ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବ ଉଦ୍‌ଘାଟିତ : ‘ଗାନ୍ଧୀ ଦର୍ଶନର ଅଧିକ ଗବେଷଣା ହେଉ’

କଟକ : ଓଡ଼ିଶା ଗାନ୍ଧୀଙ୍କ ପ୍ରିୟ ସ୍ଥାନ ଥିଲା। ଓଡ଼ିଶାକୁ ସେ ପ୍ରାଣଭରି ଭଲ ପାଉଥିଲେ। ଏହି ମାଟିରୁ ତାଙ୍କୁ ପ୍ରେରଣା ମିଳୁଥିଲା। ଓଡ଼ିଶାର ଉଦୟ ହିଁ ଭାରତର ଉଦୟ ବୋଲି ଗାନ୍ଧିଜୀ କହୁଥିଲେ। ଗାନ୍ଧୀଙ୍କ ନୀତି, ଆଦର୍ଶକୁ ନେଇ ଓଡ଼ିଶାରେ ଅନେକ ସାହିତ୍ୟ ସୃଷ୍ଟି ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସଚ୍ଚି ରାଉତରାୟ ଭଳି ବହୁ ଓଡ଼ିଆ କବି ‌ସେମାନଙ୍କ ସାରସ୍ବତ ସୃଷ୍ଟିରେ ଗାନ୍ଧୀଙ୍କୁ ପ୍ରମୁଖ ସ୍ଥାନ ଦେଇଛନ୍ତି ‌ବୋଲି ଉତ୍କଳ ସାହିତ୍ୟ ସମାଜ ୧୧୭ତମ ସମାବର୍ତ୍ତନ ଉତ୍ସବର ଉଦ୍‌ଘାଟନୀ ସଂଧ୍ୟାରେ ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଦର୍ଶନ’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜର ଏହି ସମାବର୍ତ୍ତନ ସମାରୋହକୁ ଉଦ୍‌ଘାଟନ କରି ସାଂସଦ ଭର୍ତ୍ତୃହରି ମହତାବ କହିଲେ, ଗାନ୍ଧୀ ଜାତିବୀହିନ ସମାଜର ପରିକଳ୍ପନା କରିଥ‌ିଲେ। ସବୁ କାଳରେ ତାଙ୍କ ଆଦର୍ଶର ଆବଶ୍ୟକତା ଅଛି। ଅତୀତରେ ଓଡ଼ିଶାର ଅନେକ କବି ଗାନ୍ଧୀଙ୍କ ଉପରେ ଅନେକ ସାହିତ୍ୟ ସୃ‌ଷ୍ଟି କରିଛନ୍ତି। ସେ ବିଷୟରେ ଅଧିକ ଗବେଷଣା ଓ ସାହିତ୍ୟ ରଚନା ‌‌ହେଲେ ଉତ୍ତରପିଢ଼ି ସେଥିରୁ ପ୍ରେରଣା ପାଇବେ ବୋଲି ସାଂସଦ ଶ୍ରୀ ମହତାବ କହିଥିଲେ। ମୁଖ୍ୟ ଅତିଥି ଭାବେ କବୟିତ୍ରୀ ମନୋରମା ମହାପାତ୍ର କବିତା ମାଧ୍ୟମରେ ଗାନ୍ଧୀ ଦର୍ଶନ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡକ୍ଟର ସଂଗ୍ରାମ ଜେନା କହିଲେ, ଗାନ୍ଧୀଙ୍କ ଓଡ଼ିଶା ଆଗମନ ଫଳରେ ଓଡ଼ିଶାର ଲୋକକ୍ଷେତ୍ର ବ୍ୟାପକ ହୋଇଥିଲା। ତାଙ୍କ ଆହ୍ବାନରେ ଅଧିକରୁ ଅଧିକ ଲୋକ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ଓ ସମକାଳୀନ ଅନେକ କବି, ଲେଖକ ଗାନ୍ଧୀ ଦର୍ଶନକୁ ସାହିତ୍ୟରେ ସ୍ଥାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ଶୈଳଜ ରବି କହିଲେ, ୧୯୨୧ରୁ ଆଜି ପର୍ଯ୍ୟନ୍ତ ଶହେ ବର୍ଷ ‌ଧରି ଓଡ଼ିଆ ସାହିତ୍ୟରେ ଗାନ୍ଧୀବାଦ ରଚନା ହେଲାଣି। କିନ୍ତୁ ଗାନ୍ଧୀ ସାହିତ୍ୟ ରଚନା ପାଇଁ ଜଣେ ସାହିତ୍ୟିକ ଗାନ୍ଧୀ ଦର୍ଶନକୁ ଅନୁସରଣ କରିବା ଉଚିତ। ଅନ୍ୟତମ ଅତିଥି ଡକ୍ଟର ପାବକ କାନୁନ୍‌ଗୋ କହିଲେ, ୧୯୩୪ରେ ହରିଜନ ପଦଯାତ୍ରାରେ ଗାନ୍ଧୀ ଓଡ଼ିଶାରେ ଚାଲିବା ଅର୍ଥ ଭାରତରେ ଚାଲିବା। କିନ୍ତୁ ଆମେ ଗାନ୍ଧୀଙ୍କୁ ସେହି ଅନୁପାତରେ ସମ୍ମାନ ଦେଉନଥିବା ଡକ୍ଟର କାନୁନ୍‌ଗୋ କ୍ଷୋଭ ପ୍ରକାଶ କରିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଉଦ୍‌ଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଉପସଭାପତି ମନୋଜ ପଟ୍ଟନାୟକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସାଧାରଣ ସଂପାଦକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସାହିତ୍ୟ ପତ୍ର’ ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ରଚିତ ‘ଜେପି: ଜୀବନୀ’ ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା।

ଅନୁ‌ଷ୍ଠାନ ପକ୍ଷରୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଭାଷା ‌ଓଡ଼ିଆରେ ସର୍ବୋଚ୍ଚ ନମ୍ବର(୯୯) ରଖିଥିବା ଆଠଗଡ଼ ବାଳିକା ହାଇସ୍କୁଲ କୃତୀ ଛାତ୍ରୀ କୃଷ୍ଣପ୍ରିୟା ନାୟକଙ୍କୁ ‘ଗୋବିନ୍ଦ ପାଣି-ସୁଶିଳା ଦେବୀ ମେଧା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହା ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ପୁରସ୍କାର ବିତରଣ ଉତ୍ସବର ସଂଯୋଜନା କରିଥିଲେ। ପୂର୍ବାହ୍‌ଣରେ ଅନୁଷ୍ଠାନର ପତାକା ଉତ୍ତୋଳନ, ବରପୁତ୍ରଙ୍କୁ ମାଲ୍ୟାର୍ପଣ ଓ ଚାରାରୋପଣ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ରାଜ୍ୟସ୍ତରୀୟ ଆବାହକ ଓ ସଂଯୋଜକଙ୍କ ବୈଠକ ଓ ସାରସ୍ୱତ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ୩୨ଟି ରାଜ୍ୟ ଶାଖାର ଆବାହକ ଓ ସଂଯୋଜକଙ୍କ ସହ ଅନୁଷ୍ଠାନ କର୍ମକର୍ତ୍ତା ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ/ସଭ୍ୟା ଏକାଠି ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସାହିତ୍ୟ ଓ ଏହାର ବିକାଶ ସଂପର୍କରେ ଆଲୋଚନା କରିଥ‌ିଲେ।

ରବିବାର ସଂଧ୍ୟା ୬ଟାରେ ସମାବର୍ତ୍ତନ ଉତ୍ସବ ଓ ‘ଉତ୍କଳ ରତ୍ନ’ ଓ ଅନ୍ୟାନ୍ୟ ସମ୍ମାନ ପ୍ରଦାନ ସମାରୋହ ଅନୁ‌ଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ‌ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର