ଜମିଜମା ରେକର୍ଡ଼ ଡାକରେ ନେଲେ ଲାଗିବ ୟୁଜର ଫି

ଭୁବନେଶ୍ବର: ଏଣିକି ଡାକ ଯୋଗେ ଜମିଜମା କବଲା କିମ୍ବା ରେକର୍ଡ଼ ନେବାକୁ ହେଲେ ୟୁଜର ଫି ଦେବାକୁ ପଡ଼ିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ନେଇ ଏକ ସଂକଳ୍ପ ଜାରି କରିଛି । ସଂକଳ୍ପ ଅନୁଯାୟୀ ୨୫ ପୃଷ୍ଠା ସମ୍ବଳିତ ରେକର୍ଡ଼ ପାଇଁ ୬୦ ଟଙ୍କା ଓ ୨୫ ପୃଷ୍ଠାରୁ ଉର୍ଦ୍ଧ୍ବ ରେକର୍ଡ଼ ସ୍ପିଡ୍ ପୋଷ୍ଟରେ ପଠାଇଲେ ୮୦ ଟଙ୍କା ୟୁଜର ଫି ବାବଦରେ ଦେବାକୁ ପଡ଼ିବ । ୟୁଜର ଫିକୁ ନିଜେ କ୍ରେତା କିମ୍ବା କ୍ରେତାଙ୍କ ଦ୍ବାରା ନିଯୁକ୍ତ ଅଧିକୃତ ବ୍ୟକ୍ତି ଜମି କିଣାବିକା ପଞ୍ଜିକରଣ ସମୟରେ ପଞ୍ଜିକରଣ ଅଧିକାରୀଙ୍କ ପାଖରେ ନିର୍ଦ୍ଧାରିତ ବ୍ୟାଙ୍କ ଜରିଆରେ ଦାଖଲ କରିବେ । ଜମି କିଣାବିକା ସଂକ୍ରାନ୍ତ ରେକର୍ଡ଼ ପତ୍ର ଶୀଘ୍ର ଲୋକଙ୍କୁ ଯୋଗାଇଦେବାକୁ ସରକାର ଓଡ଼ିଶା ପଞ୍ଜିକରଣ ରୁଲ ୧୯୮୮ରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ତତ୍କାଳ ଲାଗୁ କରିବାକୁ ବିଭାଗୀୟ ସଚିବ ସବୁ ରାଜସ୍ବ ଅଧିକାରୀଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର