ଉତ୍କଳ ଦିବସ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ: ଓଡ଼ିଆରେ ନାମ ଫଳକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି

ଖୋର୍ଦ୍ଧା: ଚଳିତ ବର୍ଷ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଆଜି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଏନେଇ ଅନୁଷ୍ଠିତ ବୈକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ଅପ୍ରିଲ୍ ୧ ତାରିଖ ଠାରୁ ଖୋର୍ଦ୍ଧା ସହର ଓ ଜିଲ୍ଲାରେ ଅନ୍ୟ ସ୍ଥାନଗୁଡ଼ିକରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଅନୁଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା । ଓଡ଼ିଶା ଦିବସ ଅବସରରେ ସହରର ପ୍ରମୁଖ ସ୍ଥାନରେ ତୋରଣ ଲାଗିବ ।

ଅପ୍ରିଲ୍ ୧ ତାରିଖରେ ସକାଳୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ସହରରେ ଥିବା ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ଣ ୧୧ଟାରେ ବେଳେ ସରକାରୀ କାର୍ଯ୍ୟାଳୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ରାତିରେ ଆଲୋକସଜ୍ଜା କରାଯିବ । ସଂଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାଧାରଣ ସଭା, ପୁରସ୍କାର ବିତରଣ ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହ ସଂସ୍କୃତି ଭବନ ପରିସରରେ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯିବ । ଓଡ଼ିଶା ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟସ୍ତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ହେବ । ଏହା ଆସନ୍ତା ୨୪ ତାରିଖ ସୁଦ୍ଧା ଶେଷ ହେବ । ସେହିଭଳି ମହାବିଦ୍ୟାଳୟସ୍ତର ବକ୍ତୃତା ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ପ୍ରାଣନାଥ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହେବ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ସ୍ୱାସ୍ଥ୍ୟାଧିକାରୀ ଡା ଜୀବନ୍ତ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ଶ୍ୱେତପତ୍ମା ଶତପଥି, ଓରମାସ୍ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଣ୍ଡିଚା ବେହେରା, ଶିକ୍ଷାବିତ୍ ପ୍ରଫେସର ନାରାୟଣ ରାଓ, ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ, ଅଧ୍ୟାପକ ସୁବୋଧ କୁମାର ଜଗଦେ୍ଦବ, ଖୋର୍ଦ୍ଧା ଓକିଲା ସଂଘ ସଭାପତି ଶିଶିର କୁମାର ପରିଡ଼ା, ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଶାଖାର ସମ୍ପାଦକ ବିଚିତ୍ର କୁମାର ବଡ଼ଜେନାଙ୍କ ସହ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ ।

ସମ୍ବନ୍ଧିତ ଖବର