ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ନିଶାମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ ‘ନମୋ ଯୁବା ରନ୍’ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମ୍ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଆୟୋଜିତ ଏହି ଗଣଦୌଡ଼ରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଯୁବକଯୁବତୀ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କଳିଙ୍ଗ ଷ୍ଟାଡିୟମଠାରେ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରି ନିଶାମୁକ୍ତ ସମାଜ ଗଠନ କରିବା, ଯୁବବର୍ଗର ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଦେଶ ଗଠନରେ ଉପଯୋଗ କରିବା ଏବଂ ସମସ୍ତେ ଏକାଠି ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଯୋଗଦାନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ।
ନିଶାମୁକ୍ତ ଭାରତ ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଗଣଦୌଡ଼
ଏହି କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ଜନତା ମଇଦାନଠାରେ ଏହି ଗଣଦୌଡ଼ ସମାପନ କରାଯାଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।