ଭୁବନେଶ୍ବର: ନ୍ୟାସନାଲ୍ ଆସେସ୍ମେଣ୍ଟ୍ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍(ନାକ୍)ରେ ଉପରକୁ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ। ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍ ମାନ୍ୟତା ହାସଲ କରିଥିବା ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛି। ନାକ୍ ପୁନଃଯାଞ୍ଚ ପରେ ବିଶ୍ବବିଦ୍ୟାଳୟ ୩.୨୬ ସ୍କୋର ସହ ‘ଏ+’ ଗ୍ରେଡ୍ ହାତେଇଛି।
ରେୱାସ୍ଥିତ ଏପିଏସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଆର୍.ଏମ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୯ରୁ ୨୧ ମଧ୍ୟରେ ନାକ୍ ପ୍ରତିନିଧି ଦଳ କ୍ୟାମ୍ପସ ପରିଦର୍ଶନ କରିବା ସହ ୩.୧୬ ସ୍କୋର ସହ ‘ଏ’ ଗ୍ରେଡ୍ ପ୍ରଦାନ କରିଥିଲା। ବିଶ୍ବବିଦ୍ୟାଳୟ ଗ୍ରେଡ୍ ହ୍ରାସକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସହଜରେ ଗ୍ରହଣ କରି ନ ଥିଲେ ଏବଂ ପୁନଃଯାଞ୍ଚ ପାଇଁ ଆବେଦନ କରିଥିଲେ। ଯେଉଁଥିପାଇଁ ସେପ୍ଟେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ପ୍ରଫେସର ପରିମଲ ବ୍ୟାସଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଜୟଶ୍ରୀ ଶିବାନନ୍ଦ, ପ୍ରଫେସର ଅନିତା ରାଓ ରବିୱାଡା, ପ୍ରଫେସର ଜଗଦୀଶ ପ୍ରସାଦ ସଦସ୍ୟ ଓ ପ୍ରଫେସର ଅମ୍ରିକ୍ ସିଂ ଆଲୱାଲିଆ ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିଲେ। ୩ଦିନ ଧରି ବିଭିନ୍ନ ବିଭାଗ ବୁଲିବା ସହ ଲାଇବ୍ରେରି, ଲାବରେଟୋରି, କ୍ରୀଡ଼ା ଭିତ୍ତିଭୂମି ଯାଞ୍ଚ କରିବା ପରେ ଏବେ ‘ଏ+’ ଗ୍ରେଡ୍ ପ୍ରଦାନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ନିଜର ପୂର୍ବ ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି।
ନାକ୍ ଟିମ୍ ଗସ୍ତ ସମୟରେ ବିଭିନ୍ନ ବିଷୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ବିଶ୍ବବିଦ୍ୟାଳୟର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି। ନୂଆ ନୂଆ କୋଠା ଛିଡ଼ା ହେବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛାତ୍ରାବାସ, ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା ହୋଇଛି। କ୍ୟାମ୍ପସ ଆଲୋକୀକରଣ ସାଙ୍ଗକୁ ବିକାଶ ଖେଳ ପଡ଼ିଆ, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟର ସମ୍ପୃଦ୍ଧ ଆଲୁମିନି ରହିଛି। ନାକ୍ ପକ୍ଷରୁ ୭ଟି ମାନଦଣ୍ଡ ଆଧାରରେ ବିଶ୍ବବିଦ୍ୟାଳୟର ମୂଲ୍ୟାୟନ କରାଯାଇଛି। ଭିତ୍ତିଭୂମି ଓ ଲର୍ଣ୍ଣିଂ ରିସୋର୍ସ ଏବଂ କରିକ୍ୟୁଲାର ଆସ୍ପେକ୍ଟରେ ବିଶ୍ବବିଦ୍ୟାଳୟ ଭଲ ପ୍ରଦର୍ଶନ କରିବାରେ ସମର୍ଥ ହୋଇଛି। ତେବେ ଗଭର୍ଣ୍ଣାସ୍, ଲିଡରସିପ୍ ଓ ମ୍ୟାନେଜ୍ମେଣ୍ଟ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗ ବର୍ଗରେ ବିଶ୍ବବିଦ୍ୟାଳୟକୁ କମ୍ ପଏଣ୍ଟ ମିଳିଛି।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ସଫଳତା ନେଇ ଆମେ ବହୁତ ଖୁସି। ବିଶ୍ବବିଦ୍ୟାଳୟର ସମସ୍ତ ଅଧିକାରୀ, ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀମାନେ ଏକାଠି ହୋଇ କାର୍ଯ୍ୟ କରିଥିବାରୁ ଆଜି ଆମେ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକଠାରୁ ବହୁ ଆଗରେ ରହିଛୁ। ଏକ ସରକାରୀ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଆମେ ନାକ୍ରେ ‘ଏ+’ ଗ୍ରେଡ୍ ପାଇବା ସହ ଏନ୍ଆଇଆରଏଫ୍ ରୢାଙ୍କିଙ୍ଗ୍ର ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି। କେବଳ ଟିମ୍ ୱାର୍କ ପାଇଁ ହିଁ ଏହା ସମ୍ଭବପର ହୋଇପାରିଛି। ଆଗାମୀ ଦିନରେ ଭିତ୍ତିଭୂମିର ଆହୁରି ବିକାଶ କରାଯିବା ସହ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳିବାକୁ ପ୍ରୟାସ ଜାରି ରହିବ।
ଉତ୍କଳ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ବହୁ ବ୍ୟକ୍ତି ରାଜନୀତିଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏପରିକି ଏହାର ଛାତ୍ରମାନେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ପଦରେ ମଧ୍ୟ ରହିଛନ୍ତି। ଗବେଷଣା କ୍ଷେତ୍ରରେ ବି ବେଶ୍ ସମ୍ପୃଦ୍ଧ ଏହି ଶିକ୍ଷାନୁଷ୍ଠାନ। ପ୍ରାଚୀନ ମାନବ କଙ୍କାଳ ଉଦ୍ଧାର ହେଉ କି ବିରଳ ପୁସ୍ତକ ଓ ପୋଥି ସଂଗ୍ରହ, ଏହି ବିଶ୍ବବିଦ୍ୟାଳୟ ସାରା ଦେଶରେ ପରିଚିତ। ସେଥିପାଇଁ ୨୦୧୬ରେ ନାକ୍ ଗସ୍ତ ସମୟରେ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍ ମିଳିଥିଲା। ତେବେ ୭ ବର୍ଷ ପରେ, ଅର୍ଥାତ୍ ୨୦୨୩ ଏପ୍ରିଲ ମାସରେ ନାକ୍ ଟିମ୍ ଗସ୍ତ ସମୟରେ ମାନ୍ୟତା ହ୍ରାସ କରିଦେଇଥିଲା। ପ୍ରଫେସର୍ ଜଗତଭୂଷଣ ନଡ୍ଡା, ପ୍ରଫେସର ସଞ୍ଜୟ କୁମାର, ପ୍ରଫେସର୍ ରେଣୁ ଭରଦ୍ବାଜ, ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ଓ ପ୍ରତିଭା ସିଂହଙ୍କୁ ନେଇ ଗଠିତ ଟିମ୍ ଗସ୍ତ ସମୟରେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଯାଞ୍ଚ କରିବା ବେଳେ ଆବଶ୍ୟକ ଶିକ୍ଷକ ଓ ଅଣ-ଶିକ୍ଷକ ନ ଥିବା, କ୍ୟାମ୍ପସରେ ସୀମିତ ପରାମର୍ଶଧର୍ମୀ କାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧତାର ଅଭାବ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସଂଯୋଗ ସୀମିତ ପରିଧି ମଧ୍ୟରେ ରହିବା, ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସହ ବହୁତ କମ୍ ରାଜିନାମା ସ୍ବାକ୍ଷରିତ ହୋଇଥିବା ଦର୍ଶାଇ ମାନ୍ୟତା କମାଇଥିଲେ।
୬ ମାସର ଲଢ଼େଇ ପରେ ଆଜି ବିଶ୍ବବିଦ୍ୟାଳୟ ନିଜର ଗୌରବ ଫେରିପାଇଛି। ମେ’ ୨ ତାରିଖରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍ ମାନ୍ୟତା ଦେଇଥିବା ନାକ୍ ଟିମ୍ର ତଥ୍ୟକୁ ଭୁଲ୍ ପ୍ରମାଣିତ କରି ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଗସ୍ତ କରିଥିବା ଟିମ୍ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଛି। ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ଖୁସିର ମାହୋଲ ଖେଳି ଯାଇଛି। ତେବେ ଆଜିର ଗ୍ରେଡ୍ ପ୍ରକାଶ ପରେ ନାକ୍ର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ଯେଉଁ ଟିମ୍ ଆସିଥିଲେ ସେମାନେ କାହିଁକି ବିଶ୍ବବିଦ୍ୟାଳୟ ମାନ୍ୟତା କମାଇଥିଲେ? ସେମାନଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଥିଲା କି? ଯଦି ସେମାନେ ଗ୍ରେଡ୍ କମାଇଥିଲେ, ତେବେ ଦ୍ବିତୀୟ ଥର ଆସିଥିବା ନାକ୍ ଟିମ୍ କ’ଣ ଦେଖି ମାନ୍ୟତା ବଢ଼ାଇଲେ? ୪ ମାସ ମଧ୍ୟରେ ଏମିତି କି ପରିବର୍ତ୍ତନ ହେଲା ଯେ ଯେଉଁ ସଂସ୍ଥାର ଗୋଟିଏ ଟିମ୍ ‘ଏ’ ଗ୍ରେଡ୍ ଦେଇଥିଲା, ତା’ର ଆଉ ଗୋଟିଏ ଟିମ୍ ‘ଏ+’ ଗ୍ରେଡ୍ ଦେଲା? ଶିକ୍ଷାବିତ୍ମାନଙ୍କ ମଧ୍ୟରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ଆଗକୁ ‘ଏ++’ ଗ୍ରେଡ୍ ମିଳିବ: ରବି ବେହେରା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍ ପକ୍ଷରୁ ‘ଏ+’ ଗ୍ରେଡ୍ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଭଳି ସଫଳତା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରନେତା ରବି ବେହେରା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ନାକ୍ ଟିମ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷା, ଗବେଷଣା, ଭିତ୍ତିଭୂମିର ବିକାଶ, ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ‘ଏ++’ ଗ୍ରେଡ୍ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀ ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ବିଶ୍ବବିଦ୍ୟାଳୟର ଜଣେ ପୁରାତନ ଛାତ୍ର ଭାବେ ଶ୍ରୀ ବେହେରା ଗତ ୨୩ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ନାକ୍ ଟିମ୍ର ପୁନଃଯାଞ୍ଚ ମାନ୍ୟତା ତୁରନ୍ତ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ।