ଉତ୍କଳ ଔଷଧ ବ୍ୟବସାୟୀ ସଂଘର ନିର୍ବାଚନକୁ ନେଇ ବିବାଦ

ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ଅଭିଯୋଗ

ଭୁବନେଶ୍ବର : ଆସନ୍ତାକାଲି (ଶନିବାର) ଉତ୍କଳ ଔଷଧ ବ୍ୟବସାୟୀ ସଂଘ(ୟୁସିଡିଏ)ର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରକ୍ରିୟାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ସଂଘ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି। ୟୁସିଡିଏର ଜନସଂପର୍କ ଅଧିକାରୀ ପ୍ରଗତି ମହାନ୍ତି ଓ ଅର୍ଗାନାଇଜିଂ ସେକ୍ରେଟାରି ବନୋଜ ଜେନା ସଂଘର ନିର୍ବାଚନକୁ ନେଇ ହୋଇଥିବା ଅନିୟମିତତା ସଂପର୍କରେ ମୁହଁ ଖୋଲିଛନ୍ତି। ଆଜି ହୋଟେଲ ଯଯାତି‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ସଂଘର ବର୍ତ୍ତମାନ ସାଧାରଣ ସମ୍ପାଦକ ଥିବା ପ୍ରଶାନ୍ତ କୁମାର ମହାପାତ୍ର ନିର୍ବାଚନରେ ଜାଲିଆତି କରିବାକୁ ପ୍ରୟାସ କରିଛନ୍ତି। ସଂଘର ନିୟମ ଅନୁଯାୟୀ, ୩୦ଟି ଜିଲ୍ଲାର ନିର୍ବାଚନ ଶେଷ ହେବା ପରେ ରାଜ୍ୟ ସଂଘର ନିର୍ବାଚନ ହେବା କଥା। ମାତ୍ର ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ପୁନର୍ବାର ସାଧାରଣ ସମ୍ପାଦକ ଭାବେ ନିଜର ଗାଦି ବଞ୍ଚାଇବା ପାଇଁ ଚଞ୍ଚକତା କରିଛନ୍ତି। ଏଥିପାଇଁ ସେ ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ବର ଭଳି କେତେକ ଜିଲ୍ଲାକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦେଇଛନ୍ତି, ଯାହାକି ନିୟମ ବିରୋଧୀ। ଯାଜପୁର ଜିଲ୍ଲାର ବନୋଜ ଜେନା ସାଧାରଣ ସମ୍ପାଦକ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ତାଙ୍କ ସମର୍ଥନରେ ଥିବା ଜିଲ୍ଲାଗୁଡ଼ିକୁ ଶ୍ରୀ ମହାପାତ୍ର ଏହି ନିର୍ବାଚନୀ ପ୍ରକ୍ରିୟାରୁ ବାଦ୍‌ ଦେଇଛନ୍ତି।

ଏହାଛଡ଼ା ଶ୍ରୀ ମହାପାତ୍ର ବେଆଇନ ଭାବେ ୟୁସିଡିଏ ନାମରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ‌ ଖୋଲି କୋଟିଏରୁ ଊର୍ଧ୍ବ ଟଙ୍କା ହଡ଼ପ କରିଛନ୍ତି। ବେଆଇନ୍‌ ଲାଇସେନ୍ସ ବ୍ୟବହାର କରି ବ୍ୟବସାୟ କରିବା ଭଳି ଅନେକ ଅନୈତିକ କାର୍ଯ୍ୟରେ ମଧ୍ୟ ଲିପ୍ତ ଥିବା ଏହି ସାମ୍ବାଦିକ ସମ୍ମିଳନୀ‌ରେ ଅଭିଯୋଗ କରାଯାଇଛି। ଏନେଇ ତାଙ୍କ ବିରୋଧରେ ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି। ଏହାର ନିରପେକ୍ଷ ତଦନ୍ତ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ନେବା ପାଇଁ ଜନ ସମ୍ପର୍କ ଅଧିକାରୀ ଶ୍ରୀ ମହାନ୍ତି, ବନୋଜ ମହାନ୍ତି, ଆର୍ଯ୍ୟ କୁମାର ପ୍ରଧାନ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର