‘ମେକ୍ ଇନ୍ ଓଡ଼ିଶା’ ସ୍ଥାନ ନେବ ‘ଉତ୍କଳ ନିବେଶ ସମିଟ୍‌’

୨.୫ ଲକ୍ଷ କୋଟିର ନିବେଶ, ୨ ନିୟୁତ ଡଲାର ଏଫ୍‌ଡିଆଇ ଆସିବ

ଭୁବନେଶ୍ବର: ସରକାର ବଦଳିବା ସହ ରାଜ୍ୟରେ ଆୟୋଜନ କରାଯାଉଥିବା ପ୍ରମୁଖ ନିବେଶ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’ର ନାମ ବଦଳିବାକୁ ଯାଉଛି। ପୁରୁଣା ବିଜୁ ଜନତା ଦଳ (ବିଜେଡି) ସରକାରଙ୍କ ଏହି ସମ୍ମିଳନୀକୁ ନୂଆ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ସେହି ନାମରେ ଆୟୋଜନ କରିବେ ନାହଁ। ରାଜ୍ୟ ସରକାରଙ୍କ ନ‌ିବେଶ ସମ୍ମିଳନୀର ନୂଆ ନାମ ହେବ ‘ଉତ୍କଳ ନିବେଶ ସମିଟ୍‌’ ଶୁକ୍ରବାର ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମ ସରକାର ‘ଉତ୍କଳ ନିବେଶ ସମିଟ୍‌’ ଆୟୋଜନ କରିବେ। ଆଗାମୀ ଦିନରେ ସରକାର ସେବିଷୟ‌ରେ ଅଧିକ ସୂଚନା ଦେବେ।

୨.୫ ଲକ୍ଷ କୋଟିର ନିବେଶ, ୨ ନିୟୁତ ଡଲାର ଏଫ୍‌ଡିଆଇ ଆସିବ
୨୦୨୭ ସୁଦ୍ଧା ଶିଳ୍ପ କରିଡର କାମ ସରିବ: ମନ୍ତ୍ରୀ

ପୂର୍ବରୁ ମେକ୍ ଇନ୍ ଓଡ଼ିଶାର ତିନିଟି ସଂସ୍କରଣ ଆୟୋଜନ କରାଯାଇଛି। ଭୁବନେଶ୍ବରର ଜନତା ମଇଦାନରେ ଏହି ସମ୍ମିଳନୀ ଆୟୋଜନ କରାଯାଏ, ଯେଉଁଥ‌ିରେ ଦେଶବିଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେଇ ଓଡ଼ିଶା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥାନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ। କିନ୍ତୁ କୋଭିଡ୍ ମହାମାରୀ ପ୍ରଭାବ ସମୟରେ ତାହା ବିଳମ୍ବିତ ହୋଇଥିଲା। ପ୍ରଥମ ସମ୍ମିଳନୀକୁ ୨୦୧୬, ଦ୍ବିତୀୟକୁ ୨୦୧୮ ଏବଂ ତୃତୀୟ ସମ୍ମିଳନୀକୁ ୨୦୨୨ରେ ଆୟୋଜନ କରାଯାଇଥିଲା। ଏହାର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଶେଷ ଆଡ଼କୁ ଆୟୋଜନ କରିବା ଲାଗି ଯୋଜନା ମଧ୍ୟ ଥିଲା। ମାତ୍ର ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ହେବା ସହ ବିଜେପି ନୂଆ ସରକାର ଗଠନ କରିବା ପରେ ପୁରୁଣା ସରକାରଙ୍କ ଏହି ସମ୍ମିଳନୀର ନାମ ବଦଳିବ ବୋଲି ଆଶଙ୍କା କରାଯାଉଥିଲା।

୨୦୧୬ର ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ୧୮,୪୩୪ କୋଟି ଟଙ୍କାର ୨୮ଟି ନିବେଶ ପ୍ରସ୍ତାବ ଆସିଥିଲା। ୨୦୧୮ ସଂସ୍କରଣରେ ୧୫ଟି କ୍ଷେତ୍ର ପାଇଁ ୪.୧୯ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ୨୦୨୨ ସଂସ୍କରଣରେ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।
ଶୁକ୍ରବାର ଭୁବନେଶ୍ବରରେ ଆୟୋଜିତ ସିଆଇଆଇର ଏକ ବୈଠକରେ ଯୋଗଦେଇ ‌ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟକୁ କିଭଳି ଆହୁରି ଶିଳ୍ପୋନ୍ନତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ସରକାରଙ୍କ ଯେଉଁ ଏଜେଣ୍ଡା ରହିଛି ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଦେଶ ଭିତରୁ ରାଜ୍ୟକୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ଏବଂ ୨ ନିୟୁତ ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ। ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପ ଓ ବାଲେଶ୍ବରରେ ଶିଳ୍ପ କରିଡର୍‌ ବିକାଶ କରାଯାଉଛି। ୨୦୨୭ ସୁଦ୍ଧା ସେଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର