ଭୁବନେଶ୍ୱର : ବିଜେପି ନେତା ବିଜୟ ମହାପାତ୍ର ଆଜି ସ୍ଥାନୀୟ କସ୍ତୁରବା ନାରୀମହଲ ଠାରେ ଉତ୍କଳ ଦିବସ ପାଳନ କରିବା ଛଳରେ ଏକ ରାଜନୈତିକ ଗୁୁଗ୍ଲି ଛାଡିଛନ୍ତି। ରାଜ୍ୟରେ ତୃତୀୟ ରାଜନୈତିକ ବିକଳ୍ପ ଶକ୍ତି ସଂପର୍କରେ ଆଜି ଇଙ୍ଗିତ କରିଛନ୍ତି ଶ୍ରୀ ମହାପାତ୍ର। ସେ ବିଜେପି ଛାଡିବେ ନା ଅନ୍ୟ କୌଣସି ରାଜନୈତିକ ଦଳକୁ ଯିବେ କିମ୍ବା କୌଣସି ନୂଆ ଦଳ ଗଠନ କରିବେ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ହେଲେ ସୂଚାଇଛନ୍ତି ଯେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ଲାଗି ଆଜିଠାରୁ ତାଙ୍କର ଲଢେଇ ଜୋରଦାର ହେବ।
ପ୍ରଥମ ପଦକ୍ଷେପ ସ୍ୱରୂପ ଶ୍ରୀ ମହାପାତ୍ର ଯୁବ କାର୍ଡ ଖେଳିଛନ୍ତି। ବେକାରି ପ୍ରସଙ୍ଗ ଉଠାଇ ଦାବି କରିଛନ୍ତି, ଓଡ଼ିଶାର କେତେ କୁଶଳୀ, ଅଣକୁଶଳୀଙ୍କୁ ଏ ମଧ୍ୟରେ ନିଯୁକ୍ତି ଦିଆଯାଇଛି ତାହା ଶ୍ୱେତପତ୍ର ଆକାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବର୍ସାଧାରଣରେ ପ୍ରକାଶ କରନ୍ତୁ। ଓଡ଼ିଶାର ନେତୃତ୍ୱ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନେବେ ବୋଲି ସଙ୍କେତ ଦେଇ ଶ୍ରୀଜୀଉମାନଙ୍କ ରଥକନାର ରଙ୍ଗକୁ ଭିତ୍ତି କରି ଉତ୍କଳ ଦିବସ ଅବସରରେ ଓଡ଼ିଶା ପାଇଁ ନୂଆ ପତାକା ତିଆରି କରି ତାହାର ଉତ୍ତୋଳନ କରିଛନ୍ତି।
ଦୀର୍ଘ ଦିନର ନିରବତା ପରେ ବିଜୟଙ୍କର ଏହି ରାଜନୈତିକ ଗୋଟିଚାଳନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ସଂପ୍ରତି ବିଭିନ୍ନ ରାଜନୈତିକ ଦଳରେ ଅନ୍ତଃକନ୍ଦଳ ଶୀର୍ଷ ଛୁଇଁଥିବା ବେଳେ ମୁଖ୍ୟ ବିରୋଧୀ କଂଗ୍ରେସ ଗଡ଼ ଦୋହଲିଲାଣି। ଏଭଳି ସମୟରେ କାହାକୁ ନଜରରେ ଶ୍ରୀ ମହାପାତ୍ର ବିକଳ୍ପ ଶକ୍ତି ଗଠନ କରିବାକୁ ଚିନ୍ତା କରୁଛନ୍ତି, ସର୍ବୋପରି ଭୋଟ ରାଜନୀତିରେ ଏହାର ପ୍ରଭାବ ରହିବ ନା ନାହିଁ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି। ବିଜୟ ବିଜେପି ଛାଡି ରାଜ୍ୟର ବଛା ବଛା ନେତାଙ୍କ ସହ ମିଶି ତୃତୀୟ ମହାଶକ୍ତି ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ବିଜେପି ସହିତ ବରିଷ୍ଠ ନେତା ବିଜୟ ମହାପାତ୍ର ଅଛନ୍ତି ନା ନାହିଁ? ଏ ନେଇ ନା ବିଜେପି ସ୍ପଷ୍ଟ କରୁଛି ନା ବିଜୟ। ସେ ଦଳୀୟ କାର୍ଯ୍ୟାଳୟକୁ ଯାଉନାହାନ୍ତି କିମ୍ବା ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳର ଚିହ୍ନ ବ୍ୟବହାର କରୁନାହାନ୍ତି। ବିଜେପି ନେତା ଓ ବିଜୟଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ପ୍ରସଙ୍ଗରେ ତୁ ତୁ ମେ ମେ ଲାଗି ରହିଛି। ପ୍ରଶ୍ନ ଉଠୁଥିଲା, ବାସ୍ତବରେ ବିଜୟ ଯିବେ କୁଆଡେ?
ଆଜି ହଠାତ୍ ଜନ ଅଧିକାର ପରିଷଦ ବ୍ୟାନରରେ ଉତ୍କଳ ଦିବସ ପାଳନ କରିବାକୁ ଯାଇ ସେ ବୁଲେଇ ବଙ୍କେଇ ଏହାର ଉତ୍ତର ଦେଇଛନ୍ତି। ବିଜେଡି ଓ ବିଜେପିକୁ ପରୋକ୍ଷ ସମାଲୋଚନା କରି କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ଓ ବିକାଶ ଲାଗି ଲୋକଙ୍କ ମାନସିକତାରେ ପରିବର୍ତନ ଲୋଡ଼ା। ମେଗା ଇଭେଣ୍ଟ, ପ୍ରଚାର ସର୍ବସ୍ୱ ଓ ଭାଷଣବାଜି ଦ୍ୱାରା ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ବରଂ ଯୁବପିଢ଼ିଙ୍କୁ ନିଯୁକ୍ତି, ଚାଷୀଙ୍କୁ ସେମାନଙ୍କ ହକ୍ ପ୍ରଦାନ, ଲୋକଙ୍କୁ ସେମାନଙ୍କ ଅଧିକାର ଦେଇପାରିଲେ ଓଡ଼ିଶାର ବିକାଶ ସମ୍ଭବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଥିଲେ, ପ୍ରଚାର ସର୍ବସ୍ୱ ହୋଇ ଓଡ଼ିଶାର ବିକାଶ ଚିତ୍ର ଆଙ୍କିବା ଭୁଲ୍ ହେବ। ନଈରେ ଆଉ ପାଣି ନାହିଁ। ସାରା ରାଜ୍ୟରେ ଉତ୍କଟ ଜଳ ସମସ୍ୟା ସୃଷ୍ଟି ହୋଇଛି। ୨୦୧୮ରେ ଓଡ଼ିଶାରେ ଏଭଳି ସ୍ଥିତି ହେବ ବୋଲି କେହି ବି କେବେ ଭାବି ନ ଥିଲେ। ଏଏସ୍ଆଇର ରତ୍ନଭଣ୍ଡାର ମରାମତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜୟ। କହିଥିଲେ, ରତ୍ନଭଣ୍ଡାରରୁ ପାଣି ଗଳୁଛି ବୋଲି କ’ଣ ଏପ୍ରିଲ ମାସରେ ଜଣାପଡ଼ିଲା? ଯେତେବେଳେ ପାଣି ଗଳୁଥିଲା ସେତେବେଳେ ମରାମତି କରାଗଲା ନାହିଁ କାହିଁକି? ଯୁବପିଢ଼ିଙ୍କୁ ଲକ୍ଷ୍ୟ ରଖି ଶ୍ରୀ ମହାପାତ୍ର କହିଥିଲେ, ଅଧିକାଂଶ ସମୟରେ ନିଯୁକ୍ତି ନେଇ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏବେ ଓଡ଼ିଶାରେ ୬୫ ପ୍ରତିଶତ ଇଞ୍ଜିନିୟରିଂ କଲେଜରେ ସିଟ୍ ଖାଲି ପଡ଼ିଛି। ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି। ସମସ୍ତେ କେବଳ ବିବୃତି ଦେବାରେ ବ୍ୟସ୍ତ। ଆଓ୍ଵାଜ ବାଲା ପ୍ରତିଶ୍ରୁତି ଦେଇ ଭବିଷ୍ୟତ ପିଢ଼ିଙ୍କୁ ବାଟବଣା କର ନାହିଁ ବୋଲି ସେ ଚେତାଇ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ୍ ଗୁରୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ଦିବସ ଆତ୍ମ ସମୀକ୍ଷା କରିବାର ଦିନ ବୋଲି ସୂଚାଇଥିଲେ। ପ୍ରଶ୍ନ ଉଠିଥିଲା, ଓଡ଼ିଶା ୮୨ ବର୍ଷ ପରେ ଓଡ଼ିଆ ଭାଷା କେଉଁଠି? ଓଡ଼ିଶାର ଭୌଗୋଳିକ ସ୍ଥିତି ଯେତିକି ଥିଲା ତାହା ଧୀରେ ଧୀରେ କମିଗଲାଣି। ଅନ୍ୟ ରାଜ୍ୟମାନେ ଓଡ଼ିଶାକୁ ମାଡ଼ି ଆସୁଥିଲେ ମଧ୍ୟ ରୋକ ଲଗାଯାଇପାରୁନି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ସମ୍ପତ୍ତିରେ ପରିଣତ କରିପାରିନୁ। ଏଥିପାଇଁ ଦୃଢ଼ ରାଜନୈତିକ ନେତୃତ୍ୱର ଆବଶ୍ୟକତା ରହିଛି। ବିଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ରବି ଦାସ, ରାଜାରାମ ଶତପଥୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ହୁସେନ୍ ରବି ଗାନ୍ଧୀ ପ୍ରମୁଖ ଉପସ୍ଥିତ ବକ୍ତବ୍ୟ ପ୍ରଦାନ କରିଥିଲେ।