ଡିଜିଙ୍କୁ ଫେରାଦ ହେଲା ଉତ୍କଳ ସାମ୍ବାଦିକ ସଂଘ: ହାବିଲଦାର ନୁହେଁ, ଥାନା ଅଧିକାରୀଙ୍କୁ ନିଲମ୍ବନ କରାଯାଉ

ଭୁବନେଶ୍ୱର: ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହ ତାଙ୍କ ପ୍ରତି ପୁଲିସ୍‌ର ଅମାନବୀୟ ବ୍ୟବହାରକୁ ଦୃଢ଼ ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଆଜି ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ଭେଟି ଏହାର ପ୍ରତିବାଦ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ସଂଘର କହିବା କଥା, ଏହି ଘଟରାରେ କେବଳ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ।

ଉପରିସ୍ଥ ଅଧିକାରୀଙ୍କ ବିନା ନିର୍ଦ୍ଦେଶରେ ଜଣେ ହାବିଲଦାର ଏପରି କାର୍ଯ୍ୟ କରିବାକୁ ସାହସ କରିପାରିବେ ନାହିଁ। ତେଣୁ ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଘ ଦାବି କରିଥିଲା। ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡିଏସ୍‌ପିଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ ପ୍ରତିଶ୍ରୁତି ଦେଇଥିଲେ।

ତେବେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ଯଥାଶୀଘ୍ର ନିଲମ୍ବନ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଡିଜିଙ୍କୁ ଦାବିପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ସାମିଲ ଥିଲେ।

ପ୍ରକାଶଯୋଗ୍ୟ, ଆଜି ରାଜ୍ୟରେ ସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଥାନା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଥାନାଧିକାରୀଙ୍କୁ ଗିରଫ ଦାବିରେ ସାମ୍ବାଦିକ ମିଳିତ ମଞ୍ଚର ବିକ୍ଷୋଭ

ଭୁବନେଶ୍ୱର: ନୀଳଗିରିର ସମ୍ବାଦ ଓ କନକ ନ୍ୟୁଜ୍‌ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହ ତାଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ ବିରୋଧରେ ଆଜି ସାମ୍ବାଦିକ ମିଳିତ ମଞ୍ଚ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଘଟଣାରେ ତୁରନ୍ତ ନୀଳଗିରି ଥାନାଧିକାରୀଙ୍କୁ ଗିରଫ କରାଯାଉ ବୋଲି ମଞ୍ଚ ଦାବି କରିଛି।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ନହେବାରୁ ସାମ୍ବାଦିକଙ୍କ ଉପରେ ଏପରି ଜୁଲୁମ୍‌ ଦିନକୁଦିନ ବୃଦ୍ଧି ପାଉଛି। ନୀଳଗିରି ପୁଲିସ, ଜଣେ ସାମ୍ବାଦିକଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରି ତାଙ୍କ ଗୋଡ଼ରେ ବେଡ଼ି ପକାଇ ଡାକ୍ତରଖାନାରେ ଚିକିତ୍ସା କରାଇଛି। ତେଣୁ ଏହି ଅମାନବୀୟ କାର୍ଯ୍ୟ ପାଇଁ ସଂପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ବୋଲି ମଞ୍ଚ କହିଛି।
ମଞ୍ଚର ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପ୍ରସନ୍ନ କୁମାର ମହାନ୍ତି, ରାମଚଣ୍ଡୀ ପ୍ରସାଦ ରଣସିଂହ, ଆଲ୍ପା ରାୟ, ବିଦ୍ୟାଧର ବାରିକ, ମୌସୁମୀ ମହାନ୍ତି, ଅପୂର୍ବ ରଞ୍ଜନ ପଣ୍ଡା, ଚନ୍ଦନ ପାଇକରାୟ, କିଶନ କୁମାର ବରାଇ, ଚିନ୍ମୟ ମହାପାତ୍ର, ଦେବଦତ୍ତ ପାତ୍ର, ସୋମ୍ୟଜିତ ସିହ୍ନା, କପିଳେନ୍ଦ୍ର ପ୍ରଧାନ, ନବୀନ ଚନ୍ଦ୍ର ଦାସ, ଅଜୟ ପଣ୍ଡା, ଓଁକାର ମହାନ୍ତି, ବିକାଶ ଦାସ, ସରିତଦିପ୍ ଶତପଥୀଙ୍କ ସମେତ ବହୁ ସାମ୍ବାଦିକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର