୮୫ ବର୍ଷର ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସି ଋଗ୍‌ଣ, ପାଣ୍ଠି ଅଭାବରୁ ଔଷଧ ତିଆରି ବନ୍ଦ

ଆସିକା : ରାଜ୍ୟର ସମବାୟ ସହର ଭାବେ ଗଞ୍ଜାମ ଜିଲ୍ଲାର ଆସିକା ସହର। ଦିନେ ସାରା ଓଡ଼ିଶାରେ ଗୌରବ ବହନ କରୁଥିବା ଆସିକାର ଅନେକ ସମବାୟ ଶିଳ୍ପ ଆଜି ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ଅବସ୍ଥା ଦେଇ ଗତି କରୁଛି। କିଛି ବନ୍ଦ ହେବାକୁ ବସିଲାଣି। ଏମିତି ଏକ ପ୍ରତିଷ୍ଠାନ ହେଉଛି, ୧୯୩୭ ମସିହାରେ ନିର୍ମିତ ଉତ୍କଳ ଆୟୁର୍ବେଦିକ ଫାର୍ମାସି ଲିମିଟେଡ୍‌। ରାଜ୍ୟର ଏକମାତ୍ର ଏହି ଆୟୁର୍ବେଦିକ ଫାର୍ମାସି ସରକାରଙ୍କ ଦୂର ଦୃଷ୍ଟି ଅଭାବରୁ ରୁଗ୍‌ଣ ଅବସ୍ଥା ଦେଇ ଗତି କରୁଛି। ସ୍ଥିତି ଏମିତି ହୋଇଛି ଯେ, ହାତଉଧାରିରେ ବର୍ତ୍ତମାନ ଏହି ସଂସ୍ଥା ପରିଚାଳିତ ହେଉଛି।
ଆସିକା ସହର ମୁଖ୍ୟରାସ୍ତାରେ ୧୯୩୭ ମସିହାରେ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ବାରା ଉତ୍କଳ ଆୟୁର୍ବେଦିକ ଫାର୍ମାସି ଲିମିଟେଡ୍‌ ଅନୁଷ୍ଠାନ ଆରମ୍ଭ ହୋଇଥିଲା। ୧୯୫୨ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ଅନୁଷ୍ଠାନଟି ସମବାୟ ସ˚ସ୍ଥାରେ ପରିଣତ ହେଲା। ଏଠାରୁ ପ୍ରସ୍ତୁତ ଔଷଧ କୋଲାକାତାଠୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶର ସୋମପେଟା ଏବ˚ ଓଡ଼ିଶାର ଭଦ୍ରକ, ଛତ୍ରପୁର, ଖୋର୍ଦ୍ଧା, ରାୟଗଡ଼ା, ଅନୁଗୁଳ, ଟାଙ୍ଗୀ, ଜୟପୁର, କଟକ, ବ୍ରହ୍ମପୁର, ରାଉରକେଲା, ଗୁଣୁପୁର, ପାରଳାଖେମୁଣ୍ତି, ପୁରୀ, ତାଳଚେର ଢେଙ୍କାନାଳ, ବାଲେଶ୍ବର ସମେତ ୨୦ରୁ ଅଧିକ ସହରରେ ଥିବା ନିଜସ୍ବ କେନ୍ଦ୍ରକୁ ପଠାଯାଉଥିଲା। ବିଭିନ୍ନ ପ୍ରକାର ଦୂରାରୋଗ୍ୟ ଚିକିତ୍ସା ପାଇଁ ଔଷଧ ଏଠାରୁ ପ୍ରସ୍ତୁତ ହେଉଥିଲା। କେବଳ ଆସିକାର ଏହି ମୁଖ୍ୟଶାଖାରେ ଔଷଧ ପ୍ରସ୍ତୁତି କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଆବଶ୍ୟକ ମୁତାବକ ରପ୍ତାନି କରାଯାଉଥିଲା।
ବର୍ତମାନ ଏହି ବିକ୍ରୟ କେନ୍ଦ୍ର ସ˚ଖ୍ୟା କମି ୧୨ରେ ପହଞ୍ଚିଛି। ବାର୍ଷିକ ୨ କୋଟି ଟଙ୍କାରୁ ଅଧିକ ଔଷଧ ବିକ୍ରି ହେଉଥିବା ବେଳେ ତାହା ବର୍ତ୍ତମାନ ଏକ କୋଟିରେ ପହଞ୍ଚିଛି। ପାଣ୍ଠି ଅଭାବରୁ ଔଷଧ ପ୍ରସ୍ତୁତ ହୋଇପାରୁ ନଥିବାରୁ ବର୍ଷକୁ ବର୍ଷ ବିକ୍ରି ସଂଖ୍ୟା ଚିନ୍ତାଜନକ ଭାବେ କମିବାରେ ଲାଗିଛି। ଉନ୍ନତମାନର ଔଷଧ ପ୍ରସ୍ତୁତ ପାଇଁ ସୁନାରୁପା ଆଦି ବହୁ ମୂଲ୍ୟବାନ ସାମଗ୍ରୀ କିଣି ତାହାର ଭସ୍ମ ପ୍ରସ୍ତୁତ କରାଯାଉଥିଲା। ଏହାକୁ ଔଷଧରେ ବ୍ୟବହାର କରାଯାଉଥିଲା। ସେହିପରି ଉତ୍ତରପ୍ରଦେଶରୁ ମୂଲ୍ୟବାନ୍‌ କଙ୍କଣ ଫୁଲ ଆସୁଥିଲା। କିନ୍ତୁ ଆର୍ଥିକ ସଂକଟ ହେତୁ ଏସମସ୍ତ ଧାତୁ ଏବେ କିଣିବା ସମ୍ଭବପର ହେଉନି। ଏଭଳି ପରିସ୍ଥିତିରେ ଏଠାରୁ ପ୍ରସ୍ତୁତ ଔଷଧ ଓଡ଼ିଶାର କୌଣସି ସରକାରୀ ଆୟୁର୍ବେଦିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀଙ୍କୁ ପ୍ରଦାନ ପାଇଁ ଯାଉନାହିଁ। ଆବଶ୍ୟକ ପାଣ୍ଠି ଅଭାବ ଓ ଆବଶ୍ୟକ ବ୍ୟାଙ୍କ୍ ଋଣ ନମିଳିବାରୁ ହାତଉଧାର ଉପରେ ଏହି ସଂସ୍ଥା ନିର୍ଭର କରିବାକୁ ବାଧ୍ୟ ହେଉଛି। ବାତ୍ୟା ଓ ବନ୍ୟା ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ଏହି ସଂସ୍ଥା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଛି। ସରକାର ଏଥିପ୍ରତି ଦୃଷ୍ଟି ନ ଦେବା କାରଣରୁ ଏହି ସମବାୟ ସଂସ୍ଥା ଡୁବିବା ପରିସ୍ଥିତିରେ ପହଞ୍ଚିଛି ବୋଲି କିଛି କର୍ମଚାରୀ ଆଲୋଚନା ବେଳେ କହିଛନ୍ତି।
ଏହି ସ˚ସ୍ଥାର ପରିଚାଳନା ଦାୟିତ୍ବ ୨୦୧୧-୧୨ ଆର୍ଥିକ ବର୍ଷରେ ସରକାରଙ୍କ ହାତକୁ ଯାଇଛି। ତଥାପି ୨୦୧୧ ମସିହାରୁ ଫାର୍ମାସି କ୍ଷତିରେ ଚାଲିଛି। ବର୍ତ୍ତମାନ ଏଠାରେ ୩୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ସେମାନେ ମଧ୍ୟ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଖୁବ୍ କମ୍ ପାରିଶ୍ରମିକ ପାଉଛନ୍ତି। ଆର୍ଥିକ ଦୁର୍ବଳତା ନୂତନ ଜ୍ଞାନକୌଶଳ, ଯନ୍ତ୍ରପାତି ଓ ଉନ୍ନତମାନର ଭିତ୍ତିଭୂମି କିଣାଯାଇପାରୁନି। ଫଳରେ ଅନ୍ୟ ବେସରକାରୀ ଆୟୁର୍ବେଦିକ ଔଷଧ ପ୍ରସ୍ତୁତକାରୀ କ˚ପାନି ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ଏହି ପ୍ରତିଷ୍ଠାନ ଅସମର୍ଥ ପାଲଟିଥିବା ମନେ ହେଉଛି। ତଥାପି ଏଠାରୁ ପ୍ରସ୍ତୁତ ଔଷଧର ଚାହିଦା ଆଜି ବି ବଜାରରେ ରହିଛି। କିନ୍ତୁ ଔଷଧକୁ ସରକାର ସିଧା କିଣି ବିଭିନ୍ନ ଆୟୁର୍ବେଦିକ ଡିସ୍‌ପେନ୍‌ସାରି ଓ ଆୟୁର୍ବେଦିକ ହସ୍ପିଟାଲକୁ ପଠାଇଥିଲେ ଭଲ ହୁଅନ୍ତା। ଏହାସହ ସ୍ଥିତି ମଧ୍ୟ ସୁଦୃଢ଼ ହୋଇପାରିଥାନ୍ତା। କିନ୍ତୁ ପୁନରୁଦ୍ଧାର ପାଇଁ ସରକାରୀ ସହାୟତା ନିତାନ୍ତ ଆବଶ୍ୟକ। ଏହାସହ ଉନ୍ନତମାନର ଯନ୍ତ୍ରପାତି ବ୍ୟବସ୍ଥା ସହ ଭିତ୍ତିଭୂମି ବିକାଶର ଆବଶ୍ୟକ ରହିଛି।  ହେଲେ ସରକାରୀ ଅଧିକାରୀଙ୍କ ଅବହେଳା କାରଣରୁ ପ୍ରତିଷ୍ଠାନ ବର୍ତମାନ କ୍ଷତିରେ ଚାଲିଥିବା ମତପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର