କୋଟିଆରେ ପାଳନ ହେବ ଉତ୍କଳ ଦିବସ

କୋରାପୁଟ : ବିବାଦୀୟ କୋଟିଆରେ ଆସନ୍ତାକାଲି ଉତ୍କଳ ଦିବସ ପାଳିତ ହେବ। ଆମ କୋଟିଆ ସଂଗଠନ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି। ଆମ କୋଟିଆ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କୋଟିଆରେ ସାଧାରଣ ସଭା କରାଯିବା ସହ ଲୋକଙ୍କୁ ଉତ୍କଳ ଦିବସ ସଂପର୍କରେ ଧାରଣା ଦିଆଯିବ। ସେହିପରି ଆମ କୋଟିଆ ସଂଗଠନର କର୍ମକର୍ତ୍ତମାନେ ନେରେଡ ବାଲସା ଓ ତାଡି ବାଲସା ଯାଇ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ ପ୍ରଶାସନ ପକ୍ଷରୁ ମଧ୍ୟ କୋଟିଆରେ ଉତ୍କଳ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ବଢ଼ୁଥିଲା ବେଳେ ଏଠାରେ ଉତ୍କଳ ଦିବସ ପାଳନ କରାଯିବା ଓଡ଼ିଶା ପାଇଁ ଏକ ବଡ ସଫଳତା ହେବାର ଆଶା କରାଯାଉଛି। କୋଟିଆରେ ସ୍ୱତନ୍ତ୍ର ଉତ୍କଳ ଗଠନ ନେଇ ଆଲୋଚନା ହେବା ଦ୍ୱାରା କୋଟିଆ ବାସୀ ଉପକୃତ ହେବେ ବୋଲି କୁହାଯାଇଛି। ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, କୋଟିଆରେ ଉତ୍କଳ ଦିବସ ପାଳନ ହେବା ଦ୍ୱାରା ଲୋକମାନେ ଓଡ଼ିଶାର ଗର୍ବ ଓ ଗୌରବ ସଂପର୍କରେ ଜାଣି ପାରିବେ। ସେହିପରି ଆମ କୋଟିଆ ସଂଗଠନ ପକ୍ଷରୁ ବିବାଦୀୟ କୋଟିଆର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର