କଟକ : ଉତ୍କଳ ସାହିତ୍ୟ ସମାଜର ପଶ୍ଚିମ ସିଂହଭୂମି ଶାଖା ଝାଡ଼ଖଣ୍ଡର ସଂଗ୍ରାମ ଭୂମି କେରାଠାରେ ଉଦ୍ଘାଟିତ ହୋଇଛି। ଝାଡ଼ଖଣ୍ଡର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାର ନିଷ୍ଠାର ସହ କାର୍ଯ୍ୟ କରିବା ସଂପ୍ରତି ବଡ଼ ଆହ୍ୱାନ ବୋଲି ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶାଖା ପ୍ରତିଷ୍ଠା ଉତ୍ସବରେ ଉଦ୍ଘାଟକ ଭାବେ କୋହ୍ଲାଣ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡା, ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ଡର ପୂର୍ବତନ ଶିକ୍ଷାମନ୍ତ୍ରୀ ଡାକ୍ତର ଦୀନେଶ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଉତ୍ସବରେ ଟାଟା ଚାଇଁବସା କଲେଜର ଅଧ୍ୟକ୍ଷ ଡକ୍ଟର ସୁରେଶ ଚନ୍ଦ୍ର ଦାଶ ‘ଓଡ଼ିଆ ସାହିତ୍ୟ ଓ ପଶ୍ଚିମ ସିଂହଭୂମି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ହୀରେନ୍ଦ୍ର କୁମାର ସିଂହଦେବ, ଡାକ୍ତର ବିନି ଷଡ଼ଙ୍ଗୀ, ଗୋକୁଳ ନାପିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତି ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ। ଅଭ୍ୟର୍ଥନା କମିଟି ପକ୍ଷରୁ ବିରଜା ଶଙ୍କର ପତି, ସତ୍ୟପ୍ରକାଶ କର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସୁକୁମାର ସାମଲ, ପ୍ରଭାତ କୁମାର କର, ଦୀପକ କୁମାର ମହାନ୍ତି, ମସୁଦ ଅଲ୍ଲୀ, ସଂଗ୍ରାମ ସାମଲ, ପୁଷ୍ପାଞ୍ଜଳି କର ପ୍ରମୁଖ ଅଂଶଗ୍ରହଣ କରିଥିଲେ।