ଉତ୍କଳ ସାହିତ୍ୟ ସମାଜକୁ ‘ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ-୨୦୨୦’

୧୯ରେ ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ପୁରାତନ ସାରସ୍ବତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’କୁ ୨୦୨୦ ମସିହା ପାଇଁ ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’ ପ୍ରଦାନ କରାଯିବ। ଆସନ୍ତା ୧୯ ତାରିଖ ପୂର୍ବାହ୍ନରେ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନ ପ୍ରଦାନ କରିବେ। ସମ୍ମାନ ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ବା ଫକୀରମୋହନଙ୍କ ଉପରେ ଗବେଷଣା କରୁଥିବା‌ ବ୍ୟକ୍ତି ବା ଅନୁଷ୍ଠାନଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହାରୁ ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’ ପ୍ରଦାନ କରାଯାଉଛି। ୨୦୧୮ରେ ବାଲେଶ୍ବରର ‘ଫକୀର ମୋହନ ସାହିତ୍ୟ ପରିଷଦ’ ଓ ୨୦୧୯ରେ କଟକର ‘ସାରଳା ସାହିତ୍ୟ ସଂସଦ’କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ଦୁଇ ବର୍ଷ ସମ୍ମାନ ବାବଦକୁ ନଗଦ ୧ ଲକ୍ଷ ଟଙ୍କା ଦିଆଯାଉଥିଲା ବେଳେ ଏବେ ତାହାକୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ତେବେ ୨୦୨୦ ଓ ୨୦୨୧ ମସିହା ପାଇଁ ଏହି ସମ୍ମାନ ପ୍ରଦାନରେ ବିଳମ୍ବ ହେଉଥିବାରୁ ସଂସ୍କୃତି ବିଭାଗ ସମାଲୋଚନାର ଶିକାର ହେଉଥିଲା। ୨୦୨୦ ପାଇଁ ଗଠିତ ଚୟନ କମିଟି ଦୁଇ ଜଣ ବ୍ୟକ୍ତିଙ୍କୁ ଯୁଗ୍ମ ଭାବେ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ପ୍ରଦାନ ନିମନ୍ତେ ସରକାରଙ୍କୁ ସୁପାରିସ୍ କରିଥିଲେ। କିନ୍ତୁ ଏଥିରେ ସରକାର ସମ୍ମତି ଦେଇ ନ ଥିଲେ। ଯୁଗ୍ମ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହା ପରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିର ଏକ ବୈଠକ ବସି ପୂର୍ବରୁ ସୁପାରିସ୍ ହୋଇଥିବା ଦୁଇ ଜଣଙ୍କ ନାମକୁ ଖାରଜ କରିଦିଆଯାଇଥିଲା ଓ ଉତ୍କଳ ସାହିତ୍ୟ ସମାଜର ନାମ ସୁପାରିସ୍ କରାଯାଇଥିଲା। ସରକାର ଏହି ସୁପାରିସ୍‌କୁ ଗ୍ରହଣ କରିଥିଲେ। ୨୦୨୧ ମସିହା ପାଇଁ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ଚୟନ ପ୍ରକ୍ରିୟା କେବେ ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇ ନାହିଁ।

‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ତରୁଣ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁରସ୍କାର ପାଇଁ ଆମ ନାମ ଚୟନ କରାଯାଇଥିବାରୁ ଆମେ ବେଶ୍‌ ଖୁସି। ପୁରସ୍କାର ରାଶିରେ ଆମେ ପ୍ରଥମେ ଫକୀରମୋହନଙ୍କ ଉପରେ ଏକ ଆଲୋଚନା ସଙ୍କଳନ ପ୍ରକାଶ କରିବାକୁ ସ୍ଥିର କରିଛୁ। ଏ ନେଇ ବହୁ ଲେଖକଙ୍କୁ ଲେଖା ଦେବା ପାଇଁ ବି ଅନୁରୋଧ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର