ଆଜିଠୁ ଉତ୍କଳରେ ସହ-ଶୈକ୍ଷିକ ପ୍ରତିଯୋଗିତା

୧୪ ବିଶ୍ୱବିଦ୍ୟାଳୟ, ଦୁଇ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସାମିଲ, ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ କୁଳାଧିପତି

ଭୁବନେଶ୍ୱର : ଶିକ୍ଷା ଗ୍ରହଣ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ମଙ୍ଗଳବାରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଟି ସରକାରୀ ବିଶ୍ବବିଦ୍ୟାଳୟ ଓ ଦୁଇଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିବେ। ଉଦ୍‍ଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର୍‌ ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ହଲ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଆଚାର୍ଯ୍ୟ କହିଲେ ଯେ ତିନି ଦିନିଆ ଏହି ପ୍ରତିଯୋଗିତାରେ ଉତ୍କଳ ସମେତ ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଗଙ୍ଗାଧର ମେହେର, କଳାହାଣ୍ଡି, ଖଲ୍ଲିକୋଟ୍‌, ରାଜେନ୍ଦ୍ର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ଏହି ବିଶ୍ବବିଦ୍ୟାଳୟ ବ୍ୟତୀତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସଓୟୁ), ଓଡ଼ିଶା ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜି ଓ ରିସର୍ଚ୍ଚ(ଓୟୁଟିଆର), ନାଇଜର ଓ ଆଇଜରର ଛାତ୍ରଛାତ୍ରୀ ମଧ୍ୟ ଭାଗ ନେବେ। ୧୫ଟି ବିଭାଗ ଯଥା ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା, କୁଇଜ୍‌, ଚିତ୍ରାଙ୍କନ/ପେଣ୍ଟିଂ, ଏକକ ଅଭିନୟ, ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଲଘୁ କଣ୍ଠସଙ୍ଗୀତ ଆଦିର ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରମୁଖ ପ୍ରତିଯୋଗିତାଗୁଡ଼ିକ ଏମ୍‌କେସିଜି ଅଡିଟୋରିୟମ୍‌ରେ ହେବାକୁ ଥିବା ବେଳେ କ୍ୟାମ୍ପସର ବିଭିନ୍ନ ହଲ୍‌ରେ ଅନ୍ୟ ପ୍ର‌ତିଯୋଗିତା ହେବ।

ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର୍‌ ଆଚାର୍ଯ୍ୟଙ୍କ ସମେତ କୁଳସଚିବ ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର୍‌ ମିତାଲି ଚିନ୍ନାରା, ଆଇନ ବିଭାଗ ପ୍ରାଧ୍ୟାପକ ଏମ୍‌.କେ ସାଡୁଆଳ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ସଂଯୋଜିକା ପ୍ରଫେସର୍‌ ପଦ୍ମାଳୟା ମହାପାତ୍ର ଉପସ୍ଥିତି ଥିଲେ।

ସମ୍ବନ୍ଧିତ ଖବର