ସମ୍ମାନ ମୋ ପାଇଁ ମାତୃ ସେବାର ପୁଷ୍ପ ଅର୍ଘ୍ୟ ପରି: ପଦ୍ମଶ୍ରୀ ଡ.ଉଦଗାତା

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ବରେଣ୍ୟ ସଦସ୍ୟ ସମ୍ମାନ

ବଲାଙ୍ଗୀର : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବରେଣ୍ୟ ସଦସ୍ୟ ସମ୍ମାନ ପ୍ରଦାନ ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଛି। ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ବରେଣ୍ୟ ସଦସ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପଦ୍ମଶ୍ରୀ ଡ. ଉଦଗାତା ନିଜ ବକ୍ତବ୍ୟରେ କହିଥିଲେ, ସାହିତ୍ୟ ଭାରତୀର ସେବା ମୁଁ କରିଆସିଛି। ସାହିତ୍ୟ ବ୍ରହ୍ମାନନ୍ଦ ସହୋଦର। ଏହି ପରିପ୍ରେକ୍ଷୀରେ ଉତ୍କଳ ସାହିତ୍ୟ ସମାଜର ବରେଣ୍ୟ ସଦସ୍ୟ ସମ୍ମାନ ମୋ ପାଇଁ ମାତୃ ସେବାର ପୁଷ୍ପ ଅର୍ଘ୍ୟ ପରି ବୋଲି ସେ କହିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ବିଜୟ ନନ୍ଦ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ସାହିତ୍ୟ ଜୀବନକୁ ବେଶ୍‌ ମଧୁମୟ କରିଥାଏ, ସମଗ୍ର ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟକୁ ଓ ଓଡ଼ିଆ ସାହିତ୍ୟରେ ଭାରତୀୟ ସାହିତ୍ୟକୁ ପରିଚିତ କରିବାରେ ଡ. ଉଦ୍‌ଗାତାଙ୍କ ଅବଦାନ ଅବିସ୍ମରଣୀୟ, ତାଙ୍କର ମୌଳିକ କୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି, ପୂଜ୍ୟପୂଜା ମାଧ୍ୟମରେ ଉତ୍କଳ ସାହିତ୍ୟ ସମାଜ ଏହି ବରେଣ୍ୟ ସଦସ୍ୟ ସମ୍ମାନ ପ୍ରଦାନ କରି ନିଜର କର୍ତ୍ତବ୍ୟ ପାଳନ କରିଛି ବୋଲି କହିଥିଲେ। ଉତ୍ସବରେ କବି ଡ. ପ୍ରହଲ୍ଲାଦ ଶତପଥୀ ଆବାହନ କରିଥିବା ବେଳେ ଡ. ସୁନାମଣି ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଭାରତର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ଚାରିଜଣଙ୍କୁ ବରେଣ୍ୟ ସଦସ୍ୟ ଭାବରେ ଗ୍ରହଣ କରି ସେମାନଙ୍କୁ ନିଜ ଅଂଚଳରେ ଏକ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମାଧ୍ୟମରେ ସମ୍ମାନ ପ୍ରଦାନ କରିଛି। ସେମାନେ ହେଲେ କଥାକାର ମନୋଜ ଦାସ, କବି ଜଗନ୍ନାଥ ପ୍ରସାଦ ଦାସ, ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଓ ଗାଳ୍ପିକା ବୀଣାପାଣି ମହାନ୍ତି। ଡ. ସନ୍ତୋଷ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ସାହିତ୍ୟିକ, କବି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର