କଟକ : ଉତ୍କଳ ସାମ୍ବାଦିକ ସଂଘ କର୍ମକର୍ତା ନିର୍ବାଚନ ପ୍ରସଂଗରେ ସହକାରୀ ଶ୍ରମ ଆୟୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁମାରୀ ଜଷ୍ଟସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁଧର ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮, ଫେବ୍ରୁଆରି ୧୧ରେ ଉତ୍କଳ ସାମ୍ବାଦିକ ସଂଘର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ଯଦି ଏହି ନିର୍ବାଚନ ନ କରିବା ପାଇଁ ପଦକ୍ଷେପ ନେବା ଲାଗି ଆବେଦନକାରୀ ସହକାରୀ ଶ୍ରମ ଅୟୁକ୍ତଙ୍କ ନିକଟରେ ଆବେଦନ କରନ୍ତି ତେବେ ଏହା ଉପରେ ଆଇନ ଅନୁସାରେ ସହକାରୀ କମିସନର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ଯଦି ଫେବ୍ରୁଆରି ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ସିପିସିର ଅର୍ଡର ୩୯ ରୁଲ୍ ୨-ଏ ଅନୁସାରେ ଆବେଦନକାରୀ ଦାଖଲ କରିଥିବା ପିଟିସନ୍ ଉପରେ ଚୂଡାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ସହକାରୀ ଶ୍ରମ ଅୟୁକ୍ତ ନିର୍ବାଚନର ଫଳାଫଳ ଘୋଷଣା କରି ପାରିବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ଜୟନ୍ତୀ ନାୟକ ଓ ସୁରେନ୍ଦ୍ର କୁମାର ରାଉତ ତାଙ୍କୁ ସହାୟତା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ମାର୍ଚ୍ଚ ୧୩ରେ ସଂଘର ଅନୁଷ୍ଠିତ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ କେତେକ ସଦସ୍ୟ ଭୁବନେଶ୍ୱର ସିଭିଲ ଜଜ୍ (ସିନିୟର ଡିଭିଜନ୍) କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଆବେଦନକାରୀ ଓ ଅନ୍ୟ କେତେ ଜଣ ପ୍ରତିପକ୍ଷ ରହିଥିଲେ। ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଅନ୍ତରୀଣ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ୨୦୧୬, ଏପ୍ରିଲ ୨୦ରେ ହାଇକୋର୍ଟ ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ୨୦୧୮, ଫେବ୍ରୁଆରି ୧୧ରେ ସଂଘର ନିର୍ବାଚନ କରିବା ପାଇଁ ୨୦୧୮, ଜାନୁଆରି ୨୧ରେ ନୋଟିସ୍ ଜାରି କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ନିର୍ବାଚନ ପାଇଁ ନୋଟସ୍ ଜାରି କରାଯାଇଥିଲା ବୋଲି ଦର୍ଶାଇ ଶ୍ରୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Main22.jpg)