କଟକ: ଶତାୟୁ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଇ-ପାଠାଗାର ଶୁଭାରମ୍ଭ ଏକ ଐତିହାସିକ ପଦକ୍ଷେପ। ଏହା ଦ୍ବାରା ଓଡ଼ିଆ ଭାଷାର ପ୍ରଚାରପ୍ରସାର ହେବା ସହିତ ଅନୁଷ୍ଠାନରେ ଥିବା ଅମୂଲ୍ୟ ସଂପଦକୁ ଉତ୍ତରପିଢ଼ି ପାଇଁ ସୁରକ୍ଷିତ କରି ରଖି ହେବ ବୋଲି କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଇ-ପାଠାଗାର ଉଦ୍ଘାଟନ ସମାରୋହରେ ଉଦ୍ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାର ଅତି ଅତୀତ ଯେତିକି ଗୌରବମୟ ନିକଟ ଅତୀତ ସେତିକି ବିବାଦୀୟ। ସଂପ୍ରତି ଓଡ଼ିଶାର ୮୦ ଭାଗ ସଫଳ ବ୍ୟକ୍ତି ଏବେ ପ୍ରବାସୀ। ପ୍ରବାସୀମାନେ ଏବେ ଓଡ଼ିଶା ସହ ଯୋଡ଼ି ହେବାକୁ ଚାହୁଁଛନ୍ତି। ଇ-ଲାଇବ୍ରେରି ଜରିଆରେ ବିଜ୍ଞାନ ଓ କାରିଗରୀ କୌଶଳକୁ ବ୍ୟବହାର କରି ପ୍ରବାସୀଙ୍କୁ ଓଡ଼ିଶା ସହ ଯୋଡ଼ିବା ସହ ସେମାନଙ୍କ ଯୋଗ୍ୟତା, ସାମର୍ଥ୍ୟ ଓ ଅଭିଜ୍ଞତାଙ୍କୁ ଉପଯୋଗ କରି ଓଡ଼ିଶାର ଗୌରବକୁ ଫେରାଇ ଆଣି ହେବ। ଅସ୍ମିତା ସଂପର୍କରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଅସ୍ମିତା ଅର୍ଥ ମୁଁ ଅଛି ବା ନିଜ ଅସ୍ତିତ୍ବ। ଯଦି ଅସ୍ମିତାର ବିଜୟ ବୋଲି କୁହାଯାଉଛି, ତେବେ ଅହଂକାରର ପରାଜୟ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ଅରୁନ୍ ପରିଚ୍ଛା ଯୋଗ ଦେଇଥିଲେ। ଇ-ପାଠଗାର ଦ୍ବାରା ଓଡ଼ିଆ ଭାଷା ସହଜରେ ବିଶ୍ବଦରବାରରେ ପହଞ୍ଚିପାରିବ ବୋଲି ଜଷ୍ଟିସ ପରିଚ୍ଛା କହିଥିଲେ। ସମ୍ମାନିତ ଅତିଥି ଭାବେ କିସ୍ ବିଶ୍ବବିଦ୍ୟାଳୟ ଗୋପବନ୍ଧୁ ଚେୟାରର ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ଓ ଅନ୍ୟତମ ଅତିଥି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଉର୍ମିଶ୍ରୀ ବେଦମତ୍ତା ଯୋଗ ଦେଇଥିଲେ। ଏହି ପାଠଗାରକୁ ବିଶିଷ୍ଟ ସମାଜସେବୀ ଭାବଗ୍ରାହୀ ସିଂହ ଓ ଲେଖିକା ଶ୍ରଦ୍ଧାମଣି ଜେନାଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ସାହିତ୍ୟ ସମାଜ ପକ୍ଷରୁ ରମେଶ ଚନ୍ଦ୍ର ସିଂହ ଓ ଜେନା ଆଦିତ୍ୟ ପ୍ରତାପ ବାଘସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।