଳେ କର୍ତ୍ତବ୍ୟରତ ଅଧିକାରୀମାନଙ୍କ ଗାଡ଼ିରେ ବତି ବ୍ୟବହାର ହୋଇପାରିବ। ନାଲି ହେଉକି ନୀଳ କିମ୍ବା ଅମ୍ବର ରଙ୍ଗର ବତି ସମ୍ପୃକ୍ତ ଅଧିକାରୀ ଗାଡ଼ିରେ ବସିବାବେଳେ କେବଳ ବ୍ୟବହାର କରିପାରିବେ। ଅନ୍ୟଥା କୌଣସି ବି ପରିସ୍ଥିତିରେ ସେହି ଅଧିକାରୀ ଗାଡ଼ିରେ ନଥିଲେ ସମ୍ପୃକ୍ତ ବତିଟିକୁ ତାଙ୍କ ଗାଡ଼ିରୁ କାଢ଼ି ଦିଆଯିବ। ଅର୍ଥାତ୍‌ ପୂର୍ବ ପରି ଆଉ ନାଲିବତି ଗାଡ଼ିରେ ସ୍ଥାୟୀ ଭାବେ ଲାଗି ରହିବ ନାହିଁ।

ଦୁର୍ବିପାକ ସମୟରେ କାହା ଗାଡ଼ିରେ କେଉଁ ବତି ଲାଗିବ ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ କୋଡ଼ ନିରୂପିତ ହୋଇପାରିନି। ନିକଟରେ କରୋନା ମହାମାରୀ ସମୟରେ ବିଏମ୍‌ସି କମିସନର ତାଙ୍କ ଗାଡ଼ିରେ ନାଲିବତି ବ୍ୟବହାର କରିଥିବାରୁ ବିରୋଧୀଙ୍କ ସମାଲୋଚନାର ଶିକାର ହେଲେ। ପରେ ତାଙ୍କୁ ନାଲିବତି କାଢ଼ିବାକୁ ପଡ଼ିଛି। କୋଭିଡ୍‌ ମହାମାରୀକୁ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ବୋଲି ଘୋଷଣା କରିଥିବାବେଳେ ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର ବଢ଼ିଚାଲିଛି। ଏଭଳି ସ୍ଥିତିରେ କର୍ତ୍ତବ୍ୟରତ ପ୍ରଶାସନିକ ଅଧିକାରୀଙ୍କ ନାଲିବତି ବ୍ୟବହାର ନେଇ ନିଷ୍ପତ୍ତି ନେବାରେ ସରକାରଙ୍କ ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର