ଯାଜପୁର(ଅନିଲ କୁମାର ପଣ୍ଡା): ବିପଦରେ ଯାଜପୁରର ସର୍ବପୁରାତନ ଉତ୍କଳ ବାଳାଶ୍ରମ। ଏଠାରେ ସବୁ ଠିକ ଠାକ୍ ଥାଇବି ଆଉ ଆଗ ପରି ରହିବାକୁ ପସନ୍ଦ କରୁନାହାନ୍ତି ଅନ୍ତେବାସୀ। ଯାହାକି ଅନେକ ସମୟରେ କର୍ମଚାରୀମାନଙ୍କ ଅନୁପସ୍ଥିତର ସୁଯୋଗ ନେଇ ଖସି ପଳାଉଛନ୍ତି ଅନ୍ତେବାସୀ। ବଡ କଥା ହେଲା ଅନ୍ତେବାସୀ ନିଖୋଜ ପରେ ବି ବାଳାଶ୍ରମ କର୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କୁ ଏନେଇ ଅବଗତ ନକରି ଚୁପ୍ ରହିବା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ସରକାର ବାଳାଶ୍ରମ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯାଇ ପାରୁନଥିବାରୁ ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପଟେ ଏହାର ତ୍ରୁଟି ଲୁଚାଇବାକୁ ଖବର ପରିବେଷଣ ପାଇଁ ଗଣମାଧ୍ୟମକୁ ମଧ୍ୟ ପ୍ରବେଶ ନିଷେଧ କରାଯାଇଛି।
ସୂଚନା ଅନୁସାରେ ଉତ୍କଳ ବାଳାଶ୍ରମ ନିର୍ମାଣର ଲକ୍ଷ୍ୟ ଥିଲା ଅବହେଳିତ, ମା ବାପାଙ୍କ ହରାଇଥିବା ପୁଅପିଲାମାନେ ଏଠାରେ ରହି ଶିକ୍ଷାଲାଭ କରିବା ସହ ନିଜର ଚରିତ୍ର ବିକାଶ କରିବେ । ତେବେ ବର୍ତମାନ ସମୟରେ ବାଳାଶ୍ରମ ତାର ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ବର୍ତମାନ କର୍ମଚାରୀ ଅଛନ୍ତି,ଉପଯୁକ୍ତ ଅର୍ଥ ମଂଜୁରୀ ହେଉଛି କିନ୍ତୁ ସେ ସବୁ ସଠିକ ଭାବେ କାମରେ ଲାଗୁନି। ଆଗରୁ ୩/୪ ଜଣ କର୍ମଚାରୀରେ ବାଳାଶ୍ରମ ପରିଚାଳନା ହେଉଥିବା ବେଳେ ବର୍ତମାନ ୨ ଜଣ ଆଉଟ ସୋରସିଂ କର୍ମଚାରୀଙ୍କୁ ମିଶାଇ ୧୨ ଜଣକର୍ମଚାରୀ ୪୪ ଜଣ ପିଲାଙ୍କ ପାଇଁ ନିଯୁକ୍ତି ପାଇଛନ୍ତି। ବର୍ତମାନ ସବୁ ଥାଇବି ପିଲାମାନେ ଦୟନୀୟ ଅବସ୍ଥାରେ ରହିବାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଚଳିତ ବର୍ଷରେ ତୃତୀୟ ଥର ପାଇଁ ବାଳାଶ୍ରମରୁ ୪ ଜଣ ପିଲା ଦୁଇ ଦିନ ତଳେ ଖସି ପଳାଇ ଥିଲେ। ଯାହାକି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖବର ପାଇବା ପରେ ପିଲାମାନଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ହସ୍ତାନ୍ତର କରିଛି। କିନ୍ତୁ ପିଲା ନିଖୋଜ ଜାଣି ବି ବାଳାଶ୍ରମ କର୍ତୃପକ୍ଷ ଏନେଇ କାହାକୁ ନଜଣାଇ ଚୁପ୍ ରହିବା ସମସ୍ତଙ୍କୁ ଚକିତ କରିଛି।
ପୂର୍ବରୁ ବୟଷ୍କ ଲୋକ କାର୍ଯ୍ୟରେ ଅବହେଳା କରୁଥିବା ହୃଦୟଙ୍ଗମ କରାଯାଇ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ବିଗତ ୩/୪ ବର୍ଷ ହେଲା ଯୁବ କର୍ମଚାରୀମାନଙ୍କୁ ନିଯୁକ୍ତି ମିଳିଛି। ଯାହାକି ସେମାନଙ୍କ ବାବଦକୁ ମାସିକ ଏକ ଲକ୍ଷ ୩୫ ହଜାର ସରକାର ଦରମା ବାବଦକୁ ବ୍ୟୟ କରୁଛନ୍ତି। ଜଣେ ସୁପରିଟେଣ୍ଟେଟ୍ ୨୫ ହଜାର, ଜଣେ କେସ ୱାର୍କର ୧୭୫୦୦, ଜଣେ କାଉନସିଲର ୧୭୦୦୦, ଏକାଉଣ୍ଟାଟ୍ ୧୪୦୦୦, ପାରାମେଡିକାଲ ଷ୍ଟାଫ୍ ୯୦୦୦, ୨ ଜଣ ହାଉସଫାଦର ଜଣକା ୧୧ ହଜାର ଲେଖାଏଁ, ରୋଷେୟା ୯ହଜାର ଏବଂ ସହାୟକ ୬୦୦୦, ହାଉସକିପର ୬୦୦୦, ରାତ୍ରି ଜଗୁଆଳ ୬ ହଜାର ଏବଂ ଡାଟା ଏଣ୍ଟ୍ରି ଅପରେଟର ୬ ହଜାର ଟଙ୍କା ଦରମା ପାଉଛନ୍ତି। କିନ୍ତୁ ସେହି ତୁଳନାରେ ପ୍ରତିଫଳନ ମିଳୁନଥିବା ଅଧିକାରୀମାନେ ଅନୁଭବ କରୁଛନ୍ତି। ସମୟ ବଦଳିଛି। ସରକାର ମାସିକ ପିଲା ପିଛା ୨୧୬୦ ଟଙ୍କା ପ୍ରଦାନ କରୁଛନ୍ତି। ତଥାପି ଆଜି ବି ବାଳାଶ୍ରମ ପିଲାଙ୍କ ଚିତ୍ର ଓ ଚେହେରା କୌଣସି ବସ୍ତି ଅଞ୍ଚଳ ଠାରୁ ଉନ୍ନତ ଦେଖା ଯାଉନାହିଁ। ମୁକୁଳା ଡ୍ରେସକୁ ନୁଖୁରା ଚୁଟି ସେମାନଙ୍କ ସ୍ବାଧିନତାକୁ ବାଟବଣା କରିଥିବାର ଚିତ୍ର ଦୈନିକ ଦେଖିବାକୁ ମିଳୁଛି। ପିଲାମାନଙ୍କୁ ସ୍ନେହର ଅଭାବ ରହିଥିବା ବେଳେ ସେମାନଙ୍କ କଥା ବୁଝିବାକୁ ନିଯୁକ୍ତ କର୍ମଚାରୀ ପିଲାମାନଙ୍କ ଅପେକ୍ଷା ନିଜ ଚାକିରି ରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ଯାହାକି ପିଲାମାନେ ସେଠାରେ ରହିବାକୁ ଇଚ୍ଛା ପ୍ରକାଶ ନକରି ଲୁଚି ପଳାଇବାକୁ ବାଧ୍ୟ ହେଉଥିବା ଜଣେ ପିଲା ଉଦ୍ଧାର ଦିନ ମତ ରଖିଥିଲେ।
ବିଭିନ୍ନ ସାମାଜିକ ଅନୁଷ୍ଠାନର ସହାୟତା, ଟାଟା ପକ୍ଷରୁ ନୂତନ ପ୍ରକୋଷ୍ଠ ନିର୍ମାଣ, ଓରେଡା ପକ୍ଷରୁ ସୋଲାର ହିଟ ୱାଟର ବ୍ୟବସ୍ଥା ଆଦି ଯୋଗାଇ ଦିଆଯାଉଥିଲେ ବି ପ୍ରକୃତ ତ୍ରୁଟି କେଉଁଠି ରହୁଛି ତାହା ଜାଣିବାକୁ କୌଣସି କର୍ମଚାରୀ ଆଗ୍ରହ କରୁନାହାନ୍ତି। ଏପରିକି ନିଯୁକ୍ତ କର୍ମଚାରୀ ମାନେ ସେମାନେ ଏକ ଶିଶୁ ୟତ୍ନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ନିଜର ଦାୟିତ୍ବ କଣ ତାହାକୁ ଭୁଲି ଯାଉଥିବା ଅଭିଯୋଗ ହେଉଛି। ଯାହାକି ସରକାରୀ ଅର୍ଥ କେବଳ ପାଣିରେ ଯାଉଛି ବୋଲି କୁହାଯାଉଛି। ଏପରିକି ଡିଏସଡବ୍ଲୁ ବିଭାଗ ଏହି ଅନୁଷ୍ଠାନର ବିଭାଗୀୟ ମୁଖ୍ୟ ହୋଇଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀଙ୍କ ବାଳାଶ୍ରମର ଅନ୍ତେବାସୀ ସଂଖ୍ୟା କହିବାର କ୍ଷମତା ନଥିବା ଦେଖିବାକୁ ମିଳୁଛି। ବାଳାଶ୍ରମର ଭଲମନ୍ଦ, କେମିତି ଚାଲିଛି ,କଣ ଘଟୁଛି ସେ ନେଇ କେବେ ତଦନ୍ତ ତ ଦୂରର କଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନାକ ତଳେ ଥିବା ବାଳାଶ୍ରମ ପରିଭ୍ରମଣରେ ମଧ୍ୟ ଯାଉନାହାନ୍ତି। ତେବେ ଏହି କ୍ୟାମ୍ପସ ଭିତରେ ଶିଶୁ ଯତ୍ନ କେନ୍ଦ୍ର(ସା) ଓ ଶିଶୁମଙ୍ଗଳ ସମିତିର କାର୍ଯ୍ୟାଳୟ ରହିଥିଲେ ମଧ୍ୟ ସାଧାରଣ ଲୋକ ଦୂରର କଥା ଗଣମାଧ୍ୟମକୁ ମଧ୍ୟ ଭିତକୁ ପ୍ରବେଶ ନିଷେଧ କରାଯାଇଛି। ଯାହାକି ଏନେଇ ବାଳାଶ୍ରମର ସୁପରିଟେଣ୍ଟେ୍ଟ୍ ପ୍ରଜ୍ଞାସିନୀ ସାହୁ ମୁହଁଖୋଲୁ ନଥିବା ବେଳେ ଉଚ୍ଚ ଅଧିକାରୀଙ୍କ ନାମରେ ଦୋଷଛଡା ହୋଇଯାଉଛନ୍ତି। ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।