ଜୟପୁର: ଅଯୋଧ୍ୟା‌ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦେଶରେ ଉତ୍ସବର ମାହୋଲ। ଏପରି ସମୟରେ ଜୟପୁର ସହର ବୟୋଜ୍ୟଷ୍ଠ କବି ତଥା ସାହିତ୍ୟିକ କୃଷ୍ଣଚନ୍ଦ୍ର ଭୁକ୍ତା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।  ପରିଣତ ବୟସ ୮୬ରେ ଶ୍ରୀମଦ ବାଲ୍ମୀକି ରାମାୟଣ ଉତ୍କଳାନୁବାଦ ସହିତ କାବ୍ୟିକ ରୂପ ଦେବାରେ ଯେଉଁ ଦୁଃସାହସପୂର୍ଣ୍ଣ ସଫଳ ପ୍ରୟାସ କରିଛନ୍ତି। ସେ ‘ଅ’ ଅନୁପ୍ରାସରେ ଅମୂଲ୍ୟ ରାମାୟଣକୁ ରଚନା କରିଛନ୍ତି। ତାହା ତାଙ୍କୁ ଜଣେ ଭାଗ୍ୟବାନ ଯୁଗପୁରୁଷ ରୂପେ ଅଳଙ୍କୃତ କରିଛି।  ବିଶେଷ କରି ସ୍ୱର ବର୍ଣ୍ଣ ‘ଅ’  ଆଦ୍ୟ ଅକ୍ଷରରେ ଏତେ ବଡ଼ ବିଶାଳ ସାହିତ୍ୟ ସୃଷ୍ଟି କେବଳ ଓଡିଶା କାହିଁକି ସମଗ୍ର ଭାରତରେ ମଧ୍ୟ ବିରଳ।

Advertisment

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ ‘ବ’ ଆଦ୍ୟ ଅକ୍ଷରରେ ଓ କବି ଦୀନକୃଷ୍ଣଙ୍କ କଳାକୌତୁକ ‘କ’ ଅକ୍ଷରରେ ଲେଖି ଇତିହାସ ସୃଷ୍ଟି କରି ଥିଲେ।  କିନ୍ତୁ ‘ଅ ’ଆଦ୍ୟ ଅକ୍ଷରରେ ସଂଯୋଜନା କରି ଏକ ପୁରାଣ ମହାକାବ୍ୟ ରଚନା କରି ଜଣେ ଅନନ୍ୟ ସାହିତ୍ୟଶିଳ୍ପୀ ରୂପେ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। କେବଳ ଅ ଆଦ୍ୟ ଅକ୍ଷରରେ ସମ୍ପୂର୍ଣ ରାମାୟଣ ଲେଖିବା କେତେ ଯେ କଷ୍ଟ ସାଧ୍ୟ ତାହା କେବଳ କାବ୍ୟକର ଜାଣନ୍ତି। ପ୍ରତି ପଦ କୋଡିଏ ଅକ୍ଷର ବିଶିଷ୍ଟ ଓ ମଙ୍ଗଳାଶ୍ରୀ ଛନ୍ଦରେ ଲେଖା ଯାଇଛି। କବି କୃଷ୍ଣଚନ୍ଦ୍ର ମହର୍ଷି ବା‌ଲ୍ମିକୀଙ୍କ ଗାୟତ୍ରୀ ମନ୍ତ୍ରର ୨୫ଟି ଅକ୍ଷର ତତ୍ ସର୍ବତୁ ବରେଣ୍ୟ ଭର୍ଗୋ ଦେବସ୍ୟ ଧିମହୀ ଧିୟୋୟୋନ୍ଃ ପ୍ରଚୋଦାୟତ ଶ୍ଲୋକର ପ୍ରତ୍ୟେକ ଅକ୍ଷରକୁ ଆଦ୍ୟରେ ରଖି ୨୪ଟି ଅକ୍ଷରରେ ୨୪ହଜାର ଶ୍ଲୋକ ବିଶିଷ୍ଟ  ରାମାୟଣକୁ ରଚନା କରିଛନ୍ତି।

publive-image

ରାଜ୍ୟ ସଡକ ପରିବହନ ନିଗମରେ ଅଡିଟର ଇନଚାର୍ଜ ପଦବୀରୁ ଅବସର ନେବା ପରେ ଶ୍ରୀରାମଙ୍କ ଲୀଲାକୁ ସାଧାରଣ ଜୀବନରେ ପହଚାଂଇବା ପାଇଁ ସେ ଗତ ୨୦୧୩ମସିହାରେ ଏହି ବହିର ଉତ୍କାଳନୁବାଦ ଆରମ୍ଭ କରିଥିଲେ। ଦୀର୍ଘ ୧୦ବର୍ଷ ପରେ ସେ ଗତ ୨୦୨୩ମସିହାରେ ଏହି ବହିକୁ ଲୋକାର୍ପିତ କରିଥିଲେ। ୫୦୦ରୁ ଉର୍ଦ୍ଧ୍ବ ବହି ଛାପି ଏହାରି ମଧ୍ୟରେ ସେ ୪୦୦ରୁ ଉର୍ଦ୍ଧ୍ବ ବହି ବିଭିନ୍ନ ବର୍ଗରେ ବିତରଣ କରିଛନ୍ତି। ୮୬ବର୍ଷ ପରିଣତ ବୟସରେ ସେ ଆଜି ବି ହାର ନ ମାନି ପ୍ରଭୁ ଶ୍ରୀରାମ , ନାରାୟଣ, ବିଷ୍ଣୁଙ୍କ ଉପରେ ବିଭିନ୍ନ ଲେଖା ଲେଖିବାରେ ଲାଗିଛନ୍ତି। ତାଙ୍କ ଅବସର ସମୟ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସର୍ମପଣ କରି ଦେଇଥିବା କହିଛନ୍ତି କୃଷ୍ଣଚନ୍ଦ୍ର।