ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଧାରା ସଂପର୍କରେ ଉଭୟ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅର୍ଥାତ୍ ମନ୍ତ୍ରୀ ଉଷା ଦେବୀ ଓ ବିଧାୟିକା ପ୍ରମିଳା ମଲ୍ଲିକ ତଦନ୍ତ କରି ରିପୋର୍ଟ ଦେବେ। ଆଜି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସାଂସଦଙ୍କ କାର୍ଯ୍ୟଧାରା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଆଜି ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କର୍ମୀ ଯୋଡି ହୋଇଛନ୍ତି। ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପଣ୍ଡା ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ବୈଜୟନ୍ତ ଓ ବିଜେଡି ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ରାଜନୀତି ଜମିଛି। ପୂର୍ବରୁ ବୈଜୟନ୍ତଙ୍କ ଉପରେ ମାହାଙ୍ଗାରେ ହୋଇଥିବା ଅଣ୍ଡା଼ ମାଡ଼ ଓ ଆକ୍ରମଣ ଘଟଣାରେ ଉଷା ଦେବୀ ତଦନ୍ତ କରିଥିଲେ ଓ ପ୍ରତିପକ୍ଷ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏଥର କିନ୍ତୁ ବୈଜୟନ୍ତଙ୍କ କାର୍ଯ୍ୟଧାରାର ତଦନ୍ତ କରିବେ ଉଷା ଓ ପ୍ରମିଳା।
ନିଶ୍ଚିନ୍ତକୋଇଲି ପରେ ମହାକାଳପଡା କର୍ମୀ ନବୀନଙ୍କୁ ଫେରାଦ ହେଲେ
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଲେ
ଆଜି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା। ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି। ନିର୍ବାଚିତ ଲୋକପ୍ରତିିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି। ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠିର ସୁଷମ ବଣ୍ଟାନ କରାଯାଉ। ଏ ସଂପର୍କରେ ସେତେବେଳେ ଖବରକାଗଜରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଏହା ସତ୍ତ୍ୱେ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି। ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି। ବିଜେଡି କର୍ମୀ ଆହୁରି ଅଭିଯୋଗ କରିଛନ୍ତି, ଗତବର୍ଷ ମହାକାଳପଡ଼ାରେ ଅନୁଷ୍ଠିତ ଏକ ଜନସଭାରେ କିଛି ନିର୍ଦିଷ୍ଟ ଅପରାଧୀଙ୍କୁ ଧରି ସାଂସଦ ପହଞ୍ଚିଥିଲେ। ଏଥିଯୋଗୁଁ ସେ ସ୍ଥାନୀୟ ଜନତାଙ୍କ ରୋଷର ଶିକାର ହୋଇଥିଲେ। ଦଳର ହିତ ହେବା ଭଳି ସେ କାର୍ଯ୍ୟ କରୁନାହାନ୍ତି। ବରଂ ସ୍ଥାନୀୟ ଅଞ୍ଚଳର ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସାଙ୍ଗରେ ନିର୍ଦିଷ୍ଟ କିଛି ବିଜେପି ନେତାଙ୍କୁ ନେଇ ଯାଉଛନ୍ତି ଓ ବିରୋଧୀ ଦଳ କର୍ମୀ ଏବଂ ନେତାଙ୍କ ସହିତ ବସୁଛନ୍ତି। ଦୁଇଦିନ ତଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେତେବେଳେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା।
ଉଲ୍ଲେଖଥାଉକି, ନିଶ୍ଚିନ୍ତକୋଇଲି ବ୍ଲକରେ ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ ପ୍ରସଙ୍ଗକୁ ନେଇ ବିଜେଡି ବିବାଦ ପଦାକୁ ଆସିଥିଲା। ଶ୍ରୀ ପଣ୍ଡା ଏହି ଘଟଣାରେ ଖୋଲାଖୋଲି ତୃତୀୟ ମହଲାକୁ ଆଙ୍ଗୁଠି ଉଠାଇବା ପରେ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି। ସାଂସଦ ଶୃଙ୍ଖଳାର ସବୁ ସୀମା ସରହଦ ଡେଇଁ ସାରିଲେଣି ବୋଲି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ପୂର୍ବରୁ କହିଥିଲେ। ଏହା ସତ୍ତ୍ୱେ ସେ ଥମିନଯାଇ କେତେବେଳେ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ପ୍ରତିକ୍ରିୟା ରଖୁଥିଲେ ତ ଆଉ କେତେବେଳେ ଟ୍ଵିଟ୍ କରି ଦଳୀୟ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ସାଂସଦଙ୍କୁ ସମର୍ଥନ କରି ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ପୂର୍ବତନ ସାଂସଦ ବୈଷ୍ଣବ ପରିଡା ମଧ୍ୟ ତୃତୀୟ ମହଲାଙ୍କୁ ଆଙ୍ଗୁଳି ଉଠାଇଥିଲେ। ହେଲେ ଗତକାଲି ଉଭୟ ନବୀନଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ନୂଆ ମୋଡ଼ ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Baijayant-Panda.jpg)