ଆଜି ଉତ୍କଳ ଦିବସ : ଫାଇଲ୍‌ ତଳେ ଓଡ଼ିଆ ଭାଷା କାର୍ଯ୍ୟକାରିତା

୨ ବର୍ଷରେ ୪୨ ବ୍ୟବସାୟିକ ଅନୁଷ୍ଠାନ ନାଁରେ ମାମଲା

ରାଉରକେଲା : ଆଜି (ଗୁରୁବାର) ରାଜ୍ୟ ପାଳିବ ୮୫ତମ ଉତ୍କଳ ଦିବସ। ଆଜିର ଦିନ ଅର୍ଥାତ୍‌ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା। ଓଡ଼ିଶା ମାଟି ମା’କୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ। ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ, ଗଞ୍ଜାମକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ। କିନ୍ତୁ ଅନ୍ୟ ରାଜ୍ୟ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ପଞ୍ଚିମବଙ୍ଗ ଆଦି ରାଜ୍ୟରେ ନିଜସ୍ବ ମାତୃ୍ଭାଷାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ଓଡ଼ିଶାରେ ତା ନାହିଁ। ଆଜିକୁ ୮୫ ବର୍ଷ ବିତିଯାଇଥିଲେ ହେଁ ଓଡ଼ିଆ ଭାଷାକୁ ସାର୍ବଜନୀନ କରାଯାଇ ପାରି ନାହିଁ। ସେପଟେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିଛନ୍ତି ଉତ୍କଳ ସମ୍ମିଳନୀ, ନୀଳଶୈଳ, ନୀଳଚକ୍ର, ଓଡ଼ିଆ ଭାଷା ବିକାଶ ମଞ୍ଚ ପରି ଅନେକ ଭାଷା ଭିତ୍ତିକ ସଙ୍ଗଠନ। କିନ୍ତୁ ଆଜିଯାଏଁ ଓଡ଼ିଶା ଭାଷାକୁ ସରକାରୀ ସ୍ତରରେ ଯେତିକି ଗୁରୁତ୍ବ ଦିଆଯିବା କଥା, ତା ହେଉ ନାହିଁ। ସଭା ସମିତିରେ ଓଡ଼ିଆ ଭାଷାକୁ ନେଇ କେବଳ କୁ୍ମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ଦଳର ନେତା। ଫଳ କିନ୍ତୁ ଶୂନ୍‌।

ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅଫିସ୍‌, ହୋଟେଲ, ରେସ୍ତୋରାଁ, ମଲ୍, ସୋ’ରୁମ୍‌ ଆଗରେ ଲାଗିଥିବା ନାମ ଫଳକ, ଡିସ୍‌ପ୍ଲେ ବୋର୍ଡରେ ଓଡ଼ିଆ ଭାଷାକୁ ପ୍ରାଥମିକତା ଦେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଜିଲ୍ଲାରେ ଏବେ କିଛି ଅନୁଷ୍ଠାନ ସରକାରଙ୍କ ଏହି ନିୟମକୁ ଅନୁପାଳନ କରୁ ନାହାନ୍ତି। ନିୟମଭଙ୍ଗକାରୀଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହେଉଛି। ନିର୍ଦ୍ଦେଶ ଉଲ୍ଲଂଘନକାରୀ ବ୍ୟବସାୟିକ ଅନୁଷ୍ଠାନ କୋର୍ଟରେ ଦଣ୍ଡିତ ମଧ୍ୟ ହୋଇଛନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ, ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର ଆଦି ପୌରାଞ୍ଚଳ ଅଧୀନରେ ୫, ୦୨୩ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ବାଣିଜ୍ୟିକ ପ୍ରତିଷ୍ଠାନ ପଞ୍ଜିକରଣ ପ୍ରମାଣପତ୍ର ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୪, ୯୩୯ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ହୋଟେଲ, ମଲ୍‌, ରେସ୍ତୋରାଁ, ସୋ’ରୁମ୍‌ରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇଛନ୍ତି। ଅବଶିଷ୍ଟ ଅନୁଷ୍ଠାନ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୪୨ରୁ ଅଧିକ ବ୍ୟବସାୟିକ ଅନୁଷ୍ଠାନ ନାଁରେ ମାମଲା ରୁଜୁ ହୋଇଛି। ଅନ୍ୟମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର କହିଛନ୍ତି।

Sambad English

ସେ କହିଛନ୍ତି, ନିୟମିତ ବ୍ୟବଧାନରେ ଓଡ଼ିଆ ଲେଖିନଥିବା ବ୍ୟବସାୟିକ ଅନୁଷ୍ଠାନରେ ଚଢ଼ଉ କରାଯାଉଛି। ଯେଉଁମାନେ ଓଡ଼ିଆ ଲେଖି ନାହାନ୍ତି କିମ୍ବା ଲେଖାଥିବା ଅକ୍ଷର ସ୍ପଷ୍ଟ ପଢ଼ି ନ ହେଉଛି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଉଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ କୋର୍ଟ ମାମଲା ରୁଜୁ ହେଉଛି। କେବଳ ବାଣିଜ୍ୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିଦେଲେ ଚଳିବ ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ଓଡ଼ିଶା ଭାଷାକୁ ଯେ ପର୍ଯ୍ୟନ୍ତ ଗୁରୁତ୍ବ ଦିଆ ନଯାଇଛି ସେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାର୍ବଜନୀନ ହେଲା ବୋଲି ଆମେ କହି ପାରିବା ନାହିଁ ବୋଲି ମତ ରଖିଛନ୍ତି ବିଭିନ୍ନ ଓଡ଼ିଆ ଭାଷା ସୁରକ୍ଷା ସଙ୍ଗଠନ।

ଓଡ଼ିଆ ଭାଷା ବହୁ ପ୍ରାଚୀନତମ ଶାସ୍ତ୍ରୀୟ ଭାଷା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଓଡ଼ିଆ ଭାଷା ଓଡ଼ିଶାରେ ସାର୍ବଜନୀନ ହୋଇ ପାରିଲା ନାହିଁ। ଏହାକୁ କାର୍ଯ୍ୟକାରୀ ନ କରିବା ଦୁଃଖ ଓ ପରିତାପର ବିଷୟ। ଏହା ଏଭଳି ଏକ ରାଜ୍ୟ ନିଜର ଭାଷାକୁ ନିଜ ରାଜ୍ୟ୍ୟରେ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କଚେରୀରୁ ଅମଲା ପର୍ଯ୍ୟନ୍ତ ସବୁ ଜାଗାରେ ଭାଷାପ୍ରେମୀଙ୍କୁ କଳାପତାକା, ଗଣଧାରଣା, ଆମରଣ ଅନଶନ କରିବାକୁ ପଡୁଛି। ସମସ୍ତେ ଜାଣିରଖିବା ଦରକାର ମାତୃଭାଷା ହେଉଛି ଗୋଟିଏ ଜାତିର ଅସ୍ମିତା। ଗୋଟିଏ ଦେଶର ପ୍ରାଣ ସ୍ପନ୍ଦନ ହେଉଛି ତାହାର ମାତୃଭାଷା। ଭାଷା ବଞ୍ଚିଲେ ଜାତି ବଞ୍ଚିବ। ଜାତିର ପରିଚୟ ରହିବ।
ଆର୍ତ୍ତତ୍ରାଣ ମହାପାତ୍ର, ସମ୍ପାଦକ,ଓଡ଼ିଆ ଭାଷା ବିକାଶ ମଞ୍ଚ

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲାବେଳେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବାକୁ ବିଲ୍‌ ପାରିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ଇଂରାଜୀ ଭାଷା ପରି ଓଡ଼ିଆ ଭାଷାକୁ ଗୁରୁତ୍ବ ଦେଇଥିଲେ। ଇଂରାଜୀ ଭାଷାକୁ ଗୁରୁତ୍ବ ଦିଆ ହେଲା କିନ୍ତୁ ଓଡ଼ିଆ ଭା‌ଷା ସାର୍ବଜନୀନ ହୋଇ ପାରିଲା ନାହିଁ। ସରକାର‌ ଅନେକଥର ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି। ଆଜି ଯାଏଁ ସରକାରୀ ସ୍ତରରେ ଖଣ୍ଡିଏ ଓଡ଼ିଆ ଚିଠି ଲେଖାଯାଇ ପାରିଲା ନାହିଁ। ଉତ୍କଳ ସମ୍ମିଳନୀ ତା’ର ସଂଗ୍ରାମ ଜାରି ରହିଛି। ଯେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାର୍ବଜନୀନ ନ ହୋଇଛି, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ।
ବିଚିତ୍ରାନନ୍ଦ ସାହୁ, କେନ୍ଦ୍ରୀୟ ଉପସଭାପତି, ଉତ୍କଳ ସମ୍ମିଳନୀ

ଓଡ଼ିଆ ଭାଷା ରାଜ୍ୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ନାହିଁ, ସରକାର ଏଥିପ୍ରତି ତତ୍ପର ନୁହନ୍ତି। ସରକାର ଯେ ପର୍ଯ୍ୟନ୍ତ କଡା ନିର୍ଦ୍ଦେଶନାମା ଜାରି ନ କରିଛନ୍ତି, ସେ ପର୍ଯ୍ୟନ୍ତ ରାଜ୍ୟରେ ଓଡ଼ିଶା ସାର୍ବଜନୀନ ହୋଇ ପାରିବ ନାହିଁ। ଆମ ସଙ୍ଗଠନ ସଂଗ୍ରାମ ଜାରି ରଖିଛି। ଆଗାମି ଦିନରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଭଳି ଲଢ଼େଇ କରାଯିବ। ସରକାରୀ ଓ ଘରୋଇ ଅଫିସରେ ଲୋକଙ୍କୁ ଓଡ଼ିଆ ଭାଷାରେ ଲେଖିବାକୁ ବାଧ୍ୟ କରିବୁ।
ନରହରି ଖାଡଙ୍ଗା, ସଭାପତି, ନୀଳଚକ୍ର

ଆଗାମି ତିନି ମାସ ମଧ୍ୟରେ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକକୁ ଓଡ଼ିଆ ଭାଷାରେ ଲେଖିବାକୁ ସଂକଳ୍ପ ନେଇଛୁ। କେବଳ ଏତିକି ନୁହେଁ ସମ୍ମିଳନୀର କର୍ମକର୍ତ୍ତା, ଅନ୍ୟ ଓଡ଼ିଆ ଭାଷା ଭିତ୍ତିକ ସଙ୍ଗଠନକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବୁ।
ଅକ୍ଷୟ କୁମାର ଦାସ, ସାଧାରଣ ସମ୍ପାଦକ, ଉତ୍କଳ ସମ୍ମିଳନୀ, ରାଉରକେଲା

ସମ୍ବନ୍ଧିତ ଖବର