ରାଜନୀତି, ସମାଜସେବା, ସାମ୍ବାଦିକତା କ୍ଷେତ୍ରରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ପ୍ରଜ୍ଞାପୁରୁଷ ସ˚ସ୍କୃତବିତ୍ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଆ ସାହିତ୍ୟର ମହାନ୍ ସାଧକ। ଖୋର୍ଦ୍ଧା ହାଇସ୍କୁଲ୍ରେ ଛାତ୍ର ଥିବାବେଳେ ସାହିତ୍ୟ ପ୍ରତି ସୃଷ୍ଟି ହୋଇଥିବା ଅନୁରାଗ ଜୀବନର ଶେଷ ପର୍ବ ପର୍ଯ୍ୟନ୍ତ ଅତୁଟ ରହିଥିଲା। ବିଦ୍ୟାଳୟର ବାର୍ଷିକ ସାହିତ୍ୟପତ୍ର ‘ଅବକାଶ’ ପ୍ରକାଶିତ ତାଙ୍କର କବିତା ଓ ପ୍ରବନ୍ଧ ତାଙ୍କୁ ସାହିତ୍ୟ ସାଧନା ପାଇଁ ଅନୁପ୍ରାଣିତ କରିଥିଲା। ‘ସିନ୍ଧୁ ଉପତ୍ୟକା’ଠାରୁ ‘ଅସମାପ୍ତ ଆତ୍ମଲିପି’ ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ଯାତ୍ରା ସୃଜନଠାରୁ ଅନୁସୃଜନ ଯାଏ ପରିବ୍ୟାପ୍ତ। ପୌରାଣିକ ମହାଗ୍ରନ୍ଥ ଓ ସ˚ସ୍କୃତ କାବ୍ୟର ବିଶ୍ଳେଷଣ ଓ ସହଜସରଳ ଓଡ଼ିଆରେ ପରିପ୍ରକାଶ ତାଙ୍କ ସାରସ୍ବତ ସିଦ୍ଧିର ଅନ୍ୟ ଏକ ଦିଗ। ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ପାଇଁ ତାଙ୍କର ପଦକ୍ଷେପ ଓଡ଼ିଆ ଭାଷା ପ୍ରତି ତାଙ୍କର ମମତ୍ବବୋଧର ଏକ ଉଲ୍ଲେଖଯୋଗ୍ୟ ଦୃଷ୍ଟାନ୍ତ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ତାଙ୍କ ପାଇଁ ଆଣିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାରଠାରୁ ‘ସାହିତ୍ୟଭାରତୀ’ ସମ୍ମାନ ପର୍ଯ୍ୟନ୍ତ ଅନେକ ସ୍ବୀକୃତି। ଅନୁବାଦ ସାହିତ୍ୟ ପାଇଁ ସେ ମଧୢ ଲାଭ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଏହି ପ୍ରତିଭାଦୀପ୍ତ ସାଧକଙ୍କୁ ଉତ୍କଳ ସାହିତ୍ୟ ସମାଜ ତା’ର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପ୍ରଦାନ କରିଥିଲା।
ଉତ୍କଳ ସାହିତ୍ୟ ସମାଜକୁ ଅନ୍ତରଙ୍ଗ ଭାବେ ଭଲ ପାଉଥିଲେ ଜାନକୀବଲ୍ଲଭ। ଏହାର କାର୍ଯ୍ୟଧାରାକୁ ବେଗବାନ୍ କରିବା ପାଇଁ ତାଙ୍କର ସହଯୋଗ ଓ ପରାମର୍ଶ ପ୍ରକୃତରେ ଅବିସ୍ମରଣୀୟ। ମୁଖ୍ୟମନ୍ତ୍ରୀ ଭାବେ ଉତ୍କଳ ସାହିତ୍ୟ ସମାଜ କିପରି ଅଧିକରୁ ଅଧିକ ସରକାରୀ ଆର୍ଥିକ ଅନୁଦାନ ଲାଭ କରିବ ସେଥିପାଇଁ ପଦକ୍ଷେପ ନେଇଥିଲେ। ସେ ବୁଝିଥିଲେ ଏହି ଶତାୟୁ ଅନୁଷ୍ଠାନ ହିଁ ଏ ଜାତିର ଐଶ୍ବର୍ଯ୍ୟ, ଏ ଭାଷା-ସାହିତ୍ୟର ମୂଳଭିତ୍ତି। ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏହି ଅନୁଷ୍ଠାନର ସୃଷ୍ଟି। ସେଥିପାଇଁ ସେ ଆସାମର ରାଜ୍ୟପାଳ ଥିବା ବେଳେ ଆସାମ ସାହିତ୍ୟ ସଭା ସହ ଉତ୍କଳ ସାହିତ୍ୟ ସମାଜର ଭାବଗତ ସ˚ପର୍କର ସୂତ୍ରଧର ଥିଲେ। ପ୍ରତି ଜିଲ୍ଲାରେ ଉତ୍କଳ ସାହିତ୍ୟ ସମାଜର ଶାଖା ଗଠନ ପାଇଁ ତାଙ୍କର ପରାମର୍ଶ ଆଜି ସାକାର ହୋଇଛି। ଚବିଶ ଜିଲ୍ଲା ସମେତ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ କୋଲକାତାରେ ଅନୁଷ୍ଠାନର ଶାଖା ସାହିତ୍ୟର ମଞ୍ଚ ଭାବେ କାର୍ଯ୍ୟ କରୁଚି। ସାହିତ୍ୟ ମାଧୢମରେ ଏ ଜାତିର ଏକତା ସମ୍ଭବପର ଓ ଏଥିପାଇଁ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ବୋଲି ଦୂରଦ୍ରଷ୍ଟା ଜାନକୀବଲ୍ଲଭ ପ୍ରକାଶ କରିଥିଲେ। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କର ତୈଳଚିତ୍ର ଉନ୍ମୋଚନ ଏହି ଅନୁଷ୍ଠାନ ପ୍ରତି ତାଙ୍କର ଶ୍ରଦ୍ଧାକୁ ହିଁ ସ୍ମରଣ କରିବାର ଏକ ଉପଯୁକ୍ତ ଅବକାଶ।
ଜାନକୀବଲ୍ଲଭଙ୍କ ଜୀବନ ସାଧନା ଓ ସ˚ଗ୍ରାମର ଜୀବନ। ଛାତ୍ରାବସ୍ଥାରୁ ସାମ୍ବାଦିକ ହେବାର ଇଚ୍ଛାଟି ଇଚ୍ଛାରେ ରହିଯାଇନି। ତରୁଣ ବୟସରେ ଉଭୟ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଓ ‘ପ୍ରଜାତନ୍ତ୍ରର ସ˚ପାଦକ’ ହେବାର ଯେଉଁ ଦୁର୍ଲଭ ସୁଯୋଗ ତାଙ୍କୁ ମିଳିଥିଲା; ତାହାକୁ ସଦୁପଯୋଗ କରି ଏ କ୍ଷେତ୍ରରେ ନିଜର ନିଷ୍ଠା ଓ କର୍ତ୍ତବ୍ୟପରାୟଣତାକୁ ନେଇ ସେ ପ୍ରତିଷ୍ଠା ଲାଭ କରିଛନ୍ତି। ଆହ୍ବାନ ଆସିଲା, ସେ ପ୍ରକାଶ କରିଛନ୍ତି ‘ପୌରୁଷ ପତ୍ରିକା’। ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ରହିଥିବା ଆକର୍ଷଣ ତାଙ୍କୁ କେନ୍ଦ୍ରମନ୍ତ୍ରୀ, ତିନି ତିନି ଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପରି ଉଚ୍ଚ ଆସନରେ ଅଭିଷିକ୍ତ କରିଛି। ଜାନକୀବଲ୍ଲଭ ଥିଲେ ପ୍ରଚଣ୍ତ ଦେଶଭକ୍ତ। ଦେଶର ସମୃଦ୍ଧି ଓ ପ୍ରଗତି ପାଇଁ ରାଜନୀତି ପ୍ରକୃଷ୍ଟ ମାଧୢମ। ସେଥିପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ। ସଫଳ ରାଜନୀତିଜ୍ଞ ଓ ରାଷ୍ଟ୍ରନୀତିଜ୍ଞ ଭାବରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ଜୀବନରେ ଯେଉଁ ଅଭିଳାଷ ଆସିଛି, ସେଥିରେ ସଫଳତା ପାଇବା ପାଇଁ ନିରନ୍ତର ପ୍ରୟାସ ଉତ୍ତରପିଢ଼ି ପାଇଁ ଅନୁକରଣୀୟ ହୋଇ ରହିଛନ୍ତି। ଏହାରି ଭିତରେ ହିଁ ସେ ଲାଭ କରିଛନ୍ତି ଅମରତ୍ବ। ଓଡ଼ିଆ ଭାଷା-ସାହିତ୍ୟର ସମୃଦ୍ଧି କ୍ଷେତ୍ରରେ ତାଙ୍କର ଅବଦାନ ଚିରକାଳ ତାଙ୍କୁ ସ୍ମରଣୀୟ କରି ରଖିବ। ଶତାୟୁ ସାରସ୍ବତ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଏହି ମହାନ୍ ପୁରୁଷଙ୍କ ତୈଳଚିତ୍ର ଉନ୍ମୋଚନ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ଡକ୍ଟର ବିଜୟାନନ୍ଦ ସି˚ହ
ସଭାପତି, ଉତ୍କଳ ସାହିତ୍ୟ ସମାଜ