ଉତ୍କଳ ସମ୍ମିଳନୀରେ ଫାଟ

ନୂଆ କାର୍ଯ୍ୟନିର୍ବାହୀ କମିଟି ଗଠନ କଲେ ବିଦ୍ରୋହୀ ସଦସ୍ୟ
ସାଢ଼େ ୫ ବର୍ଷ ହେଲା ଖର୍ଚର ଅଡିଟ୍‌ ହୋଇନି
ଉତ୍କଳ ସମ୍ମିଳନୀ ଦି-ଭାଗ ହେଲେ ଇସ୍ତଫା ଦେଇଦେବି: ସଭାପତି

ଭୁବନେଶ୍ୱର : ଓଡ଼ିଶାକୁ ଏକତା ସୂତ୍ରରେ ଯୋଡ଼ିବା ଉଦ୍ଦେଶ୍ୟ ନେଇ ଗଢ଼ିଉଠିଥିବା ଉତ୍କଳ ସମ୍ମିଳନୀ ଏବେ ଭାଗ ଭାଗ ହେବାକୁ ବସିଛି। ଆଜି ଉତ୍କଳ ସମ୍ମିଳନୀର ବିଭିନ୍ନ ଶାଖାର କିଛି ଆଗଧାଡ଼ିର କର୍ମକର୍ତା ମୂଳ କମିଟିକୁ ବିରୋଧ କରି ଏକ ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ସହ ଆଗାମୀ ୨୦ ଓ ୨୧ ତାରିଖରେ ଜଳେଶ୍ୱରରେ ହେବାକୁ ଥିବା ଉତ୍କଳ ସମ୍ମିଳନୀର ନିର୍ବାଚନକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ସେମାନେ ଅଭିଯୋଗ କରିଛନ୍ତି ଯେ ସଂଗଠନର ସମ୍ବିଧାନ ମୁତାବକ, ସଂପ୍ରତି ସଭାପତି ଥିବା ଗୁରୁପ୍ରସାଦ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଥିବା ଅଦ୍ୱୈତ କୁମାର ପାତ୍ରଙ୍କର ସାଂଗଠନିକ ଦାୟିତ୍ୱ ୨୦୧୫ ଜୁନ୍‌ ୧୪ ତାରିଖରେ ଶେଷ ହୋଇଥିଲେ ହେଁ ସେମାନେ ଜବରଦସ୍ତ ପଦବିକୁ ମାଡ଼ି ବସିଛନ୍ତି। ଏପରିକି ପ୍ରତି ବର୍ଷ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ନେଇଥିବା ଉତ୍କଳ ସମ୍ମିଳନୀ ସରକାରୀ ଅନୁଦାନ ତୋଷାରପାତ କରିଚାଲିଛି।

ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୂତନ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ରବିରଂଜନ ସାହୁ କହିଛନ୍ତି ଯେ, ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ସମ୍ମିଳନୀକୁ ପ୍ରତିବର୍ଷ ୧ରୁ ଦେଢ଼ କୋଟି ଟଙ୍କା ଯୋଗାଇ ଦିଆଯାଉଛି। ତେବେ ସାଢ଼େ ୫ ବର୍ଷ ହୋଇଯିବ ଏହାର ଅଡିଟ୍‌ ହୋଇନାହିଁ। ଶିକ୍ଷା ବିଭାଗ ବି ଅଡିଟର ପଠେଇ ଅଡିଟ୍‌ କରିନଥିବାରୁ ଏହା ପଛରେ ସଲାସୁତୁରା ରହିଛି। ତେଣୁ ଏହାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରାଗଲେ ବହୁ ସତ ଉନ୍ମୋଚନ ହୋଇପାରିବ ବୋଲି ପ୍ରସନ୍ନ କୁମାର ନନ୍ଦ କହିଛନ୍ତି।

ଏଥିସହ ରବିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କାର୍ଯ୍ୟାଳୟରେ ରବିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି। ବିଚିତ୍ରାନନ୍ଦ ସାହୁ, ଗଜାନନ ମିଶ୍ର, ପ୍ରସନ୍ନ କୁମାର ନନ୍ଦ, ପୁରୁଷୋତ୍ତମ ବିଶ୍ୱାଳ, ବାସନ୍ତି ସିଂ, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ମନ୍ମଥ ପାଢ଼ୀ କମିଟିର ସଭ୍ୟ ଭାବେ କାମ ତୁଲାଇବାକୁ ନିଷ୍ପତ୍ତି ହୋଇଛି। ନୂଆ କମିଟି ଉତ୍କଳ ସମ୍ମିଳନୀର ପାସ୍‌ବୁକ୍‌ ଅଚଳ କରିବାକୁ ବ୍ୟାଙ୍କ୍‌କୁ ଅନୁରୋଧ କରିଥିବା ବେଳେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ସୂଚନା ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅନଶନ କରାଯିବ ବୋଲି ସଦସ୍ୟମାନେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚେଶ୍ୱର ଶାଖାର ସଭାପତି ଦିଲୀପ ଦାସଶର୍ମା ଓ ଅନ୍ୟ କେତେକ ଶାଖାର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ଏନେଇ ଉତ୍କଳ ସମ୍ମିଳନୀର ସଭାପତି ଗୁରୁପ୍ରସାଦ ମହାନ୍ତି କହିଛନ୍ତି ଯେ, ଖୋର୍ଧା ବୈଠକରେ ଉତ୍କଳ ସମ୍ମିଳନୀର ନିର୍ବାଚନ ଜଳେଶ୍ୱରରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଏ ସଂପର୍କରେ ମୁଁ ଆଉ କିଛି କରିପାରିବି ନାହିଁ। ବିଚ୍ଛିନ୍ନାଞ୍ଚଳ ପାଇଁ ସରକାର ଯେଉଁ ଟଙ୍କା ଦେଉଛନ୍ତି ତାହା କେବଳ ୬୨୦ ଶିକ୍ଷକଙ୍କୁ ଦରମା ଦେବା ପାଇଁ। କେବଳ ୧ରୁ ୨ପ୍ରତିଶତ ଏହାର ପରିଚାଳନା ପାଇଁ ବଜେଟ୍‌ ରହିଛି। ତେଣୁ ମୁଁ ବି ଚାହୁଁଛି ଏହାର ଅଡିଟ୍‌ ହେଉ। ଯଦି ମୋ ସମୟରେ ଉତ୍କଳ ସମ୍ମିଳନୀ ଦି-ଭାଗ ହୋଇଯିବା ଆଶଙ୍କା ଉପୁଜିଛି ତେବେ ମୁଁ ଇସ୍ତଫା ଦେଇ ଦେବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର